କଟକ: ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥାର ମୂଳ କୁହାଯାଉଥିବା ସରକାରୀ ମେଡିକାଲ କଲେଜରେ ବି ଏବେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ। ଫଳରେ ଅବସରପ୍ରାପ୍ତ ପ୍ରଫେସରଙ୍କୁ ଥଇଥାନ କରି ନ୍ୟାସନାଲ ମେଡିକାଲ କମିସନ(ଏନ୍ଏମ୍ସି)ର ମାନଦଣ୍ଡକୁ ପୂରଣ କରୁଛି ସ୍ବାସ୍ଥ୍ୟ ବିଭାଗ। ତାହାକୁ ନେଇ ବି ସମସ୍ୟା ବଢିବାରେ ଲାଗିଛି। ତଥ୍ୟ ଅନୁଯାୟୀ କେବଳ କଟକ ବଡ଼ଡାକ୍ତରଖାନାରେ ୧୦ରୁ ଅଧିକ ଅବସରପ୍ରାପ୍ତ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଛି। ଅନ୍ୟପଟେ ଏସ୍ସିବିରେ ପ୍ରାୟ ସବୁ ବିଭାଗରେ ଆସୋସିଏଟ୍ ପ୍ରଫେସର ପଦ ଫାଙ୍କା ପଡିଛି। ମେଡିସିନ୍ ବିଭାଗ ମାତ୍ର ଜଣେ ଆସୋସିଏଟ୍ ପ୍ରଫେସରଙ୍କୁ ନେଇ ଚାଲିଥିବାବେଳେ ଅସ୍ଥିଶଲ୍ୟ ବିଭାଗ ଦୁଇ ଜଣ ଅଛନ୍ତି। ଫାର୍ମାକୋଲୋଜି ବିଭାଗ ଆସୋସିଏଟ୍ ପ୍ରଫେସର ଶୂନ୍ୟ ହୋଇପଡିଛି।
କଟକ ବଡଡାକ୍ତରଖାନାର ସବୁଠୁ ବ୍ୟସ୍ତବହୁଳ ବିଭାଗ ହେଉଛି ମେଡିସିନ୍ ବିଭାଗ। ଏହି ବିଭାଗ ଚାଲିଛି ମାତ୍ର ଜଣେ ଆସୋସିଏଟ୍ ପ୍ରଫେସରଙ୍କୁ ନେଇ। ବିଭାଗରେ ୪ଟିରୁ ଗୋଟିଏ ପ୍ରଫେସର ପଦ ଖାଲିପଡିଥିବାରୁ ସେହି ପଦରେ ଅବସରପ୍ରାପ୍ତ ପ୍ରଫେସରଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଛି। ବିଭାଗରେ ୮ଟି ଆସୋସିଏଟ୍ ପ୍ରଫେସରଙ୍କ ମଧ୍ୟରୁ ମାତ୍ର ଜଣେ ଅଛନ୍ତି। ଆସିଷ୍ଟାଣ୍ଟ ପ୍ରଫେସର ପଦ ୧୮ଟି ଥିବାବେଳେ ୨୧ଜଣ ରହିଛନ୍ତି ଓ ଏସ୍ଆର ୧୪ଜଣ ରହିବା ସ୍ଥାନରେ ୧୬ଜଣ ରହିଛନ୍ତି। ଫଳରେ ଆସିଷ୍ଟାଣ୍ଟ ପ୍ରଫେସର, ଏସ୍ଆର ଓ ପିଜି ଡାକ୍ତରଙ୍କ ଭରସାରେ ଚାଲିଛି ବିଭାଗ। ଏସ୍ସିବିରେ ଏଣ୍ଡୋକ୍ରାଇନୋଲୋଜି, ୟୁରୋଲୋଜି, ମେଡିସିନ୍, ପ୍ଲାଷ୍ଟିକ୍ ସର୍ଜରି, ସର୍ଜରି, ଗ୍ୟାଷ୍ଟ୍ରାଲୋଜି, ମାଇକ୍ରୋବାୟୋଲୋଜି, ରୁମାଟୋଲୋଜି, ହେପାଟୋଲୋଜି, ଫିଜିଓଲୋଜି ଆଦି ବିଭିନ୍ନ ବିଭାଗରେ ୧୦ରୁ ଅଧିକ ଅବସରପ୍ରାପ୍ତ ପ୍ରଫେସରଙ୍କୁ ନିଯୁକ୍ତ କରାଯାଇଛି। ଅନାଟୋମି ବିଭାଗ ବିନା ପ୍ରଫେସରରେ ଚାଲିଛି। ଏସ୍ସିବିରେ ସବୁ ବିଭାଗରେ ପାଖାପାଖି ୪୫ଟି ସହଯୋଗୀ ପ୍ରଫେସର ପଦ ଖାଲି ପଡିଛି । ଏଭଳି ସ୍ଥିତି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନଠାରୁ ଆରମ୍ଭ କରି ଚିକିତ୍ସା ବ୍ୟବସ୍ଥାକୁ ଗୁରୁତର ଭାବେ ପ୍ରଭାବିତ କରୁଛି।