ଆରମ୍ଭ ହେଲା ଜନଜାତି କ୍ରୀଡ଼ା ପ୍ରତିଯୋଗିତା

ଜନଜାତି କ୍ରିଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ପ୍ରୟାସ

ଦିଆଯିବ ୧.୧୪ କୋଟି ଟଙ୍କାର ପୁରସ୍କାର

ଭୁବନେଶ୍ୱର : ଅନୁସୂଚିତ ଜନଜାତି କ୍ରିଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଏକ ନୂଆ ଉଦ୍ୟମ ଆରମ୍ଭ କରିଛନ୍ତି। ଜନଜାତି ଅଧ୍ୟୁଷିତ ବ୍ଲକ୍‌ରେ ‘ଜନଜାତି କ୍ରୀଡ଼ା ପ୍ରତିଯୋଗିତା’ ଆୟୋଜନ କରାଯାଇଛି। ପ୍ରତି ଜିଲ୍ଲାରେ ଏହି ପ୍ରତିଯୋଗିତା ହେବ। ଜିଲ୍ଲା ଓ ରାଜ୍ୟସ୍ତରୀୟ ବିଜୟୀ ପ୍ରତିଯୋଗୀଙ୍କୁ ସରକାର ପୁରସ୍କୃତ କରିବେ। ଏଥି ପାଇଁ ପାଖାପାଖି ୧.୧୪ କୋଟି ପୁରସ୍କାର ରାଶିର ବ୍ୟବସ୍ଥା କରାଯାଇଛି। ଆଜି ଏହି ପ୍ରତିଯୋଗିତାକୁ ସଚିବାଳୟରେ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଜନଜାତିମାନଙ୍କ ମଧ୍ୟରେ ଅସାଧାରଣ କ୍ରୀଡ଼ା ପ୍ରତିଭା ରହିଛି, ଯାହା ସେମାନଙ୍କ ସଂସ୍କୃତି ଓ ଜୀବନଧାରାରେ ମଧ୍ୟ ଦେଖିବାକୁ ମିଳେ। ହକି, ତୀରନ୍ଦାଜି, ଆଥଲେଟିକ୍ସ ଆଦି କ୍ରୀଡ଼ାରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି। ହକି ଜାତୀୟ ଦଳରେ ଓଡ଼ିଶାରୁ ଅନେକ ଖେଳାଳୀ କ୍ୟାପ୍‌ଟେନ୍‌ ମଧ୍ୟ ହୋଇପାରିଛନ୍ତି। ଏହି ପ୍ରତିଯୋଗିତା ଦ୍ୱାରା ଆମର ଜନଜାତି କ୍ରୀଡ଼ାବିତ୍‌ମାନଙ୍କର ପ୍ରତିଭାର ବିକାଶ ହେବା ସହ ସେମାନେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶା ଓ ଭାରତ ପାଇଁ ଗୌରବ ଆଣିପାରିବେ।

କୋରାପୁଟର ସିମିଳିଗୁଡ଼ା, ମୟୂରଭଞ୍ଜର ଉଦଳା ଓ ସୁନ୍ଦରଗଡ଼ର ସଦର ବ୍ଲକ୍‌ରେ ଏହି ପ୍ରତିଯୋଗିତାକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ପ୍ରତିଯୋଗିତାର ଲୋଗୋ ଓ ମାସ୍କଟ୍‌ ଓଲି ମଧ୍ୟ ଉନ୍ମୋଚିତ ହୋଇଥିଲା। ବର୍ତ୍ତମାନ ରାଜ୍ୟରେ ୬୨ ପ୍ରକାର ଜନଜାତି ସମ୍ପ୍ରଦାୟ ଅଛନ୍ତି। ସେମାନଙ୍କ ଭିତରେ ଥିବା କ୍ରୀଡ଼ା ପ୍ରତିଭାର ଅନେ୍ଵଷଣ, ବିକାଶ ସହ କିଛି ପାରମ୍ପରିକ କ୍ରୀଡ଼ାର ପ୍ରସାର ପାଇଁ ଏହି ପ୍ରତିଯୋଗିତା ଆରମ୍ଭ କରାଯାଇଛି। ୧୧୯ଟି ଜନଜାତି ଅଧ୍ୟୁଷିତ ବ୍ଲକ୍‌ରେ ଏହା ଅନୁଷ୍ଠିତ ହେବ। ୧୯୫ଟି ଅଣ ଜନଜାତି ବ୍ଲକ୍‌ଗୁଡ଼ିକରେ ମନୋନୟନ ପ୍ରକ୍ରିୟାରେ ଖେଳାଳୀମାନଙ୍କୁ ଚୟନ କରାଯିବ ଏବଂ ୩୦ଟି ଯାକ ଜିଲ୍ଲାରେ ମଧ୍ୟ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ୩୫ ବର୍ଷ ପର୍ଯ୍ୟନ୍ତ ପ୍ରତିଯୋଗୀମାନେ ଏଥିରେ ଭାଗ ନେଇପାରିବେ। ଏକକ ପ୍ରତିଯୋଗିତାରେ ଦୌଡ଼କୁଦ ଓ ତୀରନ୍ଦାଜ ପ୍ରତିଯୋଗିତା ଏବଂ ଦଳଗତ କ୍ରୀଡ଼ାରେ ଫୁଟ୍‌ବଲ୍‌, ହକି, କବାଡ଼ି, ଖୋଖୋ ଓ ଭଲିବଲ୍‌ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଜିଲ୍ଲା ଓ ରାଜ୍ୟ ସ୍ତରରେ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ। ପ୍ରତି ଜିଲ୍ଲାରେ ପୁରସ୍କାର ଆକାରରେ ୩ ଲକ୍ଷ ୬୧ ହଜାର ୨୦୦ ଟଙ୍କା ଦିଆଯିବ। ୩୦ଟି ଜିଲ୍ଲାରେ ସମୁଦାୟ ୧ କୋଟି ୮ ଲକ୍ଷ ୩୬ ହଜାର ଟଙ୍କା ପୁରସ୍କା ଦିଆଯିବ। ସେହିପରି ରାଜ୍ୟ ସ୍ତରରେ ସମୁଦାୟ ୫,୫୫,୬୦୦ ଟଙ୍କା ପୁରସ୍କାର ଆକାରରେ ଦିଆଯିବ।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍‌ଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର