ସମ୍ଭାବ୍ୟ ଦୀପାବଳି ଅଘଟଣ ପାଇଁ ଏସ୍‌ସିବିରେ ପ୍ରସ୍ତୁତି : ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ

କଟକ : ଦୀପାବଳିରେ ସମ୍ଭାବ୍ୟ ଅଘଟଣକୁ ଦୃଷ୍ଟିରେ ରଖି ଏସ୍‌ସିବି ମେଡିକାଲ୍‌ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଏହି ସମୟରେ ବାଣ ପ୍ରଭାବରେ ଆସି କାହା ଶରୀର ପୋଡ଼ି ହୋଇଯାଇଥାଏ, ତ ଆଉ କାହାର ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ। ତେଣୁ ଏଥିପାଇଁ ମେଡିକାଲ୍‌ର ଚକ୍ଷୁ ବିଭାଗ, ଇଏନ୍‌ଟି, ସର୍ଜରି, ପ୍ଲାଷ୍ଟିକ ସର୍ଜରି, ନିଶ୍ଚେତକ ବିଭାଗ, ପଲ୍‌ମୁନାରି ମେଡିସିନ୍‌, ଅର୍ଥୋପେଡିକ୍ସ, ହ୍ୟାଣ୍ତ ସର୍ଜରି, ଦନ୍ତ ବିଭାଗ ବିଭାଗୀୟ ମୁଖ୍ୟ ଓ ଭାରପ୍ରାପ୍ତ ମୁଖ୍ୟଙ୍କ ସହିତ କାଜୁଆଲିଟି ଓ ଟ୍ରମା କେୟାର ଭାରପ୍ରାପ୍ତ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଓପିଡି, କାଜୁଆଲିଟି ଓ ବିଭିନ୍ନ ବିଭାଗର ଵାର୍ଡମାନଙ୍କରେ ଡାକ୍ତରମାନେ ଉପସ୍ଥିତ ରହିବେ। ରେଡିଓଲୋଜି ବିଭାଗରେ ସମସ୍ତ ପ୍ରକାରର ବିକିରଣ ସୁବିଧା ଅନବରତ ଭାବେ ମିଳିପାରିବା ଭଳି ବ୍ୟବସ୍ଥା କରାଯିବ। ଗୁରୁତର ଆହତମାନଙ୍କୁ ଡାକ୍ତରଙ୍କ ପରାମର୍ଶକ୍ରମେ ଟ୍ରମା ଵାର୍ଡ ଓ ଆଇସିୟୁରେ ଭର୍ତ୍ତି କରାଯିବ। ପୋଡ଼ି ହୋଇ ଆସିଥିବା ରୋଗୀମାନଙ୍କୁ ତୁରନ୍ତ ଚିକତ୍ସା ଯୋଗାଇ ଦେବାକୁ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ଡାକ୍ତରମାନେ ପ୍ରସ୍ତୁତ ହୋଇ ରହିବେ। ଟ୍ରମା ଵାର୍ଡରେ ଆବଶ୍ୟକ କର୍ମଚାରୀ ଯୋଗାଇ ଦେବାକୁ ଷ୍ଟିଵାର୍ଡ ଓ ମାଟ୍ରନ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ୍‌ ରଖିବା ପାଇଁ ଷ୍ଟୋର ମେଡିକାଲ୍‌ ଅଫିସରଙ୍କୁ କୁହାଯାଇଛି। ସମସ୍ତ ପ୍ରକାରର ଚକ୍ଷୁ, ଇଏନ୍‌ଟି ଔଷଧ, ଆଣ୍ଟିବାୟୋଟିକ୍‌ ଓ ଆଣ୍ଟିଆଲର୍ଜିକ୍‌ ଔଷଧ ଯେପରି ନିରାମୟରେ ଉପଲବ୍ଧ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରୋଗୀମାନେ ଆସିଲେ ତାଙ୍କ ସହିତ ପରିବାର ସଦସ୍ୟମାନେ ମଧ୍ୟ କାଜୁଆଲିଟିରେ ଭିଡ଼ ଜମାଇବେ। ତେଣୁ ଭିଡ଼ ନିୟନ୍ତ୍ରଣ ପାଇଁ ନିରାକାର ସିକ୍ୟୁରିଟି ଏଜେନ୍ସିକୁ ନିର୍ଦ୍ଦେଶ ଦିଆଯାଇଛି। ମେଡିକାଲ୍‌ ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କୁ ଏହି କାର୍ଯ୍ୟକ୍ରମର ସ˚ଯୋଜକ ଭାବେ ଦାୟିତ୍ବ ଦିଆଯାଇଛି। ସମସ୍ତ ପ୍ରକାରର ଆହତମାନେ ଯେପରି ତତ୍‌କ୍ଷଣାତ ଚିକିତ୍ସା ପାଇପାରିବେ ତାହା ଆମର ପ୍ରାଥମିକତା ବୋଲି ଅଧୀକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର