ଅନ୍‌ଲାଇନ୍‌ ଶିକ୍ଷାରୁ ବଞ୍ଚିତ ବିଦ୍ୟାର୍ଥୀଙ୍କୁ ପାଠ ପଢ଼ାଇବେ ଏସସିଇଆର୍‌ଟି ବିଦ୍ୟାର୍ଥୀ

୩ ମାସର ବିକଳ୍ପ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ

ଭୁବନେଶ୍ବର : ରାଜଧାନୀ ହେଉ କି ଆଭ୍ୟନ୍ତରୀଣ ଅଞ୍ଚଳ; ଇଣ୍ଟରନେଟ୍‌ ଓ ନେଟ୍‌ୱାର୍କ ସମସ୍ୟା ଯୋଗୁଁ ଅନ୍‌ଲାଇନ୍‌ ଶିକ୍ଷାରୁ ବଞ୍ଚିତ ବିଦ୍ୟାର୍ଥୀଙ୍କୁ ପାଠ ପଢ଼ାଇବେ ଏସସିଇଆର୍‌ଟି ଅନ୍ତର୍ଗତ ଶିକ୍ଷକ ଶିକ୍ଷା ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀ। ବିକଳ୍ପ ଇଣ୍ଟର୍ଣ୍ଣସିପ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାୟ ୧୦ ହଜାର ଏଭଳି ବିଦ୍ୟାର୍ଥୀ ଦ୍ବିତୀୟରୁ ପଞ୍ଚମ ପଢୁଥିବା ଏକ ଲକ୍ଷ ବିଦ୍ୟାର୍ଥୀଙ୍କୁ ୩ ମାସ ପର୍ଯ୍ୟନ୍ତ ପାଠ ପଢାଇବେ ବୋଲି କହିଛନ୍ତି ଏସସିଇଆର୍‌ଟି ନିର୍ଦେଶକ ଗଙ୍ଗାଧର ସାହୁ। ମୟୂରଭଞ୍ଜର ଗୋରୁମହିଁଷାଣୀରେ ଏଭଳି ପାଠପଢ଼ା ଆରମ୍ଭ ହୋଇ ସାରିଛି। ସୋମବାରରୁ ରାଜ୍ୟର ଅନ୍ୟାନ୍ୟ ଇଲାକାରେ ଏହି ପାଠପଢ଼ା ଆରମ୍ଭ ହେବ।

ମହାମାରୀ ଯୋଗୁଁ ଏବେ ବନ୍ଦ ଅଛି ସ୍କୁଲ। ତେଣୁ ଅନ୍‌ଲାଇନ୍‌ରେ ୟୁଟ୍ୟୁବ୍‌ ଜରିଆରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ୨୦୨୦ ମସିହା ମାର୍ଚ ମାସରେ କରାଯାଇଥିବା ସର୍ଭେ ଅନୁସାରେ ରାଜ୍ୟର ୭୫୦୦ ଗାଁରେ ମୋବାଇଲ ଇଣ୍ଟରନେଟ୍‌ ସେବା ପହଞ୍ଚି ପାରିନାହିଁ। କିଛି ସ୍ଥାନରେ ଇଣ୍ଟରନେଟ୍‌ ଥିଲେ ବି ପିଲା ନେଟଓ୍ବାର୍କ ପାଇଁ ଗଛ ଉପରେ ଚଢ଼ି କିମ୍ବା ଜାତୀୟ ରାଜପଥ ପାର୍ଶ୍ବରେ ଛିଡ଼ା ହୋଇ ପାଠ ପଢୁଛନ୍ତି। କଟକ, ଭୁବନେଶ୍ବର, ଖୋର୍ଧା, ବ୍ରହ୍ମପୁର, କେନ୍ଦ୍ରାପଡ଼ା ଆଦି ଅଞ୍ଚଳରେ ଭଲ ଇଣ୍ଟରନେଟ ସୁବିଧା ଥିଲେ ବି ସେଠାକାର ବସ୍ତି ଅଞ୍ଚଳର ଅଧିକାଂଶ ପରିବାରରେ ସ୍ମାର୍ଟଫୋନ ନାହିଁ। ଏଥିଯୋଗୁଁ ପିଲାଙ୍କ ପାଠପଢା ବାଧାପ୍ରାପ୍ତ ହେଉଛି। ଏଣେ ସ୍କୁଲଗୁଡ଼ିକ ବନ୍ଦ ଥିବାରୁ ଶିକ୍ଷକତା ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀ ବର୍ଷ ଶେଷରେ କରିବାକୁ ଥିବା ଇଣ୍ଟର୍ଣ୍ଣସିପ‌୍ କରିପାରୁ ନାହାନ୍ତି। ଉଭୟ ସମସ୍ୟାର ସମାଧାନ ପାଇଁ ଏସସିଇଆର୍‌ଟି ପକ୍ଷରୁ କରାଯାଇଥିବା ନୂତନ ନିଷ୍ପତ୍ତି ଅନୁସାରେ ଶିକ୍ଷକତା ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀ ଗାଁ କିମ୍ବା ବସ୍ତିଅଞ୍ଚଳକୁ ଯାଇ ସାମାଜିକ ଦୂରତ୍ବ ରକ୍ଷା କରି ଦ୍ବିତୀୟରୁ ପଞ୍ଚମ ପଢୁଥିବା ୧୦ ଜଣ ପିଲାଙ୍କୁ ଦିନବେଳେ ପାଠ ପଢାଇବେ। ସ୍ଥାନୀୟ ଅଧିବାସୀ, ଅଭିଭାବକଙ୍କ ଅନୁମତିରେ ଖୋଲା ସ୍ଥାନରେ ଏହି ପାଠପଢ଼ା ହେବ। ଏଥିପାଇଁ ୟୁନିସେଫ୍‌ ପକ୍ଷରୁ ଶିକ୍ଷକତା ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀଙ୍କୁ ମାସ୍କ, ଗ୍ଲୋବର କିଟ୍‌ ଦିଆଯିବ। ୩ ମାସ ପରେ ସେମାନଙ୍କୁ ପ୍ରଶିକ୍ଷଣ ପ୍ରମାଣପତ୍ର ଦିଆଯିବ ବୋଲି ଏସସିଇଆର୍‌ଟି ପକ୍ଷରୁ କୁହାଯାଇଛି। ଦେଶରେ ପ୍ରଥମ ଥର ପାଇଁ ଏସସିଇଆର୍‌ଟି ଓଡ଼ିଶା ଏଭଳି ପଦକ୍ଷେପ ନେଇଛି।

ସମ୍ବନ୍ଧିତ ଖବର