କଟକ : ଦୀର୍ଘ ଦିନ ଧରି ଯକ୍ଷ୍ମା ରୋଗରେ ପୀଡ଼ିତ ଜଣେ ଯୁବକ ଆଜି କଟକ ବଡ଼ ମେଡିକାଲରେ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଉଛନ୍ତି ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ରଘୁନାଥପୁରର ପରମାନନ୍ଦ ତରାଇଙ୍କ ପୁଅ ଧନଞ୍ଜୟ ତରାଇ। ଆଜି ସକାଳେ ଧନଞ୍ଜୟଙ୍କ ମୃତଦେହକୁ ଏସ୍ସିବି ମେଡିକାଲ୍ ଟିବି ଓ ଚେଷ୍ଟ ଓ୍ଵାର୍ଡ ସମ୍ମୁଖରେ ଥିବା ଏକ ନିର୍ମାଣାଧୀନ କୋଠା ପରିସରରୁ ଉଦ୍ଧାର କରାଯାଇଛି। ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ଜୁନ୍ ମାସରୁ ଧନଞ୍ଜୟ ଯକ୍ଷ୍ମା ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ମଝିରେ ମଝିରେ ଏସ୍ସିବି ଆଉଟଡୋରକୁ ଯାଇ ସେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଆସୁଥିଲେ। ହେଲେ ଗତ କିଛିଦିନ ହେବ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବାରୁ ଗତ ୯ ତାରିଖରେ ତାଙ୍କୁ ଟିବି ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ବାପା ଜଳଖିଆ ଆଣିବାକୁ ବାହାରକୁ ଯାଇଥିଲାବେଳେ ମା’ଙ୍କୁ ଗାଧେଇବାକୁ ଯିବାକୁ ଧନଞ୍ଜୟ କହିଥିଲେ। ମା’ ଗାଧେଇବାକୁ ଚାଲିଯିବା ପରେ ବାପା ଫଳ କାଟିବାକୁ ଗାଁରୁ ଆଣିଥିବା ଛୁରୀଟିକୁ ନେଇ ଓ୍ଵାର୍ଡ ସମ୍ମୁଖରେ ନିର୍ମାଣାଧୀନ କୋଠାକୁ ଚାଲିଯାଇଥିଲେ। ଆଜି ଉକ୍ତ କୋଠାରେ କୌଣସି ଶ୍ରମିକ କିମ୍ବା ଠିକାଦାର ନଥିବା ସୁଯୋଗ ନେଇ ଧନଞ୍ଜୟ ସେଠାରେ ଆତ୍ମହତ୍ୟା କରିବାକୁ ଠିକ୍ ସ୍ଥାନ ବାଛିନେଇଥିଲେ। ପ୍ରଥମେ ବାମ ହାତର ଶିରା କାଟିଦେଇଥିଲେ ଓ ପରେ ଗଳା କାଟିଥିଲେ। ଧନଞ୍ଜୟଙ୍କ ରକ୍ତ ଜୁଡୁବୁଡୁ ଶବକୁ ସ୍ଥାନୀୟ କିଛି ରୋଗୀ ସମ୍ପର୍କୀୟ ଦେଖିବା ପରେ ପୁଲିସ୍କୁ ଖବର ଦେଇଥିଲେ। ମଙ୍ଗଳାବାଗ ଥାନା ଓ ମେଡିକାଲ୍ ଫାଣ୍ଡି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଭାବେ ଏହାକୁ ଏକ ହତ୍ୟା ବୋଲି ଭାବି ନେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଧନଞ୍ଜୟଙ୍କ ବାପା ଏହାକୁ ଆତ୍ମହତ୍ୟା ବୋଲି ପ୍ରମାଣ କରାଇଥିଲେ। ମୃତ୍ୟୁରେ ବ୍ୟବହାର ହୋଇଥିବା ଛୁରୀକୁ ଚିହ୍ନିବା ସହ ଧନଞ୍ଜୟ ମାନସିକ ବିକାରଗ୍ରସ୍ତ ହୋଇପଡ଼ିଥିବା ସେ କହିଥିଲେ। ଏହାକୁ ଆଧାରକରି ଉକ୍ତ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ପୁଲିସ୍ କହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/scb.jpg)