ଗ୍ରାମାଞ୍ଚଳ ଆଦିବାସୀ ପିଲାଙ୍କୁ ମିଳୁଛି ପର୍ବତାରୋହଣ ତାଲିମ

ପର୍ବତାରୋହୀ ଅଶୋକଙ୍କ ନିଆରା ପ୍ରୟାସ

ରାଉରକେଲା: ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ରେ ହକି ସହ ପର୍ବତାରୋହରଣ ସ୍ବପ୍ନ ଦେଖୁଛନ୍ତି ଗ୍ରାମାଞ୍ଚଳର ଆଦିବାସୀ ପିଲା। ସେମାନଙ୍କ ସ୍ବପ୍ନକୁ ସାକାର କରିବାକୁ ଆଗେଇ ଆସିଛନ୍ତି ରାଜ୍ୟରେ ଜଣାଶୁଣା ପର୍ବତା‌ରୋହୀ ରାଉରକେଲାର ଅଶୋକ ବର୍ଦ୍ଧନ ମିଶ୍ରା। ନିଷ୍ଠା ଓ ପରିଶ୍ରମ ବଳରେ ସଫଳତାକୁ ଛୁଇଁଥିବା ପର୍ବତାରୋହୀ ଅଶୋକ ଦେଉଛନ୍ତି ପ୍ରଶିକ୍ଷଣ। ଏଥିପାଇଁ ସେ ଜୁଲାଇ ମାସରେ ପ୍ରତିଷ୍ଠା କରିଥିଲେ ରାଉରକେଲା ଟ୍ରେକ୍କର କ୍ଲବ। ଇତି ମଧ୍ୟରେ କ୍ଲବକୁ ୬ ମାସ ପୁରୁଛି। କ୍ଲବରେ ସାମିଲ ହୋଇଛନ୍ତି ୨୫୦ରୁ ଅଧିକ ପିଲା। ଯେଉଁମାନଙ୍କ ବୟସ ୮ରୁ  ୨୫ ବର୍ଷ।

ପ୍ରଥମ ପର୍ଯ୍ୟାୟରେ ୬୦ ପିଲାଙ୍କୁ ଦେଉଛନ୍ତି ପର୍ବତ ଚଢ଼ିବାର କଳା କୌଶଳ। ଯେଉଁ ପାହାଡ ଉପରେ ପିଲାଙ୍କ ପ୍ରଶିକ୍ଷଣ ଦିଆଯାଉଛି, ତା’ର ନାମ ରଖିଛନ୍ତି ‘ମାଉଣ୍ଟ କ୍ଳୋହିଟ୍‌’।  ସକାଳ ୬ଟାରୁ  ୮ଟା ପର୍ଯ୍ୟନ୍ତ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଚାଲୁଛି ପ୍ରଶିକ୍ଷଣ। ପାହାଡର ପ୍ରାୟ ୧୫୦୦ ଫୁଟ୍‌ ଉଚ୍ଚତା ଚଢ଼ିବା ପରେ ଆରମ୍ଭ ହେଉଛି ପ୍ରଶିକ୍ଷଣ। ଯେଉଁସ୍ଥାନରେ ଅଶୋକ ପିଲାମାନଙ୍କୁ ପାହାଡ଼ ଚଢ଼ିବା ପୂର୍ବରୁ କେଉଁ କେଉଁ ଦିଗ ପ୍ରତି ବି‌ଶେଷ ଧ୍ୟାନ ଦେବାକୁ ପଡିବ, ସେ ସଂକ୍ରାନ୍ତରେ ଭଲ ଭାବେ ବୁଝାଉଛନ୍ତି। ତାଲିମରେ ଆବଶ୍ୟକ ୪ ଲକ୍ଷ ଟଙ୍କାର ସରଞ୍ଜାମ ମଧ୍ୟ ନିଜ ଖର୍ଚ୍ଚରେ କିଣିଛନ୍ତି। କେବଳ ଏତିକି ନୁହେଁ ନିଜେ ରହୁଥିବା ବରଟୋଲି ଘର ପରିସରରେ ‘କ୍ଲାଇମ୍ବିଂ ୱାଲ୍‌’ନିର୍ମାଣ କରୁଛନ୍ତି। ଏଠାରେ ପିଲାମାନେ ପର୍ବତ ଚଢ଼ିବାର ଅଧିକ ଟେକ୍‌ନିକ୍ ପାଇପାରିବେ।

ପ୍ରଶିକ୍ଷଣ ବାବଦରେ ପିଲାଙ୍କ ଠାରୁ ଟଙ୍କାଟିଏ ନେଉନାହାନ୍ତି। ଏଥିପାଇଁ ପିଲାମାନଙ୍କ ମଧ୍ୟରେ ପର୍ବତାରୋହୀ ହେବାର ବେଶ୍‌ ଆଗ୍ରହ ବଢ଼ିଛି। ମାଉଣ୍ଟ କ୍ଲୋହିଟ୍‌ରୁ ତାଲିମ ଶେଷ ହେବା ପରେ ଅଧିକ ପ୍ରଶିକ୍ଷଣ ପାଇଁ ଯୋଗ୍ୟ ପ୍ରତିଯୋଗୀଙ୍କୁ ଦିଲ୍ଲୀ ଏବଂ ହିମାଳୟ ପ୍ରଶିକ୍ଷଣ କେନ୍ଦ୍ରକୁ ନିଆଯିବ ବୋଲି କହିଛନ୍ତି ଅଶୋକ। ସେ କହିଛନ୍ତି, ପର୍ବତାରୋହରଣ ସମ୍ପୂର୍ଣ୍ଣ ତାଲିମ ପାଇବା ପରେ ଅଲିମ୍ପିକ୍‌, ଆଇଟିବିପି ଯବାନ, ସେନାବାହିନୀ, ପ୍ରାକୃତିକ ଦୁର୍ବିପାକରେ ନିଯୁକ୍ତି ପାଇବାକୁ ବେଶ୍‌ ସହାୟକ ହେବ। ସୁନ୍ଦରଗଡ଼ର ଆଦିବାସୀ ପିଲାମାନଙ୍କୁ ଦେଶର ଜଣେ ଜଣେ ସୁପରିତ ପର୍ବତାରୋହୀ ଭାବେ ଗଢ଼ି ତୋଳିବା ରାଉରକେଲା ଟ୍ରେକ୍କର କ୍ଲବ ଗଢ଼ିବାର ଲକ୍ଷ୍ୟ  ବୋଲି କହିଛନ୍ତି ସେ।

ରାଉରକେଲା ଏନ୍‌ଆଇଟି ପଛପାର୍ଶ୍ବ ବରଟୋଲିରେ ରହନ୍ତି ଅଶୋକ ବର୍ଦ୍ଧନ ମିଶ୍ରା ଓ ତାଙ୍କ ପରିବାର। ଗତ ୨୦୦୯ରୁ ପର୍ବତା‌ରୋହୀ ହେବାକୁ ଲକ୍ଷ୍ୟ ରଖିଥିଲେ। କଠିନ ପରିଶ୍ରମ ଫଳରେ ଆଜି ସୁଦ୍ଧା ଭାରତ, ଆମେରିକା ,ୟୁରୋପ, ନେପାଳ ଆଦି ୫ଟି ଦେଶର ୧୨ଟି ପର୍ବତ ଚଢ଼ିବାର ଗୌରବ ଅର୍ଜନ କରି ସାରିଛନ୍ତି। ତାଙ୍କର ନୂଆଦିଲ୍ଲୀରେ ପର୍ବତାରୋହଣ ପ୍ରଶିକ୍ଷଣ କେନ୍ଦ୍ର ରହିଛି। ଯେଉଁଠି ସେ ଦେଶ ବିଦେଶର ଅନେକକଙ୍କୁ ପର୍ବତ ଚଢ଼ିବାର ତାଲିମ ଦେଉଛନ୍ତି।

ସମ୍ବନ୍ଧିତ ଖବର