କଟକ : ଡାକ୍ତରୀ ସେବା ଏକ ବୃତ୍ତି ନୁହେଁ, ବ୍ରତ। ଭାରତୀୟ ସଂସ୍କୃତିରେ ନରସେବାକୁ ନାରାୟଣ ସେବା ବୋଲି କୁହାଯାଏ। ଗାଁ ଗହଳିରେ ଲୋକେ ଡାକ୍ତର, ଓକିଲ ଓ ଶିକ୍ଷକଙ୍କୁ ଭଗବାନ ବୋଲି ମାନନ୍ତି। ଡାକ୍ତରମାନେ ନିଷ୍ଠାର ସହିତ ସେବା କରି ରୋଗୀଙ୍କୁ ଭଲ କରି ପାରନ୍ତି। ଭଗବାନଙ୍କୁ ଆମେ ଦେଖି ନାହୁଁ। କିନ୍ତୁ ଡାକ୍ତରମାନେ ତାଙ୍କର ସେବା ବଳରେ ରୋଗୀଙ୍କୁ ଭଲ କରନ୍ତି। ଶାସକ, ପ୍ରଶାସକ, ଇଂଜିନିୟର, ଅଧ୍ୟାପକ ସମସ୍ତେ ଦୁଃଖୀ ଲୋକଙ୍କର ସେବା କରିପାରିବେ କିନ୍ତୁ ଲୋକଙ୍କର ‘ଯନ୍ତ୍ରଣା କେବଳ ଜଣେ ଡାକ୍ତର ହିଁ ଦୂର କରିପାରେ। ସେବା ପ୍ରତି ଆନ୍ତରିକତା ନଥିଲେ, ଜଣେ ବ୍ୟକ୍ତି ଭଲ ଡାକ୍ତର ହୋଇପାରିବେ ନାହିଁ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ (ଏସ୍ସିବି) ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାର ଛାତ୍ର ସଂସଦ ବାର୍ଷିକ ଉତ୍ସବ ‘ଅରୋରାରେ ଯୋଗଦେଇ ରାଷ୍ଟ୍ରପତି ଶ୍ରୀମତି ମୁର୍ମୁ ଏସ୍ସିବିକୁ ମିନି ଇଣ୍ଡିଆ ଭାବେ ବର୍ଣ୍ଣନା କରିଛନ୍ତି । ଏହା ଏକ ସର୍ବଭାରତୀୟ ଅନୁଷ୍ଠାନ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଏଠାରୁ ଡାକ୍ତରୀ ପଢ଼ିବାକୁ ପିଲାମାନେ ଆସୁଛନ୍ତି। କିନ୍ତୁ ଆଜି ବି ଅନେକ ରୋଗ ଚିହ୍ନଟ ହୋଇପାରୁନି କି ଔଷଧ ବାହାରିପାରୁନି। ସେଥିପାଇଁ ଅଧିକ ଗବେଷଣା ଆବଶ୍ୟକ। ତେଣୁ କେବଳ ରୋଗୀ ଚିକିତ୍ସା ନୁହେଁ ଗବେଷଣା କ୍ଷେତ୍ରରେ ମଧ୍ୟ ଡାକ୍ତରୀ ଛାତ୍ରଛାତ୍ରୀ ଆଗେଇ ଆସିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି।
ଏସ୍ସିବି ମେଡିକାଲ କଲେଜ ହେଉଛି ମିନି ଇଣ୍ଡିଆ
/sambad/media/post_attachments/wp-content/uploads/2023/07/president-scb-608x430.jpg)
ରାଷ୍ଟ୍ରପତି କହିଛନ୍ତି ଯେ କୋଭିଡ ମହାମାରୀ ସମୟରେ ଡାକ୍ତରଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ। ଭାରତ ନିଜ ଜ୍ଞାନକୌଶଳରେ ଟିକା ଉତ୍ପାଦନ କରିପାରିଛି। ଭାରତ ସମଗ୍ର ବିଶ୍ବବାସୀଙ୍କୁ ୨୨୨୦ କୋଟି ଟିକା ଦେଇପାରିଛି। ୨୦୪୭ରେ ଭାରତ ସ୍ବାଧୀନତାର ଶତବାର୍ଷିକୀ ପାଳନ କରିବ। ସେତେବେଳକୁ ଭାରତ ପୂର୍ଣ୍ଣ ବିକଶିତ ଦେଶ ହେବା ଲକ୍ଷ୍ୟରେ ସମସ୍ତେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ରାଷ୍ଟ୍ରପତି କହିଛନ୍ତି। ଏକ ଛୋଟ ତୀର୍ଥଯାତ୍ରୀ ଡାକ୍ତରଖାନାରୁ ଆରମ୍ଭ ହୋଇ ଆଜି ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏସ୍ସିବି ମେଡିକାଲ କଲେଜର ମହତ ପରମ୍ପରାକୁ ଡାକ୍ତରୀ ଛାତ୍ରମାନେ ବଜାୟ ରଖିବେ ବୋଲି ଏହି ଅବସରରେ ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି।
କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଯୋଗ ଦେଇ ଡାକ୍ତରଙ୍କୁ ଜଗନ୍ନାଥଙ୍କ ସହିତ ତୁଳନା କରିବା ସହିତ ଏସ୍ସିବି ଡାକ୍ତରଙ୍କ କାର୍ଯ୍ୟ ପ୍ରସଂଶନୀୟ ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଂଜନ ପୂଜାରୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଷାରେ ପ୍ରତ୍ୟେକଙ୍କ ଜୀବନ ମୂଲ୍ୟବାନ। ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେଉଛନ୍ତି, ଯାହାକୁକି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା କରାଯାଉଛି। ଏସ୍ସିବିକୁ ଏମ୍ସ ପ୍ଲସ ହସ୍ପିଟାଲରେ ପରିଣତ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ପୂଜାରୀ କହିଥିଲେ।
କାର୍ଯ୍ୟକ୍ରମରେ ଏସସିବିର ଡିନ୍ ତଥା ପ୍ରିନ୍ସିପାଲ ପ୍ରଫେସର ଡାକ୍ତର ପ୍ରସେନଜିତ ମହାନ୍ତି ସ୍ବାଗତ ଅଭିଭାଷଣ ଦେଇଥିଲେ। ଏସ୍ସିବି ମେଡିକାଲ କଲେଜ ତରଫରୁ ରାଷ୍ଟ୍ରପତି, ରାଜ୍ୟପାଳ, ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମୃତିଫଳକ ସ୍ବରୂପ ବାଲିଯାତ୍ରାର ପ୍ରତୀକ ଓ ତାରକସୀ ରୂପା ବୋଇତ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଛାତ୍ରସଂସଦର ବାର୍ଷିକ ବିଶେଷାଙ୍କ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ରାଜ୍ୟପାଳ ଏହାକୁ ଉନ୍ମୋଚନ କରି ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ। ଛାତ୍ରସଂସଦର ସାଧାରଣ ସଂପାଦକ ବିଭାସ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/president-in-scb.jpg)