କଟକ : କଟକ ବଡ଼ ଡାକ୍ତରଖାନାର ନୂତନ ଅଧୀକ୍ଷକ ଭାବେ ଶନିବାର ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକ ଦାୟିତ୍ବ ଗ୍ରହଣ କରିଛନ୍ତି। ବିଦାୟୀ ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜକାନ୍ତ ସାହୁଙ୍କଠାରୁ ସେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଅବସରରେ ନୂତନ ଅଧୀକ୍ଷକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଓ ବିଦାୟୀ ଅଧୀକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞ‌ାପନ କରାଯାଇଥିଲା। ଦୀର୍ଘଦିନ ପରେ ପୁଣି ଏସ୍‌ସିବିରେ ଜଣେ ଦୀର୍ଘକାଳୀନ ଅଧୀକ୍ଷକଙ୍କୁ ଦାୟିତ୍ବ ଦିଆଯାଇଛି। ପ୍ରଫେସର ପଟ୍ଟନାୟକଙ୍କର ଆହୁରି ୪ବର୍ଷ କାର୍ଯ୍ୟକାଳ ରହିଛି। ଏହି ଅବସରରେ ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

Advertisment

ସୂଚନାଯୋଗ୍ୟ, ନୂତନ ଅଧୀକ୍ଷକ ପ୍ରଫେସର ଡାକ୍ତର ପଟ୍ଟନାୟକ ଗତମାସରେ ଏସ୍‌ସିବିର ଅତିରିକ୍ତ ଅଧୀକ୍ଷକ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଭୁବନେଶ୍ବରରେ ପ୍ରାଥମିକ ଓ ସାଧାରଣ ଶିକ୍ଷା ପରେ ୧୯୮୪ରେ ଏମ୍‌କେସିଜିରୁ ଏମ୍‌ବିବିଏସ୍‌ ସାରି ୧୯୮୬ରେ କୋରାପୁଟ କୋଟପାଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ଆରମ୍ଭ କରିଥିଲେ। ଏହାପରେ ଏସ୍‌ସିବିରେ ପିଜି, ବିଏଚ୍‌ୟୁରୁ ପ୍ଲାଷ୍ଟିକ୍‌ ସଜର୍ରିରେ ଏମ୍‌ସିଏଚ୍‌ ଓ ଅନ୍ୟାନ୍ୟ ଅନୁଷ୍ଠାନରୁ ଉଚ୍ଚତର ଗବେଷଣା କରିଥିଲେ। ୨୦୧୦ରେ ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରି ବିଭାଗରେ ପ୍ରଫେସର ଭାବେ ଯୋଗ ଦେଇଥିଲେ। ଆଜି ସେ ଏସ୍‌ସିବି ଅଧୀକ୍ଷକ ଭାବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଗ୍ରହଣ କରିଛନ୍ତି।

ଦାୟିତ୍ବ ନେବା ପରେ ପ୍ରଫେସର ପଟ୍ଟନାୟକ କହିଛନ୍ତି ଯେ, ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା କିପରି ଉନ୍ନତମାନର ହୋଇପାରିବ ଓ ଠିକ୍‌ ଭାବରେ ରୋଗୀ ସରକାରଙ୍କ ଯୋଜନାର ସୁବିଧା ପାଇବେ, ତା’ ଉପରେ ଗୁରୁତ୍ବ ଦିଆଯିବ। ତାଛଡ଼ା, ଏସ୍‌ସିବିର ଟ୍ରାଫିକ୍‌ ସମସ୍ୟାର ସମାଧାନ, ମେଡିକାଲର ସୌନ୍ଦର୍ଯ୍ୟୀକରଣ ଓ ନବ‌କଳେବର ଯୋଜନା ପାଇଁ ସରକାର ଯେଉଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି, ତା’ ଯେପରି ସୂଚାରୁ ରୂପେ ସମ୍ପାଦିତ ହେବ ତା’ ଉପରେ ଗୁରୁତ୍ବ ଦିଆଯିବ। ଏଥିସହ ଡାକ୍ତର, ପାରାମେଡିକାଲ କର୍ମଚାରୀ, ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ କଲ୍ୟାଣ ଉପରେ ଗୁରୁତ୍ବ ଦେବେ ବୋଲି ‘ସମ୍ବାଦ’କୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ଏସ୍‌ସିବିରେ ଆଜି ଅନୁଷ୍ଠିତ ହୋଇଥିବା ବିଦାୟକାଳୀନ ସମ୍ବର୍ଦ୍ଧନାରେ ଏସ୍‌ସିବି ଡିନ୍‌ ତଥା ଅଧ୍ୟକ୍ଷା ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି, ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ ଶତପଥୀ, ଅତିରିକ୍ତ ଅଧୀକ୍ଷକ ଆସୋସିଏଟ୍‌ ପ୍ରଫେସର ଡାକ୍ତର ଶ୍ରୀକାନ୍ତ ପଣ୍ଡା, ପ୍ରାଶାସନିକ ଅଧିକାରୀ କଳ୍ପତରୁ ବେହେରାଙ୍କ ସମେତ ବହୁ ବିଶେଷଜ୍ଞ, ମେଡିକାଲ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।