ସେଚାଞ୍ଚଳ ପୁନରୁଦ୍ଧାର ପାଇଁ ୬୩୫ କୋଟି

ନବକୃଷ୍ଣ ଚୌଧୁରୀଙ୍କ ନାମରେ ନାମିତ ହେଲା ଯୋଜନା

ଭୁବନେଶ୍ୱର : ରାଜ୍ୟରେ ଯେତିକି ଜଳସେଚନ ଭିତ୍ତିଭୂମି ଅଛି, ସେଥିରୁ ୩୦ ପ୍ରତିଶତ ବ୍ୟବହାର ଯୋଗ୍ୟ ନୁହେଁ। ଅଧିକାଂଶ ବୃହତ, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପୁରୁଣା ହୋଇଯାଇଥିବା ହେତୁ ସେଚ ସାମର୍ଥ୍ୟର ପୂର୍ଣ୍ଣ ବିନିଯୋଗ ହୋଇପାରୁନି। ସରକାର ଏହି ସେଚାଞ୍ଚଳର ପୁନରୁଦ୍ଧାର କରିବେ। ଏହା ସହ କେନାଲ୍‌ ବ୍ୟବସ୍ଥାର ସମ୍ପ୍ରସାରଣ କରି ନୂଆ ଅଞ୍ଚଳକୁ ଜଳସେଚନର ସୁବିଧା ଦେବେ। ଏଥିପାଇଁ ୬୩୫ କୋଟି ଟଙ୍କା ବ୍ୟୟରେ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଆଜି ଏହି ଯୋଜନାକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ପ୍ରଦାନ କରିଛନ୍ତି।

ପାର୍ବତୀ ଗିରିଙ୍କ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କୁ ରାଜ୍ୟ ସରକାର ମନେ ପକାଇଛନ୍ତି। ଏହି ନୂଆ ଯୋଜନାକୁ ତାଙ୍କରି ନାମରେ ନାମିତ କରିଛନ୍ତି। ଏହାର ନାମ ରହିଛି ‘ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା’। ଆସନ୍ତାକାଲି ସ୍ୱର୍ଗତ ଚୌଧୁରୀଙ୍କ ଜୟନ୍ତୀ ଅବସରରେ ଏହା ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି ସରକାର କହିଛନ୍ତି। ଏହି ପ୍ରସ୍ତାବ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ରାଜ୍ୟ କ୍ୟାବିନେଟ୍‌ରେ ମୋଟ୍‌ ୧୧ଟି ପ୍ରସ୍ତାବ ଗୃହୀତ ହୋଇଛି।

କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା କହିଲେ, ‘ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା’ରେ ସେଚାଞ୍ଚଳ ପୁନରୁଦ୍ଧାର ହେବ। କେନାଲ ପ୍ରଣାଳୀର ଅବକ୍ଷୟ, ଜଳଭଣ୍ଡାରରେ ପଟୁ ଜମିଯିବା, ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ତାହା ବ୍ୟବହାର ହୋଇପାରୁ ନାହିଁ। ଏହି ସବୁ ପ୍ରକଳ୍ପର ପୁନରୁଦ୍ଧାର ଓ ଆଧୁନିକୀକରଣ କରାଯାଇ ସେଚ ସାମର୍ଥ୍ୟର ପୂର୍ଣ୍ଣ ବିନିଯୋଗ କରାଯିବ। ବର୍ତ୍ତମାନ କିଛି ଯୋଜନା ମାଧ୍ୟମରେ ସ୍ୱଳ୍ପ ସଂଖ୍ୟକ ପ୍ରକଳ୍ପର ପୁନରୁଦ୍ଧାର କାର୍ଯ୍ୟ କରାଯାଉଛି। ଏହା ପର୍ଯ୍ୟାପ୍ତ ହେଉ ନ ଥିବାରୁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏହି ନୂଆ ଯୋଜନା କାର୍ଯ୍ୟକାରୀ କରିବେ। ଏଥି ପାଇଁ ବରାଦ ହୋଇଥିବା ୬୩୫ କୋଟି ଟଙ୍କା ତିନି ବର୍ଷରେ ବ୍ୟୟ କରାଯିବ। ଏହି ଯୋଜନା ଦ୍ୱାରା ୧୪ଟି ବୃହତ ଓ ମଧ୍ୟମ ଏବଂ ୨୮୪ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଧୀନସ୍ଥ ୪୬,୨୯୬ ହେକ୍ଟର ସେଚାଞ୍ଚଳ ପୁନରୁଦ୍ଧାର ହୋଇପାରିବ। ଏହା ସହ ୬ଟି ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ କେନାଲ୍‌ ବ୍ୟବସ୍ଥାର ସମ୍ପ୍ରସାରଣ କରାଯାଇ ଅତିରିକ୍ତ ୮,୭୧୯ ହେକ୍ଟର ଚାଷଜମିକୁ ଜଳସେଚିତ କରାଯିବ।

ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁବରଣ କରୁଥିବା ପରିବାରଙ୍କୁ କ୍ଷତିପୂରଣ ରାଶି ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛନ୍ତି। ଏଥି ପାଇଁ ଓଡ଼ିଶା ବନ୍ୟଜନ୍ତୁ ସୁରକ୍ଷା ନିୟମାବଳୀ-୧୯୭୪ର ସଂଶୋଧନ କରାଯାଇଛି। ଏଣିକି ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ମିଳିବ। ପୂର୍ବରୁ ଏହା ୩ ଲକ୍ଷ ଟଙ୍କା ଥିଲା।

ନିଆଳିରେ ବନ୍ୟଜନ୍ତୁ ଆକ୍ରମଣରେ ମେଣ୍ଢା ମରୁଥିଲେ ବି କ୍ଷତିପୂରଣ ଦିଆଯାଉ ନ ଥିଲା। କାରଣ ଏଥିପାଇଁ ଆଇନ୍‌ରେ ବ୍ୟବସ୍ଥା ନ ଥିଲା। ତେବେ ଏ ନେଇ ସବୁ ମହଲରେ ଦାବି ହେଲା ଫଳରେ ସରକାର ନିୟମକୁ ବଦଳାଇଛନ୍ତି। ବନ୍ୟଜନ୍ତୁ ଆକ୍ରମଣରେ ମେଣ୍ଢା, ଛେଳି ମଲେ ସଂପୃକ୍ତ ପରିବାରକୁ କ୍ଷତିପୂରଣ ରାଶି ମିଳିବ। ମେଣ୍ଢା ଓ ଛେଳି ପାଇଁ ୨୦୦୦ ଟଙ୍କା ଏବଂ ମେଣ୍ଢା ଛୁଆ ଓ ଛେଳି ଛୁଆ ପାଇଁ ୭୫୦ ଟଙ୍କା କ୍ଷତିପୂରଣ ମିଳିବ। ଏ ସଂକ୍ରାନ୍ତୀୟ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ବାଜିଛି।

ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ଟେଣ୍ଡର୍‌ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି କାର୍ଯ୍ୟାରମ୍ଭ କରିବା ପାଇଁ ପ୍ରାୟ ୬ ମାସ ସମୟ ଲାଗୁଛି। ଫଳରେ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଲକ୍ଷ୍ୟ ରଖାଯାଇଥିବା ବ୍ୟୟବରାଦର ଉପଯୁକ୍ତ ବିନିଯୋଗ ହୋଇପାରୁନି। ଏହାକୁ ଦୃଷ୍ଟିରେ ରଖି ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଜଳସମ୍ପଦ ବିଭାଗ ତା’ର କାର୍ଯ୍ୟ ଖସଡ଼ା ଆଗୁଆ ପ୍ରସ୍ତୁତ କରିଛି। ବଜେଟ୍‌ରେ ଉପଲବ୍ଧ ଅର୍ଥର ସମ୍ପୂର୍ଣ୍ଣ ବିନିଯୋଗ ପାଇଁ ଅନ୍ୟୂନ ୬ ହଜାର କୋଟି ଟଙ୍କାର ଟେଣ୍ଡର୍‌ ପ୍ରକ୍ରିୟା ୨୦୧୮-୧୯ ଆର୍ଥିକ ବର୍ଷ ପୂର୍ବରୁ ଶେଷ କରିବା ସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି।

ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ଅନୁଷ୍ଠାନଗୁଡ଼ିକରେ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ଓ ବିକାଶ ପାଇଁ ବିଶ୍ୱ ବ୍ୟାଙ୍କ ସରକାରଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ଉଚ୍ଚଶିକ୍ଷା ବିଭାଗର ଏହି ପ୍ରସ୍ତାବିତ ପ୍ରକଳ୍ପର ବଜେଟ୍‌ ରହିଛି ୧୦୭୧ କୋଟି ଟଙ୍କା। ବିଶ୍ୱ ବ୍ୟାଙ୍କ ଏହାକୁ ଋଣ ଆକାରରେ ଦେଇଛନ୍ତି। ୧୪୦ଟି ମହାବିଦ୍ୟାଳୟ ଓ ୧୧ଟି ବିଶ୍ୱବିଦ୍ୟାଳୟକୁ ଦୁଇଟି ପର୍ଯ୍ୟାୟରେ ଏହି ଅନୁଦାନ ଦେବାକୁ ସ୍ଥିର ହୋଇଛି। ଅନୁଦାନର ୬୦ ପ୍ରତିଶତ ସିଭିଲ୍‌ କାମ ଓ ଆସବାବପତ୍ର କିଣିବା ପାଇଁ ବ୍ୟବହାର ହେବ। ଅବଶିଷ୍ଟ ୪୦ ପ୍ରତିଶତ ଗୁଣାତ୍ମକ ଶିକ୍ଷା ପାଇଁ ବିନିଯୋଗ ହେବ। କ୍ୟାବିନେଟ୍‌ରେ ଏହି ପ୍ରସ୍ତାବ ଆଜି ଅନୁମୋଦିତ ହୋଇଛି। ରୁଷା ଅନ୍ତର୍ଗତ କାର୍ଯ୍ୟକ୍ରମଗୁଡ଼ିକୁ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯିବ ନାହିଁ।

ରାଜ୍ୟରେ ୪୭୩ଟି ୩୩/୧୧ କେଭି ସବ୍‌ଷ୍ଟେସନ୍‌ ଓ ସଂଲଗ୍ନ ଲାଇନ୍‌ର ନିର୍ମାଣ ପାଇଁ ପୂର୍ବରୁ ୨୬୦୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏହାକୁ ଅତ୍ୟାଧୁନିକ ତଥା ଉଚ୍ଚମାନର କରିବା ପାଇଁ ଏହାର ବଜେଟ୍‌ ୩୮୪୩ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। କ୍ୟାବିନେଟ୍‌ରେ ଏହି ପ୍ରସ୍ତାବ ଆଜି ଗୃହୀତ ହୋଇଛି।

ରାଜସ୍ୱ ଆଇନ୍‌ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଥିବା ରାଜସ୍ୱ ନୀରିକ୍ଷକ ଓ ରାଜସ୍ୱ ପରିଦର୍ଶକମାନଙ୍କୁ ‘ଓଡ଼ିଶା ରାଜସ୍ୱ ସେବା’ କ୍ୟାଡର୍‌ରେ ଯଥେଷ୍ଟ ପ୍ରତିନିଧିତ୍ୱ ଦେବା ପାଇଁ ‘ଓଡ଼ିଶା ରାଜସ୍ୱ ସେବା(ଚୟନ) ନିୟମ-୨୦୧୧’ରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ କ୍ୟାବିନେଟ୍‌ରେ ମଞ୍ଜୁର ହୋଇଛି। ସଂଶୋଧନ ଅନୁଯାୟୀ ଚୟନ ପ୍ରକ୍ରିୟାରେ ଥିବା ୩୦ରୁ ୪୦ ପ୍ରତିଶତ ପଦବି ରାଜସ୍ୱ ନୀରିକ୍ଷକ ଓ ରାଜସ୍ୱ ପରିଦର୍ଶକମାନଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ଏହା ବାଦ୍‌ ପଦୋନ୍ନତି ନିମନ୍ତେ ପ୍ରଚଳିତ ୧୦ ବର୍ଷର ଅଭିଜ୍ଞତାକୁ ୫ ବର୍ଷ କୋହଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ବ୍ରହ୍ମପୁର ମହାନଗର ନିଗମର ମହୁଡ଼ା ଠାରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ହୋଇଥିବା ଟେଣ୍ଡର୍‌କୁ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି। ଏଥି ପାଇଁ ମୋଟ୍‌ ଅଟକଳ ରହିଛି ୧୧୮.୮୫ କୋଟି ଟଙ୍କା। ତିନିଟି ସଂସ୍ଥା ମିଳିତ ଭାବେ ଏହି କାମ ନେଇଛନ୍ତି। ଦୁଇ ବର୍ଷ ମଧ୍ୟରେ ଏହାର କାମ ସରିବାକୁ ଲକ୍ଷ୍ୟ ରଖାଯାଇଛି।

ଓଡ଼ିଶା ସମାଜ ମଙ୍ଗଳ ସେବା ବର୍ଗ-ଖ(ସଂଶୋଧନ) ନିୟମ ୨୦୧୭କୁ କ୍ୟାବିନେଟ୍‌ ମଞ୍ଜୁରି ଦେଇଛି। ସଂଶୋଧିତ ନିୟମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ(ବର୍ଗ-ଖ) ପଦବିଗୁଡ଼ିକ ଯଥାକ୍ରମେ ସହାୟକ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଦ୍ୱାରା ୧:୧୫ ଅନୁପାତରେ ପୂରଣ କରାଯିବ।

ମଦ ପାଇଁ ବ୍ୟବହୃତ ‘ଇଥାଇଲ୍‌ ଆଲକହଲ୍‌’(ଇଏନ୍‌ଏ) କିମ୍ବା ଅନ୍ୟାନ୍ୟ ସ୍ପିରିଟ୍‌ କିମ୍ବା ରେକ୍ଟିଫାଏଡ୍‌ ସ୍ପିରିଟ୍‌ ଉପରେ ୫ ପ୍ରତିଶତ ଭ୍ୟାଟ୍‌ ଲାଗୁ ହେବ। ଏହି ଦ୍ରବ୍ୟଗୁଡ଼ିକୁ ଓଡ଼ିଶା ମୂଲ୍ୟଯୁକ୍ତ କର ଅଧିନିୟମ,୨୦୦୪ର ଅନସୂଚୀ-ସିରେ ଅନ୍ତର୍ଭୁକ୍ତ କରାଯିବ। ଏହା ସହ ଖାଉଟିମାନଙ୍କୁ ପାଇପ୍‌ ମାଧ୍ୟମରେ ଗ୍ୟାସ୍‌ ଯୋଗାଇ ହେଉଥିଲେ, ତାହାର ବିକ୍ରି ଉପରେ ୫ ପ୍ରତିଶତ ଭାଟ୍‌ ଲାଗୁ ହେବ। ଏ ସଂକ୍ରାନ୍ତୀୟ ପ୍ରସ୍ତାବ କ୍ୟାବିନେଟ୍‌ରେ ଗୃହୀତ ହୋଇଛି।

ପ୍ରତି ପୌର ନିର୍ବାଚନରେ ବଦଳିବ ସଂରକ୍ଷଣ ବ୍ୟବସ୍ଥା

ଭୁବନେଶ୍ୱର : ପୌର ପରିଷଦ ଓ ମହାନଗର ନିଗମଗୁଡ଼ିକର ପ୍ରତି ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ବଦଳିବ। କାଉନ୍‌ସିଲର୍‌/କର୍ପୋରେଟର୍‌ମାନଙ୍କ ଆସନ ଏବଂ ଅଧ୍ୟକ୍ଷ/ମେୟର ପଦବିର ସଂରକ୍ଷଣ ରୋଟେସନ୍‌ ଭିତ୍ତିରେ ହେବ। ପୂର୍ବରୁ ପ୍ରତି ଦୁଇଟି ନିର୍ବାଚନରେ ଥରେ ସଂରକ୍ଷଣ ବ୍ୟବସ୍ଥା ବଦଳିଯିବାର ନିୟମ ରହିଥିଲା। ଆଜି ଏହି ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ବାଜିଛି। ଆସନ୍ତା ବର୍ଷ ପୌର ନିର୍ବାଚନ ଥିବାରୁ ତାହାକୁ ଆଖି ଆଗରେ ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି। ତେଣୁ ଆସନ୍ତା ପୌର ନିର୍ବାଚନ ପୂର୍ବରୁ ସଂରକ୍ଷଣ ବ୍ୟବସ୍ଥାରେ ବ୍ୟାପକ ଅଦଳବଦଳ ହେବା ସ୍ପଷ୍ଟ ହୋଇଛି।

ଓଡ଼ିଶା ପୌର ଅଧିନିୟମ,୧୯୫୦ ଏବଂ ଓଡ଼ିଶା ପୌର ନିଗମ ଅଧିନିୟମ,୨୦୦୩ରେ ଥିବା ବ୍ୟବସ୍ଥା ଅନୁଯାୟୀ ପ୍ରତି ଦୁଇଟି ନିର୍ବାଚନରେ ରୋଟେସନ୍‌ ଭିତ୍ତିରେ ସଂରକ୍ଷଣ ବ୍ୟବସ୍ଥା ରହିଥିଲା। ସରକାରଙ୍କ ଯୁକ୍ତି ରହିଛି, ପ୍ରଚଳିତ ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ଅଧିକ ପ୍ରାର୍ଥୀଙ୍କୁ ନିର୍ବାଚନରେ ଅଂଶଗ୍ରହଣ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନର ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ଆକର୍ଷଣ କରି ନ ପାରେ। ନିରବଚ୍ଛିନ୍ନ ସଂରକ୍ଷଣ ବ୍ୟବସ୍ଥା ନିର୍ବାଚିତ ପ୍ରତିନିଧିମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବକୁ ପ୍ରଭାବିତ କରିପାରେ। ସରକାର ଆହୁରି ଯୁକ୍ତି ବାଢ଼ିଛନ୍ତି, ୨୦୦୧ ଜନଗଣନାର ଜନସଂଖ୍ୟାକୁ ବିଚାରକୁ ନେଇ ଗତ ଥର ପୌର ପରିଷଦଗୁଡ଼ିକର ନିର୍ବାଚନ ହୋଇଥିଲା। ୨୦୧୧ ଜନଗଣନା ରିପୋର୍ଟ ଅନୁସାରେ ଜନସଂଖ୍ୟା ବୃଦ୍ଧି ଘଟିଛି। ପ୍ରତ୍ୟେକ ଓ୍ଵାର୍ଡର ଜନସଂଖ୍ୟା ଓ ବିଭିନ୍ନ ବର୍ଗର ଜନସଂଖ୍ୟାର ପ୍ରତିଶତ ପରିବର୍ତ୍ତନ ହୋଇଥାଇପାରେ। ଏଣୁ ସଂରକ୍ଷଣକୁ ଅତୁଟ ରଖିବା ଯୁକ୍ତିଯୁକ୍ତ ହୋଇ ନ ପାରେ। ତାହା ସହ ନିର୍ବାଚନରେ ଅଂଶଗ୍ରହଣ କରିବା ପାଇଁ ଅଧିକ ପ୍ରାର୍ଥୀଙ୍କୁ ଆକର୍ଷଣ କରିବା ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ହୋଇଥିବା ବ୍ୟବସ୍ଥାକୁ ପୌର ନିର୍ବାଚନରେ ଗ୍ରହଣ କରାଯିବ। ଫଳରେ ଦୁଇ ଥର ପରିବର୍ତ୍ତେ ପ୍ରତି ସାଧାରଣ ନିର୍ବାଚନରେ ପୌର ସଂସ୍ଥାଗୁଡ଼ିକର ଆସନ ଓ କାର୍ଯ୍ୟାଳୟଗୁଡ଼ିକୁ ସଂରକ୍ଷଣ ବ୍ୟବସ୍ଥା ବଦଳାଇ ଦିଆଯିବ।

ସମ୍ବନ୍ଧିତ ଖବର