ପ୍ରକୃତିକୁ ଭଲ ପାଅ, ପ୍ରଶସ୍ତ ଚିନ୍ତାଧାରା ନେଇ ସେବା ଯୋଗାଅ

ଏସ୍‌ସିବିର ପ୍ଲାଟିନମ୍‌ ଜୁବୁଲି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ପରାମର୍ଶ

ଉନ୍ମୋଚିତ ହେଲା ସ୍ମାରକୀ ଡାକ ଟିକଟ

କଟକ : ଡାକ୍ତରମାନ ଏକ ଛୋଟ ବିଶ୍ବ ଭିତରେ କାର୍ଯ୍ୟ କରୁଛନ୍ତି। ରୋଗୀ ସେବା ପାଇଁ ଡାକ୍ତର ଯାହା କରୁଛନ୍ତି, ସେସବୁ ପ୍ରକୃତି ସହିତ ଜଡ଼ିତ। ତେଣୁ ରୋଗୀ ସେବାରେ ନିୟୋଜିତ ହେବା ପୂର୍ବରୁ ପ୍ରକୃତିକୁ ଭଲ ପାଇବା ଆବଶ୍ୟକ। ଡାକ୍ତର ସର୍ବଦା ଭଗବାନଙ୍କ ଅମୂଲ୍ୟ ଉପହାରର ଚିକିତ୍ସା କରୁଛନ୍ତି। ତେଣୁ ନିଜ ପେସାରେ ସବୁବେଳେ ଶ୍ରେଷ୍ଠତ୍ବ ପରିପ୍ରକାଶ କରିବା ଆବଶ୍ୟକ। ନୂଆନୂଆ ପରୀକ୍ଷା କରିବା ସହ କିଛି ଉଦ୍ଭାବନ କରିବା ଦିଗରେ ଧ୍ୟାନ ଦିଆଯିବା ଉଚିତ। ତାହେଲେ ଯାଇ ସେମାନେ ଠିକ୍‌ ନିର୍ଯ୍ୟାସରେ ପହଞ୍ଚି ପାରିବେ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏସ୍‌ସିବିର ପ୍ଲାଟିନମ୍‌ ଜୁବୁଲି ଉପଲକ୍ଷେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି।

