କଟକ: ଗଲା ୧୫ଦିନରୁ ଅଧିକ ହେବ ଏସ୍‌ସିବି ଶବ ବ୍ୟବଚ୍ଛେଦ ଗୃହରେ ଥିବା ଫ୍ରିଜର ଅଚଳ ହୋଇପଡିଛି। ଯାହାଫଳରେ ସେଠାରେ ରଖା ଯାଉଥିବା ଶବ ପଚି ଯାଉଛି। ଏଭଳି ସ୍ଥିତିରେ ପ୍ରବଳ ଦୁର୍ଗନ୍ଧରେ ନିକଟରେ ଥିବା ଚର୍ମ ରୋଗ ବିଭାଗ ଓ ଡାଇରିଆ ୱାର୍ଡରେ ରହିବା ମୁସ୍କିଲ ହୋଇ ପଡିଛି। ଦୁଇଟି ଯାକ ୱାର୍ଡରେ ରୋଗୀ ଓ କର୍ମଚାରୀ ହନ୍ତସନ୍ତ ହେଉଛନ୍ତି। ଗତ କିଛି ଦିନ ତଳେ ଏସ୍‌ସିବିରେ ଅନୁଷ୍ଠିତ ସ୍ବାସ୍ଥ୍ୟ ସମିତି ବୈଠକରେ ଏହି ପ୍ରସଙ୍ଗ ଉଠିଥିଲା। ଫ୍ରିଜର ଯେପରି ଠିକ୍‌ ଭାବରେ କାମ କରିବ ତାର ମରାମତି ଦାୟିତ୍ବ ଆରଏଣ୍ଡବିକୁ ହସ୍ତାନ୍ତର କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ତା’ ସତ୍ତ୍ବେ ବି ଠିକ୍‌ ହୋଇପାରୁନି ଫ୍ରିଜର୍‌।

Advertisment

ଏସ୍‌ସିବି ଶବସଂରକ୍ଷଣ ଗୃହରେ ରହିଛି ୬ଟି ଫ୍ରିଜର। ସେଠି ଶବବ୍ୟବଚ୍ଛେଦ ପରେ ଅପରିଚିତ ଶବ ସବୁ ରଖାଯାଏ। ସରକାରୀ ବ୍ୟବସ୍ଥା ଅନୁସାରେ, ଯଦି ଜଣେ ଅସହାୟ ଓ ଅପରିଚିତ ବ୍ୟକ୍ତିଙ୍କ ମୃତ୍ୟୁ ଘଟେ, ତେବେ ବ୍ୟବଚ୍ଛେଦ ଶବକୁ ୩୬ ଘଣ୍ଟା ପର୍ଯ୍ୟନ୍ତ ସଂରକ୍ଷଣ କରି ରଖିବା କଥା। କିନ୍ତୁ ଫ୍ରିଜର୍‌ ଅଚଳ ସମସ୍ୟା ଯୋଗୁଁ ଶବ ସବୁ ପଚିସଢି ଯାଉଛି। ଦୁର୍ଗନ୍ଧରେ ନାକ ଫାଟୁଛି। ଏସ୍‌ସିବିରେ ଏଭଳି ବାରମ୍ବାର ଫ୍ରିଜର ଅଚଳ ସମସ୍ୟା ଲାଗିରହୁଛି। ଏହାକୁ ନେଇ ତୀବ୍ର ଅସନ୍ତୋଷ ଦାନା ବାନ୍ଧୁଛି। ସ୍ବାସ୍ଥ୍ୟ ସମିତି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇପାରୁନି। ଅନ୍ୟପଟେ ଏସ୍‌ସିବି କର୍ତ୍ତୃପକ୍ଷ ଫ୍ରିଜର ଅଚଳ କଥାକୁ ସ୍ବୀକାର କରିବା ସହ ଏଥିପାଇଁ ଏବେ ଆନାଟୋମି ବିଭାଗରେ ରହିଥିବା ଫ୍ରିଜରରେ ଶବ ରଖାଯାଉଥିବା ସୂଚନା ଦେଇଛନ୍ତି। ଏ ସଂପର୍କରେ ଆରଡିସିଙ୍କୁ ସ୍ବେଚ୍ଛାସେବୀ ଅଚ୍ୟୁତ ସାହୁ ସ୍ମାରକପତ୍ର ଦେଇଛନ୍ତି।