ଏସ୍‌ସିବି ପୁନର୍ବିନ୍ୟାସ ଥଇଥାନ ଓ ସହାୟତା ପ୍ୟାକେଜ୍‌କୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ୍ ଓ ହସ୍ପିଟାଲ୍‌ର ପୁନର୍ବିନ୍ୟାସ କାର୍ଯ୍ୟକ୍ରମରେ କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜ୍‌କୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ରାଜ୍ୟର ପ୍ରମୁଖ ଚିକିତ୍ସାସେବା ଅନୁଷ୍ଠାନ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ୍ ଓ ହସ୍ପିଟାଲ୍‌ର ପୁନର୍ବିନ୍ୟାସ କରି ଏହାକୁ ଏକ ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରତିଷ୍ଠାନ ଭାବରେ ବିକଶିତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ତଦନୁଯାୟୀ ଏହାର ସଂପ୍ରସାରଣ କରି ଏହାକୁ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଓ ଗବେଷଣା ସୁବିଧା ସହିତ ୩୦୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସା ପ୍ରତିଷ୍ଠାନ ଭାବରେ ଗଢ଼ିବାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଏହି ଯୋଜନାରେ କ୍ଷତିଗ୍ରସ୍ତ ହେଉଥିବା ଲୋକମାନଙ୍କ ପାଇଁ ସହାୟତା ଓ ଥଇଥାନ ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଘୋଷଣା କରାଯାଇଛି। ଏହି ପ୍ୟାକେଜରେ ସ୍ଥାୟୀ ବାସଗୃହ, ଅନଧିକୃତ ଭାବରେ ନିର୍ମିତ ବାସଗୃହ, ମାଛ ମାର୍କେଟ କମ୍ପ୍ଲେକ୍ସ, ସ୍ଥାୟୀ ଦୋକାନ ଘର, ଅନଧିକୃତ ଭାବରେ ନିର୍ମିତ ଦୋକାନଗୃହ, ଉଠାଦୋକାନୀ, ଧାର୍ମିକ ଅନୁ‌ଷ୍ଠାନ, କ୍ଲବ୍‌ ଓ ଗୁହାଳ ଆଦିକୁ ଅନ୍ତର୍ଭୁକ୍ତ କରାଯାଇଛି।

scbmch.nic.in

ଏସସିବି ପୁଃନବିନ୍ୟାସ ପ୍ରକଳ୍ପ ହେତୁ ପ୍ରଭାବିତ ହେବାକୁ ଥିବା ଲୋକଙ୍କ ପାଇଁ ଥଇଥାନ ଓ କ୍ଷତିପୂରଣ ବାବଦରେ ପ୍ରତି ପରିବାରକୁ ପରିବହନ ଖର୍ଚ୍ଚ, ଜରୁରୀ ବ୍ୟବସ୍ଥା ପାଇଁ ୧ ଲକ୍ଷ ଟଙ୍କା ଦିଆଯିବ। ଆରମ୍ଭରୁ ଗୋଟିଏ କିସ୍ତି ଓ ଜମି ଖାଲି ପରେ ଦ୍ୱିତୀୟ କିସ୍ତି ମିଳିବ ।  ଅନଧିକୃତ ଦୋକାନ ଗୃହ ପାଇଁ ଏକକାଳୀନ ୩୦ ହଜାର ଟଙ୍କା , ଉଠା ଦୋକାନୀଙ୍କୁ ଏକକାଳୀନ ୨୦ ହଜାର ଟଙ୍କା ସହାୟତା, ଧାର୍ମିକ ଅନୁଷ୍ଠାନ ଓ କ୍ଲବ ପାଇଁ ୧ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ସେହିପରି ଗାଈ ଗୁହାଳ ସ୍ଥାନାନ୍ତର ପାଇଁ ଏକକାଳୀନ ୨୦ ହଜାର ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହାଛଡ଼ା ସରକାରୀ କ୍ୱାଟର୍ସ ଖାଲି କରୁଥିବା କର୍ମଚାରୀମାନଙ୍କୁ  ଘରଭଡ଼ା ବାବଦରେ ମାସିକ  ୫ ହଜାର ଟଙ୍କାରୁ ୧୨ ହଜାର ୫୦୦ ଟଙ୍କା ଯାଏଁ ସହାୟତା ଦିଆଯିବ ବା ନୂଆ କ୍ବାଟର୍ସ ମିଳିବା ଯାଏଁ ଏହି ସହାୟତା ଦିଆଯିବ ।

୨୦୧୩ ଥଇଥାନ ଓ ପୁନର୍ବାସ ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ କ୍ଷତିପୂରଣ ଦିଆଯିବ। ଏହି ଥଇଥାନ ଓ ପୁନର୍ବାସ ନୀତି କଟକ ଜିଲ୍ଳାପାଳଙ୍କ ଦ୍ବାରା କାର୍ଯ୍ୟକାରୀ କରାଯିବ। ଯେହେତୁ ଏହି ପ୍ରକଳ୍ପ ପାଇଁ ଜମି ଓ ସମ୍ପତ୍ତି ଅଧିଗ୍ରହଣ ଆଲୋଚନା ଭିତ୍ତିରେ କରାଯିବ, ସେଥିପାଇଁ କେନ୍ଦ୍ରାଞ୍ଚଳ ଆର୍‌.ଡି.ସିଙ୍କ ଅନୁମୋଦନକ୍ରମେ କଟକ ଜିଲ୍ଲାପାଳ ଆବଶ୍ୟକସ୍ଥଳେ ସହାୟତାରେ ବୃଦ୍ଧି ବା ପରିବର୍ତ୍ତନ ସଂପର୍କରେ ନିଷ୍ପତ୍ତି ନେଇପାରିବେ। ଏହି ଥଇଥାନ ପୁନର୍ବାସ ପ୍ୟାକେଜ କାର୍ଯ୍ୟକାରୀ କରିବାପାଇଁ କଟକ ଜିଲ୍ଲାପାଳଙ୍କୁ ସରକାର ପାଣ୍ଠି ଯୋଗାଇ ଦେବେ ବୋଲି ଏଥିରେ କୁହାଯାଇଛି।

ସମ୍ବନ୍ଧିତ ଖବର