ଏସ୍‌ସିବିରେ ଆଇସିୟୁ ସଙ୍କଟ : ୧୪‌ ବେଡ୍ ପାଇଁ ଅପେକ୍ଷାରେ ୪୦୦ ରୋଗୀ, ଡାକ୍ତରଙ୍କ ‘ଚିଠା’ ଭରସାରେ ଗୁରୁତର ରୋଗୀ

କଟକ : ଆଇସିୟୁ ‘ଚିଠା’ ଧରି ବସିଛନ୍ତି ୪ଶହରୁ ଅଧିକ ରୋଗୀ। ୧୪ବେଡ଼୍‌ ପାଇଁ କେତେବେଳେ ୪ଶହ ତ ପୁଣି କେତେବେଳେ ୬ଶହ ପର୍ଯ୍ୟନ୍ତ ଯାଉଛି ଅପେକ୍ଷା ତାଲିକା। ତା’ ପୁଣି କେବଳ ମେଡିସିନ୍‌ ବିଭାଗ ଆଇସିୟୁ ପାଇଁ। ଡାକ୍ତର ଚିଠା ଲେଖିଛନ୍ତି, ଆଇସିୟୁ ବେଡ୍‌ ଦରକାର। ହେଲେ ମିଳୁନି ବେଡ଼୍‌, କେବଳ ମିଳୁଛି ଟୁକୋନ୍‌। ଉତ୍ତର ଆସୁଛି ‘ୱେଟିଙ୍ଗ୍‌’ରେ ରହିଛି, ବେଡ଼୍‌ ଖାଲି ହେଲେ ଦିଆଯିବ। କଟକ ବଡମେଡିକାଲ‌େର ଦେଖିବାକୁ ମିଳିଛି ଏଭଳି ସଙ୍ଗୀନ ସ୍ଥିତି। ମାଗଣା ବ୍ୟବସ୍ଥା ଭିତରେ ଆଇସିୟୁ ସଙ୍କଟ। ଯାହାଫଳରେ ଗୁରୁତର ରୋଗୀ ଶେଷରେ ବାଧ୍ୟ ହୋଇ କେବଳ ଆଇସିୟୁ ପାଇଁ ଘରୋଇ ମେଡିକାଲରେ ଭର୍ତ୍ତି ହେଉଛନ୍ତି।

ସୂଚନା ଅନୁସାରେ, ସରକାରୀ ସ୍ତରରେ ମାଗଣା ସ୍ବାସ୍ଥ୍ୟସେବା ଆରମ୍ଭ ହେବା ପରଠାରୁ ସ୍ଥିତି ସୁଧୁରିବା ବଦଳରେ ଜଟିଳ ହେଉଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏପରିକି ଭୁବନେଶ୍ବର ଏମ୍ସରୁ ମଧ୍ୟ ରେଫର ହୋଇ ଗୁରୁତର ଅବସ୍ଥାରେ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି କଟକ ବଡମେଡିକାଲକୁ। ଏସ୍‌ସିବି ଏବେ ରାଜ୍ୟର ସବୁଠାରୁ ବଡ ଓ ରେଫରାଲ ହସ୍ପିଟାଲ। ଏପରିକି ରାଜ୍ୟ ବାହାରୁ ଚିକିତ୍ସା ପାଇଁ ଆସୁଛନ୍ତି ରୋଗୀ। କିନ୍ତୁ ଏସ୍‌ସିବିରେ ଆଇସିୟୁ ବେଡ୍‌ ସଂଖ୍ୟା ବଢୁନି। ଯାହା ଫଳରେ ହନ୍ତସନ୍ତ ହେଉଛନ୍ତି ଅନେକ ଗୁରୁତର ରୋଗୀ। ଅନେକ ଗରିବ ରୋଗୀ ମଧ୍ୟ ଆଇସିୟୁ ବେଡ୍‌ ନ ପାଇ ଶେଷରେ ଘରୋଇ ମେଡିକାଲରେ ଜମି ବନ୍ଧକ ରଖି ଚିକିତ୍ସିତ ହେଉଛନ୍ତି। ପୁରୁଣା ଭିତ୍ତିଭୂମିରେ ନୂଆ ଯୋଜନା ଗରିବ ରୋଗୀଙ୍କ ପାଇଁ ଦୁର୍ଦ୍ଦିନ ଆଣୁଛି। ଏସ୍‌ସିବି ମେଡିସିନ୍‌ ବିଭାଗରେ ରୋଗୀ ସଂଖ୍ୟା ସବୁଠୁ ଅଧିକ। ଏହି ବିଭାଗରେ ଆଇସିୟୁ ପାଇଁ ୧୪ଟି ବେଡ୍‌ ଥିବାବେଳେ କେଉଁଦିନ ୪୦୦ଶହ ତ କେଉଁ ଦିନ ୬ଶହ ରୋଗୀ ଏଥିପାଇଁ ଅପେକ୍ଷା କରି ରହୁଛନ୍ତି। ବଡମେଡିକାଲ କର୍ତ୍ତୃପକ୍ଷ ଏ କ୍ଷେତ୍ରରେ ନିଜର ଅସହାୟତା ପ୍ରକାଶ କରୁଛନ୍ତି। ତୁରନ୍ତ ଭିତ୍ତିଭୂମିର ବିକାଶ ଦିଗରେ ସରକାର ପଦକ୍ଷେପ ନନଲେ ସ୍ଥିତି ଆଗକୁ ସଂଗୀନ ହେବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର