ଭୁବନେଶ୍ୱର: ଓଡ଼ିଶାରେ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରାଯିବ। ୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ କରିବାକୁ ପ୍ରାଥମିକ ଶିକ୍ଷାର ଯଥେଷ୍ଟ ଗୁରୁତ୍ୱ ରହିଛି। ତାହାକୁ ଦୃଷ୍ଟିରେ ରଖି ବର୍ଷକୁ ପ୍ରାୟ ୧୫ ହଜାର ଶିକ୍ଷକ ପଦ ପୂରଣ କରାଯିବ। ବିଦ୍ୟାଳୟ ଶିକ୍ଷାକୁ ସୁଦୃଢ଼ ଓ ଉନ୍ନତ କରିବା ପାଇଁ ରାଜ୍ୟରେ ଗୋଟିଏ ବୋର୍ଡର ଆବଶ୍ୟକତା ରହିଛି। ସେହି ଅନୁଯାୟୀ ରାଜ୍ୟର ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ) ଏବଂ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ)କୁ ମିଶାଇ ଗୋଟିଏ ବୋର୍ଡ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ମିଶିଯିବ ବିଏସ୍ଇ ଓ ସିଏଚ୍ଏସ୍ଇ
୩ ବର୍ଷରେ ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ
୪୦ ହଜାର ନୂତନ ଶିକ୍ଷକ ପଦ ସୃଷ୍ଟି ହେବ
ନବମ ଓ ଦଶମର ସବୁ ପିଲାଙ୍କୁ ମାଗଣା ବହି
ହଷ୍ଟେଲରେ ନିଯୁକ୍ତ ହେବେ ଏଏନ୍ଏମ୍
କୋରାପୁଟରେ ପ୍ରତିଷ୍ଠା ହେବ ବହୁଭାଷୀ ଶିକ୍ଷା କେନ୍ଦ୍ର
୪୦ ହଜାର ନୂତନ ଶିକ୍ଷକ ପଦ ସୃଷ୍ଟି ହେବ
ନବମ ଓ ଦଶମର ସବୁ ପିଲାଙ୍କୁ ମାଗଣା ବହି
ହଷ୍ଟେଲରେ ନିଯୁକ୍ତ ହେବେ ଏଏନ୍ଏମ୍
କୋରାପୁଟରେ ପ୍ରତିଷ୍ଠା ହେବ ବହୁଭାଷୀ ଶିକ୍ଷା କେନ୍ଦ୍ର
ଗୁରୁବାର ଲୋକସେବା ଭବନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରାଥମିକ ବିଦ୍ୟାଳୟରେ ନିୟୋଜିତ ହୋଇଥିବା ସ୍କିମାଟିକ୍ ଶିକ୍ଷକଙ୍କୁ ନିୟମିତ କରିବା ଦିଗରେ ପଦକ୍ଷେପ ନିଆଯିବ। ବର୍ତ୍ତମାନ ରାଜ୍ୟର ୪୫ ହଜାର ୨୯୨ ପ୍ରାଥମିକ ବିଦ୍ୟାଳୟରେ ୧ ଲକ୍ଷ ୬୦ ହଜାର ୩୧୯ ଶିକ୍ଷକ ପଦ ରହିଛି। ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଆଉ ୩୯, ୩୬୬ଟି ପଦ ସୃଷ୍ଟି କରାଯିବ। ୨୦୨୫ ଡିସେମ୍ବର ସୁଦ୍ଧା ୫,୦୬୭ ଶିକ୍ଷକ ପଦ ଖାଲି ହେବାକୁ ଯାଉଛି। ତେଣୁ ଏହି ସମସ୍ତ ପଦକୁ ମିଶାଇ ଆସନ୍ତା ୩ ବର୍ଷ ମଧ୍ୟରେ ୪୪ ହଜାର ୪୩୩ଟି ପଦ ପୂରଣ କରାଯିବ। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଉଛି। ନବମ ଓ ଦଶମ ଶ୍ରେଣୀରେ କେବଳ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କୁ ମାଗଣା ପାଠ୍ୟପୁସ୍ତକ ମିଳୁଛି। ଏଣିକି ନବମ ଓ ଦଶମ ଶ୍ରେଣୀର ସମସ୍ତ ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ଛାତ୍ରଛାତ୍ରୀଙ୍କ ଶିକ୍ଷାର ଆବଶ୍ୟକତା ସହ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ଏଏନ୍ଏମ୍ ନିଯୁକ୍ତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରତି ୩୦୦ ପିଲାଙ୍କ ପାଇଁ ଜଣେ ଏଏନ୍ଏମ୍ ବା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତ ହେବେ। ନୂତନ ବେସରକାରୀ ବିଦ୍ୟାଳୟ ଅନୁମୋଦନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅନ୍ଲାଇନ୍ ପ୍ରକ୍ରିୟାରେ କରାଯିବ। ଆଦିବାସୀ ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷା ଦେବା ଉପରେ ଗୁରୁତ୍ୱାରୋପ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ପିଲାମାନଙ୍କ ସହିତ ଭାଷାଗତ ଯୋଗାଯୋଗରେ ସୁବିଧା ହେବ ଏବଂ ଶିକ୍ଷାର ମାନ ବୃଦ୍ଧି ପାଇବ।
ଏଥିସହ ଏସ୍ସିଏସ୍ଟିଆର୍ଟିଆଇ ସହଯୋଗରେ କୋରାପୁଟରେ ଏକ ବହୁଭାଷୀ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରିବାକୁ ପଦକ୍ଷେପ ନିଆଯିବ। ଭିନ୍ନକ୍ଷମ ପିଲାଙ୍କ ଶିକ୍ଷା ପାଇଁ ନିୟମିତ ଶିକ୍ଷକଙ୍କୁ (ଯେଉଁମାନେ ବିଏଡ୍ କରିଥିବେ), ବିଭିନ୍ନ କ୍ଲଷ୍ଟର୍ରେ ସାଧନ ବ୍ୟକ୍ତି (ରିସୋର୍ସ ପର୍ସନ୍) ଭାବରେ ନିଯୁକ୍ତି ଦିଆଯିବ। ଏନ୍ସିଇଆର୍ଟି ଢାଞ୍ଚାରେ ଏସ୍ସିଇଆର୍ଟିକୁ ବିକଶିତ କରିବାକୁ ପାଇଁ ପଦକ୍ଷେପ ନିଆଯିବ। ପାଠ୍ୟପୁସ୍ତକ ପ୍ରକାଶନ ଓ ବିକ୍ରୟ ନିର୍ଦ୍ଦେଶାଳୟର ସୃଦୃଢ଼ୀକରଣ କରିବାକୁ ନିଷ୍ପତ୍ତି ହୋଇଛି। ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ, ଓସେପା ନିର୍ଦ୍ଦେଶିକା ଅନନ୍ୟା ଦାସଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।