ଏସ୍‌ସିବି ମେଡିକାଲ କଲେଜର ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତାଙ୍କ ଅଧ୍ୟକ୍ଷତାରେ ଅଡିଟୋରିୟମ୍‌ରେ ହୋଇଥିବା ଏହି ସାନ୍ଧ୍ୟ ଅଧିବେଶନରେ ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଡାକ୍ତରମାନେ ୧୨ଟି ଗୁଣର ସ୍ବାମୀ। ସେମାନଙ୍କ ପାଖରେ ଧୈର୍ଯ୍ୟ, ନିଷ୍ଠା, ନୂଆ କରିବାର କଳା ଭରପୂର ହୋଇ ରହିଛି। ଡାକ୍ତର ଯାହାବି କରନ୍ତି ନିଖୁଣ ଭାବେ ତାହାକୁ ସମ୍ପାଦିତ କରିଥାନ୍ତି। ତାହାହିଁ ସେମାନଙ୍କୁ ଅନ୍ୟ ଲୋକମାନଙ୍କଠୁ ଅଲଗା କରିଥାଏ। ଚିକିତ୍ସାବେଳେ ଡାକ୍ତର ବିଭିନ୍ନ ରୂପରେ ରୋଗୀର ସେବା କରିଥାନ୍ତି। ଶରୀର, ମନ ଓ ଆତ୍ମା ଏହି ତିନୋଟି କଥାକୁ ସେମାନେ ଧ୍ୟାନରେ ରଖୁଥିବା ରାଜ୍ୟପାଳ କହିଥିଲେ। ସେ ଏହାମଧ୍ୟ କହିଥିଲେ ଯେ, ଜଣେ ଡାକ୍ତର ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚିକିତ୍ସା କରିବା ବେଳେ କୌଣସି ଧର୍ମ, ବର୍ଣ୍ଣ, ଜାତି ଇତ୍ୟାଦିକୁ ଦେଖା ଯାଇନଥାଏ। ଡାକ୍ତରଙ୍କ ଗୋଟିଏ ଧର୍ମ ହେଉଛି ମାନବିକତା। ପ୍ରଭୂ ଜଗନ୍ନାଥଙ୍କ ଦେଶରେ ଜାତି ହେଉଛି ମଣିଷ। ଦେଶ ହେଉଛି ଅଖିଳ ବିଶ୍ବ ଏବ˚ ଏ ସବୁ କିଛି ମହାପ୍ରଭୂ ଜଗନ୍ନାଥଙ୍କ ଦ୍ବାରା ପରିଚାଳିତ ହେଉଛି। ଜଗନ୍ନାଥଙ୍କୁ ଛାଡ଼ିଦେଲେ ଏଠାରେ ଆଉ କେହି ଶାସକ ନାହାନ୍ତି। ତେଣୁ ରୋଗୀସେବା ବେଳେ ଶରୀର ଓ ଆତ୍ମା ପ୍ରତି ମାନବିକତା ପ୍ରଦର୍ଶନ କରିବା ସହିତ ଏକ ପ୍ରଶସ୍ତ ଚିନ୍ତାଧାରା ନେଇ ସେବା ଯୋଗାଇ ପାରିଲେ ଜଣେ ପାରଦର୍ଶି ଡାକ୍ତର ହୋଇପାରିବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଏସ୍‌ସିବି ମେଡିକାଲ୍‌ କଲେଜର ୭୫ ବର୍ଷ ପୂର୍ତ୍ତି ଅବସରରେ ଡାକ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ଡାକ ଟିକଟକୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ। ଏଥିସହିତ ସ୍ବତନ୍ତ୍ର ସ୍ମରଣିକା ଏବ˚ ପ୍ଲାଟିନମ୍‌ ଜୁବୁଲି ବିଶେଷାଙ୍କ ‘ସିରିଞ୍ଜ ଭିତରେ କାଳିକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ପରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ ଶୁଭେନ୍ଦୁ ସ୍ବାଇଁ ଓଡ଼ିଶାରେ ହୋଇଥିବା ସ୍ମାରକୀ ଡାକଟିକଟ ସ˚ପର୍କରେ ସମ୍ୟକ ସୂଚନା ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ଓଡ଼ଶାରେ ୪୬ଟି ସ୍ମାରକୀ ଡାକଟିକଟ ଛପା ହୋଇଥିଲା ବେଳେ ଏଥିମଧ୍ୟରେ ତିନୋଟି ଶିକ୍ଷାନୁଷ୍ଠାନ ରହିଛି। ଏସ୍‌ସିବି ଚତୁର୍ଥ ଶିକ୍ଷାନୁଷ୍ଠାନ ଭାବେ ଏହି ତାଲିକାରେ ସାମିଲ ହେଲା। ଏହାବାଦ୍‌ ସାରା ଭାରତରେ ୧୦୦ ମେଡିକାଲ୍‌ କଲେଜ ମଧ୍ୟରୁ ମାତ୍ର ୧୬ଟି କଲେଜ ସ୍ମାରକୀ ଡାକ ଟିକଟ ବାହାର କରିଥିଲା ବେଳେ ଏସ୍‌ସିବି ୧୭ତମ ମେଡିକାଲ୍‌ କଲେଜ ଭାବେ ସ୍ଥାନ ପାଇଥିବା ଶ୍ରୀ ସ୍ବାଇଁ ଅବଗତ କରାଇଥିଲେ। ଏହି ଅବସରରେ ଏସ୍‌ସିବିର ପ୍ରଥମ ବ୍ୟାଚ ଛାତ୍ର ପ୍ରଫେସ ବି. ରାଜଗୁରୁ ଏବ˚ ଡାକ୍ତର କେ. ଲକ୍ଷ୍ମୀବାଇ ଉପସ୍ଥିତ ରହି ସେମାନଙ୍କ ଅଭିଜ୍ଞତା ବାଣ୍ଟିଥିଲେ। ପୁରାତନ ଛାତ୍ର ସ˚ସଦର ସଭାପତି ପ୍ରଫେସର ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ପ୍ରାରମ୍ଭିକ ଭାଷଣ ଓ ସମ୍ପାଦକ ଏସ୍‌.ପି. ସି˚ହ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର