ବଡ଼ ମେଡିକାଲ୍‌ ଦରମା ଫିକ୍ସିଂ ଘଟଣା : ଏଜିଙ୍କ ସ୍ୱତନ୍ତ୍ର ଅଡିଟ୍‌ ଆରମ୍ଭ

କଟକ : ଏସ୍‌ସିବି ମେଡିକାଲ୍‌ରେ ଦରମା ଫିକ୍ସିଂ ଘଟଣାରେ ଆଜିଠୁ ଆକାଉଣ୍ଟାଣ୍ଟ ଜେନେରାଲ (ଏଜି)ଙ୍କ ପକ୍ଷରୁ ସ୍ୱତନ୍ତ୍ର ଅଡିଟ୍‌ ଆରମ୍ଭ ହୋଇଛି। ଆଜି ପୂର୍ବାହ୍ନରେ ୧୦ ଜଣିଆ ଅଡିଟ୍‌ ଦଳ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ସମସ୍ତ କର୍ମଚାରୀଙ୍କ ଫାଇଲ୍‌ ମଗାଇଥିଲେ। କର୍ମଚାରୀଙ୍କ କ୍ୟାଡର ତାଲିକା ଓ ଗ୍ରେଡେସନ୍‌ ତାଲିକା ଅଡିଟ୍‌ ଦଳ ଲୋଡିଥିଲାବେଳେ କେଉଁ ଆଧାରରେ ପଦୋନ୍ନତି ଦିଆଯାଇଛି ତାହା ବାବଦରେ ତଥ୍ୟ ଚାହିଁଥିଲେ। କିନ୍ତୁ ଅଫିସ୍‌ ସୁପରିଟେଣ୍ଡେଣ୍ଟ ତାହାର କୌଣସି ସନ୍ତୋଷଜନକ ଜବାବ ଦେଇପାରିନଥିଲେ। ତେଣୁ ଯେଉଁ କିରାଣୀ ଏସବୁ ବିଷୟରେ ଅବଗତ ଅଛନ୍ତି ତାଙ୍କୁ ତୁରନ୍ତ ଡକାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସଂପୃକ୍ତ କିରାଣୀ ପୂର୍ବରୁ ଛୁଟି ନେଇଥିଲାବେଳେ ପୁଣି ଥରେ ଗତକାଲିଠୁ ଛୁଟିରେ ଚାଲିଯାଇଛନ୍ତି। ତେଣୁ ଅଧୀକ୍ଷକଙ୍କ ଜରିଆରେ ତାଙ୍କୁ ଜରୁରିକାଳୀନ ଭିତ୍ତିରେ ଡକାଯାଉ ବୋଲି ଅଡିଟ୍‌ ଟିମ୍‌ କହିଥିଲେ।

ସୂଚନାରୁ ପ୍ରକାଶ ଯେ, ମେଡିକାଲ୍‌ କର୍ମଚାରୀମାନେ ଗୋଟିଏ କ୍ୟାଡରରେ ଥିଲେ ବି ବେଆଇନ୍‌ ଭାବେ ଗ୍ରେଡେସନ୍‌ ବଦଳାଇଥିଲେ। କେତେକ କ୍ୟାଡର ଡେଇଁ ଆଉ ଏକ କ୍ୟାଡରକୁ ଚାଲିଯାଇଥିଲେ। ଏପରିକି ନିଜେ ନିଜକୁ ପଦୋନ୍ନତି ଦେଇସାରିଥିଲେ। ଫଳରେ ଜଣେ ବରିଷ୍ଠ କର୍ମଚାରୀ ଉଚ୍ଚ ପଦରେ ଥିଲେ ବି ଅଧିନସ୍ଥ କର୍ମଚାରୀଙ୍କଠୁ କମ୍‌ ଦରମା ପାଇଆସୁଥିଲେ। କର୍ତ୍ତୃପକ୍ଷଙ୍କୁ ଅନ୍ଧାରରେ ରଖି କିଛି ନିର୍ଦ୍ଧିଷ୍ଟ କର୍ମଚାରୀ ଫାଇଲ୍‌ରେ ଦସ୍ତଖତ କରାଇନେଉଥିବାବେଳେ ବିଭାଗୀୟ ଅଡିଟ୍‌ ସମୟରେ ତାହାକୁ ଲୁଚାଇ ଦେଉଥିଲେ। ପୁଣି ଡିପିସିରେ ମଧ୍ୟ ହେରଫେର କରାଯାଇ କେତେକ କର୍ମଚାରୀଙ୍କ ପଦବି ତଳକୁ ଖସାଇ ଦିଆଯାଇଥିଲା। ଫଳରେ ମେଡିକାଲ୍‌ ପାଣ୍ଠିରୁ କୋଟି କୋଟି ଟଙ୍କା ଦରମା ଆକାରରେ ଉଠାଯାଉଥିଲା। ଦରମାରେ ଏଭଳି ଅସଙ୍ଗତିକୁ ନେଇ କନିଷ୍ଠ କିରାଣୀ ଜୟଦେବ ଦାସଙ୍କ ପକ୍ଷରୁ ମେଡିକାଲ କର୍ତ୍ତୃପକ୍ଷଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗ, ମୁଖ୍ୟ ଶାସନ ସଚିବ, ଏଜି, ଭିଜିଲାନ୍ସ ଇତ୍ୟାଦିଠାରେ ଅଭିଯୋଗ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ଏହାଉପରେ ଏକ ମାମଲା ରୁଜୁ କରାଯାଇଥିଲାବେଳେ ଆଜିଠାରୁ ଏଜିଙ୍କ ପକ୍ଷରୁ ସ୍ୱତନ୍ତ୍ର ଅଡିଟ୍‌ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର