ଦୟନୀୟ ସ୍ଥିତିରେ ଏସ୍‌ସିବି ନ୍ୟୁରୋସର୍ଜରୀ ବିଭାଗ : ଯୋଜନାରେ ଅଟକିଛି ରୋଗୀଙ୍କ ଭାଗ୍ୟ, ସରୁନି ପାଇପ୍‌ ଲାଇନ୍‌ କାମ, ନାହାନ୍ତି କର୍ମଚାରୀ, ନି‌ଶ୍ଚେତକ ଡାକ୍ତର ଅଭାବ, ସପ୍ତାହକୁ ହେଉଛି ୬ଟି ଅସ୍ତ୍ରୋପଚାର

କଟକ : ଚିକିତ୍ସିତ ହେଉଥିବା ରୋଗୀଙ୍କ ମୃତ୍ୟୁ ଘଟିଲେ, ଅଥବା କେହି ଡିସଚାର୍ଜ ହେଲେ ଯାଇ ମିଳିବ ଆଇସିୟୁରେ ବେଡ୍। ଏସସିବି ନ୍ୟୁରୋସର୍ଜରି ବିଭାଗରେ ସେହି ଆଶାରେ ପଡି ରହୁଛନ୍ତି ରୋଗୀ। ୪ଟି ଆଇସିୟୁ ବେଡ୍‌ ପାଇଁ ତାଲିକାରେ ରହୁଛନ୍ତି ଶତାଧିକ ରୋଗୀ। କେବଳ ଆଇସିୟୁ ସମସ୍ୟା ନୁହେଁ, ରୋଗୀଙ୍କୁ  ବେଡ୍‌ ମିଳୁନଥିବାରୁ  ବାରଣ୍ଡାରେ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି ଶତାଧିକ ରୋଗୀ। ଏଭଳି ସମସ୍ୟାରେ ଚାଲିଛି ଏସ୍‌ସିବି ନ୍ୟୁରୋସର୍ଜରୀ ବିଭାଗ। ୪ବର୍ଷ ତଳେ ଯୋଜନା ହୋଇଥିଲା ଆଇସିୟୁ ସଂଖ୍ୟା ୪ରୁ ୧୦କୁ ବୃଦ୍ଧି କରିବା ପାଇଁ। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା କେବଳ ଯୋଜନାରେ ଅଟକିଛି । କର୍ମଚାରୀ ଅଭାବ, ପାଇପ୍‌ ଲାଇନ୍‌ କାମ ସରୁନଥିବା ତଥା ବିଭିନ୍ନ କାରଣରୁ ଆଇସିୟୁ ସଂଖ୍ୟା ବୃଦ୍ଧି ହୋଇପାରୁନି।
ଏସ୍‌ସିବି ନ୍ୟୁରୋସର୍ଜରି ବିଭାଗକୁ ରାଜ୍ୟ ତଥା ରାଜ୍ୟ ବାହାରର ଶତାଧିକ ରୋଗୀ ଗୁରୁତର ଅବସ୍ଥାରେ ଆସିଥାନ୍ତି ଚିକିତ୍ସା ପାଇଁ। ଏପରିକି ଗୁରୁତର ରୋଗୀଙ୍କୁ ଅନେକ ସମୟରେ ଶଯ୍ୟା ଅଭାବରୁ ବାରଣ୍ଡାରେ ଚିକିତ୍ସିତ ହେବାକୁ ପଡେ। ବର୍ଷା ହେଲେ ବାରଣ୍ଡାରେ ବର୍ଷା ପାଣି ସହ ପାଇଖାନାର ପାଣି ବାରଣ୍ଡାକୁ ଚାଲିଆସୁଥିବାରୁ ଦୁର୍ଗନ୍ଧରେ ରହିବା ମୁସ୍କିଲ ହେଉଥିଲେ ବି ଦୟନୀୟ ଅବସ୍ଥାରେ ପଡି ରହିଥାନ୍ତି ରୋଗୀ। ୱାର୍ଡରେ ୬୦ଟି ବେଡ୍‌ ଥିବାବେଳେ ରୋଗୀଙ୍କ ସଂଖ୍ୟା କିନ୍ତୁ ସବୁ ବେଳେ ଶହେରୁ ଅଧିକ। ଏପରିକି ଗୁରୁତର ରୋଗୀଙ୍କୁ ଅସ୍ତ୍ରୋପଚାର ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡିଥାଏ। ୨୦୧୫ରେ ଆଇସିୟୁ ବେଡ୍‌ ସଂଖ୍ୟା ବୃଦ୍ଧି କରାଯିବା ପାଇଁ ଯୋଜନା କରାଯାଇଥିଲା। କାର୍ଡିଓଥୋରାସିସ୍‌ ବିଭାଗ ଉଠିଯିବା ପରେ ସେହି ସ୍ଥାନରେ ଆଇସିୟୁ ବେଡ୍‌ ପ୍ରସ୍ତୁତ ପାଇଁ ଯୋଜନା‌ ହୋଇଥିଲା। କିନ୍ତୁ ୨ବର୍ଷ ହେଲା ଗ୍ୟାସ୍‌ ପାଇପ୍‌ ଲାଇନ୍‌ କାମ ସରିପାରୁନି। ବାରମ୍ବାର ଆରଏଣ୍ଡବି କର୍ତ୍ତୃପକ୍ଷଙ୍କୁ କ‌ାମ ସାରିବା ପାଇଁ ଅନୁରୋଧ କରାଯାଉଛି। କିନ୍ତୁ କାମ ସରୁନି। ଆଇସିୟୁ ପାଇଁ ଆବଶ୍ୟକ କର୍ମଚାରୀ ଅଭାବ,  ୪ର୍ଥ ଶ୍ରେଣୀ କର୍ମଚାରୀ ସମସ୍ୟା ମଧ୍ୟ ରହିଛି। ଗୁରୁତର ରୋଗୀଙ୍କ ପାଇଁ ରୢାମ୍ପ ବ୍ୟବସ୍ଥା ନାହିଁ କି ରୋଗୀଙ୍କୁ ନେବା ପାଇଁ ବଡ ଲିଫ୍ଟ ମଧ୍ୟ ନାହିଁ। ସିଡିରେ ନ୍ୟୁରୋସର୍ଜରି ରୋଗୀଙ୍କୁ ନେବା ବିପଦପୂର୍ଣ୍ଣ। କିନ୍ତୁ ଏଥିରେ ବି ଭିତ୍ତିଭୂମି ସୁଧୁରୁ ନାହିଁ। ସପ୍ତାହରେ ୬ଜଣଙ୍କ ଅସ୍ତ୍ରୋପଚାର କରାଯାଉଥିବାବେଳେ ଛୁଟି ଥିଲେ ଏହାର ସଂଖ୍ୟା କମ୍ ରହୁଛି। ତେଣୁ ଆଇସିୟୁ ସହ ଆଉ ଗୋଟିଏ ଓଟି ଖୋଲିବା ପାଇଁ  ମଧ୍ୟ ଯୋଜନା ରହିଛି। ଆଇସିୟୁ ସଂଖ୍ୟା କମ୍‌ ଥିବାରୁ ତୁରନ୍ତ ବର୍ଦ୍ଧିତ ଆଇସିୟୁକୁ କାର୍ଯ୍ୟକ୍ଷମ କରିବା, ରୢାମ୍ପ ତିଆରି କରିବା  ପାଇଁ ବାରମ୍ବାର ଚିଠି ଯାଉଛି, କିନ୍ତୁ ଯୋଜନାରେ ସବୁ ଅଟକି ରହୁଛି।  ଏସଂପର୍କରେ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର କହିଛନ୍ତି ଯେ ଆଇସିୟୁ ସଂଖ୍ୟା ବୃଦ୍ଧି ପାଇଁ  ଯୋଜନା କରାଯାଇଥିଲା, କିନ୍ତୁ କାମ ସରିପାରିନି। ଖୁବ୍‌ଶୀଘ୍ର କାମ ସାରିବା ପାଇଁ ସଂପୃକ୍ତ ସଂସ୍ଥାକୁ ଚିଠି ଲେଖା ଯିବା ସହ ଆବଶ୍ୟକ କର୍ମଚାରୀ ଯୋଗାଇବା ପାଇଁ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି।
ସମ୍ବନ୍ଧିତ ଖବର