କଟକ: ଏସ୍‌ସିବିରେ ବ୍ୟବହାର ହେଉଛି ୫୪ବର୍ଷ ତଳର (୧୯୭୦ ମସିହା) ମେସିନ୍‌।  ଅନେକ ଜଟିଳ ଅସ୍ତ୍ରୋପଚାର ବି ହେଉଛି। ବାରମ୍ବାର ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ୍‌(ଓଏମ୍‌ଏମ୍‌ସିଏଲ୍‌)କୁ ଏସ୍‌ସିବି କର୍ତ୍ତୃପକ୍ଷ ଚିଠି କରିଛନ୍ତି। କେଉଁ ସବୁ ମେସିନ୍‌ ଓ ଉପକରଣ ଆସିବ ତା’ର ତାଲିକା ବି ଦେଇଛନ୍ତି। ଏହା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ଆସିପାରୁନି ମେସିନ୍‌।  ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥାରେ ସେହି ପୁରୁଣା ମେସିନ୍‌ରେ  ଏସ୍‌ସିବି ନ୍ୟୁରୋସର୍ଜରି ବିଭାଗ ଡାକ୍ତର ଅସ୍ତ୍ରୋପଚାର କରୁଛନ୍ତି। ଅତ୍ୟାଧୁନିକ ଉପକରଣ ଅଭାବ ଯୋଗୁଁ ଉଚ୍ଚତର ବା ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପଚାର ଓ ରୋଗର ନିରୂପଣ ହୋଇପାରୁନି। ଯା’ଫଳରେ ରୋଗୀମାନେ ବାଧ୍ୟ ହୋଇ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଉଛନ୍ତି। ଏହାକୁ ନେଇ ଏସ୍‌ସିବି ଗସ୍ତ ସମୟରେ ହାଇକୋର୍ଟ କମିଟି ମଧ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ। ଏସ୍‌ସିବି ନ୍ୟୁରୋସର୍ଜରି ବିଭାଗରେ ଉପକରଣ ଅଭାବ ସାଙ୍ଗକୁ ଡାକ୍ତର, ଟେକ୍ନିସିଆନ୍ ଅଭାବକୁ ନେଇ ହାଇକୋର୍ଟ କମିଟି ଉଦ୍‌ବେଗ ପ୍ରକାଶ କରିଥିଲେ। କେବଳ ସେତିକି ନୁହେଁ, କ’ଣ ପାଇଁ ଉପକରଣ ଆସିପାରୁନି ସେ ସମ୍ପର୍କରେ ମଧ୍ୟ ଏସ୍‌ସିବି ଅଧୀକ୍ଷକଙ୍କ ସହିତ ଆଲୋଚନା କରିଥିଲେ।

ଡାକ୍ତର, ଟେକ୍ନିସିଆନ୍‌, ଉପକରଣ ଅଭାବ
ଘରୋଇ ହସ୍ପିଟାଲ୍‌କୁ ରୋଗୀ ଯିବାକୁ ବାଧ୍ୟ

Advertisment

ହାଇକୋର୍ଟ କମିଟିଙ୍କ ଉଦ୍‌ବେଗ ପରେ ପୁଣି ଏସ୍‌ସିବି କର୍ତ୍ତୃପକ୍ଷ ଓଏସ୍‌ଏମ୍‌ସିଏଲ୍‌କୁ ଗତମାସ ୨୭ତାରିଖରେ ଚିଠି ଲେଖିଛନ୍ତି। ଉପକରଣ ଓ କମିଟିର ରିପୋର୍ଟକୁ ନେଇ ଏହି ଚିଠି ଲେଖାଯାଇଛି। ଅନ୍ୟପଟେ ଏସ୍‌ସିବିରେ ନ୍ୟୁରୋସର୍ଜରି ବିଭାଗରେ ରେଡିଓଗ୍ରାଫର୍‌ ପଦ ସହ ଉଚ୍ଚମାନର ମେସିନ୍‌ ଓ ଉପକରଣ ଚଳାଇବା ପାଇଁ  ଟେକ୍ନିସିଆନ୍‌ଙ୍କ ଅଭାବ ରହିଛି। ଉଚ୍ଚମାନର ସି-ଆର୍ମ ମେସିନ୍‌, ନ୍ୟୁରୋସର୍ଜରି ସ୍ପେସାଲ୍‌ ଅସ୍ତ୍ରୋପଚାର ଟେବୁଲ୍‌, ନ‌ାଭିଗେସନ୍‌ ସିଷ୍ଟମ୍‌, ଉଚ୍ଚମାନର ମାଇକ୍ରୋସ୍କୋପିକ୍‌, ଆଇଓଏନ୍‌ଏମ୍‌ ଭଳି ୧୦ ପ୍ରକାର ଉପକରଣ ଯୋଗାଣ ପାଇଁ ୨୦୨୩ରେ ନ୍ୟୁରୋସର୍ଜରି ବିଭାଗୀୟ ମୁଖ୍ୟଙ୍କ ଦସ୍ତଖତରେ କେବଳ ନ୍ୟୁରୋସର୍ଜରି ଓଟି ପାଇଁ ଉପକରଣ ଯୋଗାଣ ପାଇଁ  ଓଏସ୍‌ଏମ୍‌ସିଏଲ୍‌କୁ ଚିଠି ଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ଯୋଗାଣ ହୋଇପାରୁନି। ଏସ୍‌ସିବି ନ୍ୟୁରୋସର୍ଜରି ବିଭାଗ ଉପରେ ସାରା ରାଜ୍ୟର ରୋଗୀ ନିର୍ଭର କରୁଛନ୍ତି। ରାଜ୍ୟର ଅନେକ ମେଡିକାଲ କଲେଜରେ ନ୍ୟୁରୋସର୍ଜରି ବିଭାଗ ଥିଲେ ବି ଏସ୍‌ସିବିରେ ରୋଗୀ ଚାପ କମୁନି। ରାଜ୍ୟ ସରକାର ତୁରନ୍ତ ଏଦିଗରେ ଦୃଷ୍ଟି ନଦେଲେ ଏସ୍‌ସିବି ନ୍ୟୁରୋସର୍ଜରି ବିଭାଗ ସ୍ଥାଣୁ ହୋଇପଡ଼ିବାର ଆଶଙ୍କା ଦେଖାଦେଲାଣି।  କେବଳ ଉନ୍ନତମାନର ଅସ୍ତ୍ରୋପଚାର ପାଇଁ ନୁହେଁ, ସାଧାରଣ ଅସ୍ତ୍ରୋପଚାର ପ‌ାଇଁ ବି ରୋଗୀ ଘରୋଇ ହସ୍ପିଟାଲ୍‌କୁ ଯିବାକୁ ବାଧ୍ୟ ହେବେ।