ଶିକ୍ଷକ ଶିକ୍ଷାନୁଷ୍ଠାନରେ ନାମଲେଖା : ୭ରୁ ଅନ୍‌ଲାଇନ୍‌ରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ଶିକ୍ଷକ ଶିକ୍ଷା ନିର୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ୱାରା ପରିଚାଳିତ ସମସ୍ତ ଶିକ୍ଷକ ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ପାଇଁ ଚଳିତବର୍ଷ ଅନ୍‌ଲାଇନ୍‌ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଅଗଷ୍ଟ ୭ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୫ଟି ଜିଲ୍ଲାର ୪୯ଟି ବୈଷୟିକ ଶିକ୍ଷାନୁଷ୍ଠାନରେ ଏହି ପରୀକ୍ଷା ହେବ। ଛାତ୍ରଛାତ୍ରୀ ପରୀକ୍ଷା ନିମନ୍ତେ ଉଦ୍ଦିଷ୍ଟ ଆଡମିଟ୍‌ କାର୍ଡ ସେମାନଙ୍କ ନିଜସ୍ୱ ରେଜିଷ୍ଟର୍‌ ଆକାଉଣ୍ଟରେ ଲଗ୍‌-ଇନ୍‌ କରି ଡାଉନଲୋଡ୍‌ କରିପାରିବେ। ୫ଟି ଅନୁଷ୍ଠାନକୁ ଛାଡ଼ି ଅନ୍ୟ ସମସ୍ତ ଅନୁଷ୍ଠାନଗୁଡ଼ିକରେ ପ୍ରତ୍ୟେକ ଦିନ ୪ଟି ପର୍ଯ୍ୟାୟରେ ପ୍ରବେଶିକା ପରୀକ୍ଷା କରିବା ପାଇଁ ସ୍ଥିର ହୋଇଛି।

ପରୀକ୍ଷା ଆରମ୍ଭ ହେବାର ଅଧ ଘଣ୍ଟା ଆଗରୁ ଛାତ୍ରଛାତ୍ରୀ ଆଡମିଟ୍‌ କାର୍ଡ ସହ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ଆବଶ୍ୟକ। ଆଡମିଟ୍‌ କାର୍ଡରେ ଦିଆଯାଇଥିବା ନିର୍ଦେଶାବଳୀକୁ ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ପରୀକ୍ଷା ସମ୍ପର୍କିତ ନିୟମାବଳୀ ‘scert.samsodisha.gov.in’ େଓ୍ଵବସାଇଟ୍‌ରେ ଉପଲବ୍ଧ ହେଉଛି। ପ୍ରତ୍ୟେକ ପାଠ୍ୟକ୍ରମ ପାଇଁ ନିର୍ଦ୍ଦିଷ୍ଟ ତାରିଖ ଓ ସମୟ ସ୍ଥିର ହୋଇଛି। ଅଗଷ୍ଟ ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେସନ (ଓଡ଼ିଆ), ୯ରେ ତେଲୁଗୁ, ଉର୍ଦ୍ଦୁ ଓ ସାନ୍ତାଳୀ (ଆଲ୍‌ଚିକି) ଭାଷାରେ ପରୀକ୍ଷା ହେବ। ୭ ଓ ୮ ତାରିଖରେ ବିଏଡ୍‌ (କଳା), ୮ ଓ ୯ରେ ବିଏଡ୍‌ (ବିଜ୍ଞାନ), ୧୦ରେ ବିଏଡ୍‌ (ହିନ୍ଦୀ), ବିପିଏଡ୍‌, ଏମ୍‌ଏଡ୍‌ ଓ ଏମ୍‌ଫିଲ୍‌ରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ହେବ। ପ୍ରତିଦିନ ୪ଟି ବ୍ୟାଚ୍‌ରେ ପରୀକ୍ଷା କରାଯିବ।

ପୂର୍ବାହ୍ନ ୮ଟା ୩୦ରୁ ୧୦ଟା ଯାଏ ପ୍ରଥମ ବ୍ୟାଚ୍‌ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ପୂର୍ବାହ୍ନ ୧୧ଟା ୧୫ରୁ ୧୨ଟା ୧୫ ମଧ୍ୟରେ ଦ୍ୱିତୀୟ, ଅପରାହ୍ନ ୨ଟାରୁ ୩ଟା ୩୦ ମଧ୍ୟରେ ତୃତୀୟ ଏବଂ ଅପରାହ୍ନ ୪ଟା ୪୫ରୁ ୬ଟା ୧୫ ମଧ୍ୟରେ ୪ର୍ଥ ବ୍ୟାଚ୍‌ ପାଇଁ ସମୟ ନିର୍ଘଣ୍ଟ ହୋଇଛି। ପରୀକ୍ଷା ନିମନ୍ତେ ଦିଆଯାଇଥିବା ନିର୍ଦ୍ଦିଷ୍ଟ ଜିଲ୍ଲା, ପରୀକ୍ଷା କେନ୍ଦ୍ରର ନାମ ପରି ବିଭିନ୍ନ ବିଷୟରେ ଛାତ୍ରଛାତ୍ରୀ ଆଡମିଟ୍‌ କାର୍ଡରୁ ଜାଣିପାରିବେ ବୋଲି ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ନିର୍ଦେଶକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର