କଟକ: ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ କଟକ ଏସ୍‌ସିବି ମେଡିକାଲ କଲେଜର ଛାତ୍ରଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାର ଘଟଣାରେ ଏକ ଆଭ୍ୟନ୍ତରୀଣ କମିଟି ଗଠନ ହୋଇଛି। ଏସ୍‌ସିବି କର୍ତ୍ତୃପକ୍ଷ ଏହି କମିଟି ଗଠନ କରିଛନ୍ତି। କମିଟିର ମୁଖ୍ୟ ଭାବେ ଏସ୍‌ସିବି ମେଡିକାଲ କଲେଜ ଡିନ୍‌ ତଥା ପ୍ରିନ୍‌ସିପାଲ୍ ପ୍ରଫେସର ଡାକ୍ତର ଲୁସି ଦାସ ରହିବେ। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ଓ ପରବର୍ତ୍ତୀ ଆଭିମୁଖ୍ୟ କ’ଣ ରହିବ, ଏ ନେଇ କମିଟି ତଦନ୍ତ କରିବାକୁ ଯାଉଥିବା ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

Advertisment

କମିଟି ମୁଖ୍ୟ ହେଲେ ଡିନ୍ 
ଡିଏମ୍‌ଇଟିକୁ ଲିଖିତ ଭାବେ ଜଣାଇଲେ

ସୂଚନା ଅନୁଯାୟୀ, ୟୁଜି ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଆନ୍ତଃ ମେଡିକାଲ କଲେଜ ଫେଷ୍ଟ୍‌ରେ ଯୋଗଦେବାକୁ ଗଲା ୧୩ ତାରିଖରେ ଏସ୍‌ସିବି ମେଡିକାଲ କଲେଜର ୧୩୦ ଜଣ ପିଜି, ୟୁଜି ଓ ହାଉସ୍‌ସର୍ଜନ୍‌ ଯାଇଥିଲେ। କିନ୍ତୁ ସେଦିନ ରାତିରେ ଏମ୍‌କେସିଜିର ଛାତ୍ରମାନେ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ଏସ୍‌ସିବିର ଡାକ୍ତରୀ ଛାତ୍ରମାନେ ମଙ୍ଗଳବାର ଡିନ୍ ପ୍ରଫେସର ଡାକ୍ତର ଦାସଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଏଭଳି ଆଲୋଚନା ପରେ ଏକ କମିଟି ଗଠନ କରାଯାଇଛି। ଏଭଳି ଅଘଟଣ ଏମ୍‌କେସିଜିରେ ଘଟିଥିବା ବେଳେ ଭବିଷ୍ୟତରେ ରାଜ୍ୟସ୍ତରୀୟ ଆନ୍ତଃ ମେଡିକାଲ କଲେଜ ଫେଷ୍ଟ ଆୟୋଜିତ ହେଲେ ଏଥିରେ ଏସ୍‌ସିବି ମେଡିକାଲ କଲେଜର ଡାକ୍ତରୀ ଛାତ୍ରମାନେ ଯୋଗଦେବେ ନା ନାହିଁ, ସେ ନେଇ କମିଟି ନିଷ୍ପତ୍ତି ନେବ। ଏହା ସହିତ ଆକ୍ରମଣ ଘଟଣା ସମ୍ପର୍କରେ ଡିଏମ୍‌ଇଟିଙ୍କୁ ମଧ୍ୟ ଲିଖିତ ଆକାରରେ ଦିଆଯାଇଛି। ଏହି କମିଟିରେ ଏସ୍‌ସିବି ମେଡିକାଲ କଲେଜ ଡିନ୍‌ ତଥା ପ୍ରିନ୍‌ସିପାଲ୍ ପ୍ରଫେସର ଡାକ୍ତର ଲୁସି ଦାସ କମିଟିର ମୁଖ୍ୟ ଥିବା ବେଳେ ଅଧୀକ୍ଷକ ପ୍ରଫେସର ଡାକ୍ତର ଗୌତମ ଶତପଥୀ ଏବଂ ଅନ୍ୟ ବରିଷ୍ଠ ଡାକ୍ତରମାନେ ସାମିଲ ହୋଇଥିବା ଏସ୍‌ସିବି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।