ଅବିଭକ୍ତ କୋରାପୁଟର ମାଳି, ରଣା ସଂପ୍ରଦାୟକୁ ଜନଜାତି ମାନ୍ୟତା ପ୍ରସଙ୍ଗ : ବିସ୍ତୃତ ଅନୁଶୀଳନ ପରେ କେନ୍ଦ୍ରକୁ ଦିଆଯିବ ପ୍ରସ୍ତାବ: ମନ୍ତ୍ରୀ

ଭୁବନେଶ୍ବର : ଅବିଭକ୍ତ ‌କୋରାପୁଟ ଜିଲ୍ଲାରେ ବସବାସ କରୁଥିବା ମାଳି, ରଣା ସଂପ୍ରଦାୟର ଲୋକମାନଙ୍କୁ ଜନଜାତି ମାନ୍ୟତା ପ୍ରଦାନ ଦାବି ପରିପ୍ରେକ୍ଷୀରେ ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୈଠକରେ ଅନୁଷ୍ଠିତ ହୋଇଥିଲା। ପଡ଼ୋଶୀ ଆନ୍ଧ୍ରରେ ବାସ କରୁଥିବା ରଣା, ମାଳି ସଂପ୍ରଦାୟର ଲୋକମାନଙ୍କୁ ଜନଜାତି ମାନ୍ୟତା ଦିଆଯାଇଥିବା ପରିପ୍ରେକ୍ଷୀରେ ଅବିଭକ୍ତ କୋରାପୁଟରେ ବାସ କରୁଥିବା ଅନୁରୂପ ସଂପ୍ରଦାୟକୁ ମାନ୍ୟତା ଦିଆଯିବା ସଂପର୍କରେ ଆଲୋଚନା ହୋଇଥିଲା। କେନ୍ଦ୍ର ସରକାରଙ୍କୁ ଏଥିପାଇଁ ପ୍ରସ୍ତାବ ଦିଆଯିବା ପୂର୍ବରୁ ଏ ସଂପର୍କରେ ବିସ୍ତୃତ ଅନୁଶୀଳନ ଆବଶ୍ୟକତା ରହିଛି ବୋଲି ଶ୍ରୀ ମହାନ୍ତି କହିଥିଲେ।

ଅବିଭକ୍ତ କୋରାପୁଟରେ ବସବାସ କରୁଥିବା ରଣା, ମାଳି ସଂପ୍ରଦାୟ ଲୋକଙ୍କ ଭାଷା, ସଂସ୍କୃତି, ପ୍ରଥା, ଧର୍ମ ଓ ବୈବାହିକ ସଂପର୍କ ଆଦିରେ ସାମଞ୍ଜସ୍ୟ ଆଦିକୁ ବିଚାରକୁ ନେଇ ଏକ ବିସ୍ତୃତ ଅଧ୍ୟୟନ କରିବାକୁ ହେବ। ଏ ସଂପର୍କରେ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି, ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ନିର୍ଦେଶାଳୟକୁ ନିର୍ଦେଶ ଦିଆଯାଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ବିସ୍ତୃତ ରିପୋର୍ଟ ପାଇବା ପରେ ଏହି ସଂପ୍ରଦାୟକୁ ଜନଜାତିରେ ଅନ୍ତଭୁର୍କ୍ତ କରିବା ପାଇଁ ରାଜ୍ୟ ସରକାରଙ୍କୁ ପକ୍ଷରୁ ପ୍ରସ୍ତାବ ଦିଆଯିବ ବୋଲି ଶ୍ରୀ ମହାନ୍ତି କହିଥିଲେ। ବୈଠକରେ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗୀ, ବିଭାଗୀୟ ପ୍ରମୁଖ ସଚିବ ନିକୁଞ୍ଜ ଧଳ, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତାଙ୍କ ସମେତ ରଣା ସମାଜ ବିକାଶ ପରିଷଦ ଓ ମାଳି ସମାଜ ବିକାଶ ପରିଷଦର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର