ଅନୁସୂଚିତ ଜାତି ପିଲା ଅଧାରୁ ପାଠ ଛାଡ଼ୁଛନ୍ତି, ବିଧାନସଭାରେ ଉଦ୍ବେଗ ପ୍ରକାଶ କଲେ ବିଧାୟକ
ଭୁବନେଶ୍ବର : ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନେ ଅଧାରୁ ପାଠ ଛାଡ଼ୁଛନ୍ତି। ଫଳରେ ସେମାନେ ଶିକ୍ଷିତ ଓ ସଚେତନ ହୋଇ ପାରୁ ନାହାନ୍ତି। ଏ ଦିଗରେ ସରକାର ଠୋସ୍ ପଦକ୍ଷେପ ନିଅନ୍ତୁ। ଆଜି ବିଧାନସଭାର ପ୍ରଶ୍ନକାଳରେ ଏମିତି ଦାବି ଉଠିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ବିଧାୟକଙ୍କ ଏହି ଅଭିଯୋଗକୁ ସ୍ବୀକାର କରି ନ ଥିଲେ। ତଥ୍ୟ ଦେଇ ଅଭିଯୋଗ କାଟିବାକୁ ଚେଷ୍ଟା କରିଥିଲେ। ରାଜ୍ୟର ଅନୁସୂଚିତ ଜାତିଙ୍କ ସାକ୍ଷରତା ହାର ୨୦୦୧ ମସିହାରେ ୫୫.୫୦% ଥିଲା ବେଳେ ୨୦୧୧ରେ ୬୯.୦୨% ଅଛି। ଏହି ସାକ୍ଷରତା ହାରକୁ ଆହୁରି ବଢ଼ାଇବା ପାଇଁ ସରକାର ଉଦ୍ୟମ କରୁଛନ୍ତି ବୋଲି ମନ୍ତ୍ରୀ କହିଥିଲେ।
ରାଜ୍ୟରେ ଅନୁସୂଚିତ ଜାତିଙ୍କ ସାକ୍ଷରତା ହାର ସମ୍ପର୍କରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ମୂଳ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସାରକା କହିଥିଲେ, ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କ ସାକ୍ଷରତା ବୃଦ୍ଧି ପାଇଁ ସରକାରଙ୍କ ଦ୍ବାରା ସାକ୍ଷରତା ମିସନ୍ କର୍ତ୍ତୃପକ୍ଷ ଗଠନ କରାଯାଇ ରାଜ୍ୟରେ ସାକ୍ଷରତା କାର୍ଯ୍ୟକ୍ରମ ଜାରି ରହିଛି। ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ରାଜ୍ୟରେ ୭୦୦ଟି ଆଶ୍ରମ ବିଦ୍ୟାଳୟ, ୫୦୧ଟି ସେବାଶ୍ରମ, ୨୭ଟି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ, ୧୦ଟି କଳିଙ୍ଗ ଆବାସିକ ବିଦ୍ୟାଳୟ ଓ ୪୨୨ଟି ଉଚ୍ଚ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେଉଛି। ବିଭାଗ ଅଧୀନସ୍ଥ ୭.୫୦ ଲକ୍ଷରୁ ଅଧିକ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯାଉଛି। ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ସାକ୍ଷରତା ହାର ବୃଦ୍ଧି ପାଇଁ ସଂଯୋଜକ ଓ ପ୍ରେରକ ନିଯୁକ୍ତି କରାଯାଇଛି। ସ୍ବେଚ୍ଛାସେବୀ ଶିକ୍ଷକମାନଙ୍କ ଦ୍ବାରା ନବ ସାକ୍ଷରମାନଙ୍କୁ ଶିକ୍ଷାଦାନ କରାଯାଉଛି। ଏହିସବୁ କାର୍ଯ୍ୟକ୍ରମ ପାଇଁ ରାଜ୍ୟରେ ଅନୁସୂଚିତ ଜାତିଙ୍କ ସାକ୍ଷରତା ହାର ବଢ଼ୁଛି।
ଅତିରିକ୍ତ ପ୍ରଶ୍ନ ପରି ଗଣେଶ ରାମ ଖୁଣ୍ଟିଅରା ବହୁଭାଷୀ ଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ବାରୋପ କରିଥିଲେ। ତାରା ପ୍ରସାଦ ବାହିନୀପତି ଜିଲ୍ଲା ସ୍ତରରେ ଶିକ୍ଷକ ନିଯୁକ୍ତି କରିବାକୁ ମତ ଦେଇଥିଲେ। ନାଉରୀ ନାୟକ କହିଥିଲେ, ଯେଉଁ ଆଶ୍ରମ ସ୍କୁଲ୍ରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଛି ସେଠାରେ ପିଲାମାନେ ଅଷ୍ଟମ ପରେ ପାଠ ଛାଡ଼ି ଦେଉଛନ୍ତି। ତେଣୁ ସେଠାରେ ଦଶମ ଯାଏ ପଢ଼ାଇବାର ବ୍ୟବସ୍ଥା କରାଯାଉ।