୩୯ ପ୍ରକଳ୍ପ ୩ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ଲକ୍ଷ୍ୟ

କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୩୬୫ କୋଟି ମଞ୍ଜୁର

ଭୁବନେଶ୍ୱର : ରାଜ୍ୟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ପାଇଁ ୩୬୫ କୋଟି ଟଙ୍କା ମଞ୍ଜୁର ହୋଇଛି। ମୋଟ ୩୯ଟି ପ୍ରକଳ୍ପ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୬୦:୪୦ ଅନୁପାତରେ ଆର୍ଥିକ ସହାୟତା ଯୋଗାଇଦେବେ।  ପ୍ରକଳ୍ପଗୁଡ଼ିକ ୧ରୁ ୩ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଅନୁମୋଦନ କମିଟି ବୈଠକରେ ଉପରୋକ୍ତ ପ୍ରକଳ୍ପ ନିମନ୍ତେ ବ୍ୟୟ ଅଟକଳ ମଞ୍ଜୁର ହୋଇଛି। ଏ ନେଇ ସୂଚନା ଦେଇ କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ କହିଲେ, ସାକ୍ଷୀଗୋପାଳ ନଡ଼ିଆ ଫାର୍ମର ବିକାଶ, ଗଞ୍ଜାମ ଜିଲ୍ଲାରେ କୃଷକ ଉତ୍ପାଦକ ଗୋଷ୍ଠୀଗୁଡ଼ିକର ଗଠନ ଏବଂ କାର୍ଯ୍ୟକାରିତା, ପଶୁଧନ ଫାର୍ମର ଔଦ୍ୟୋଗିକ ବିକାଶ, ଦକ୍ଷତା ବୃଦ୍ଧି, ବଡ଼ ଧରଣର ରୋଗପୋକ ନିରାକରଣ ପାଇଁ ଜ୍ଞାନକୌଶଳ, ପଞ୍ଚାୟତ ସ୍ତରରେ କୃଷକ ପରାମର୍ଶ କେନ୍ଦ୍ର ସ୍ଥାପନ ଆଦି ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯିବ। ବିଭିନ୍ନ ଶସ୍ୟର ଅମଳ ପରବର୍ତୀ କାର୍ଯ୍ୟକ୍ରମ, ଶସ୍ୟକୁ ମୂଲ୍ୟଯୁକ୍ତ କରିବା ସହିତ କୃଷକମାନଙ୍କୁ ବଜାର ସହାୟତା ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ମୁଖ୍ୟ ସଚିବ। ବିଭିନ୍ନ ପ୍ରକଳ୍ପ ନିମନ୍ତେ ଆବଶ୍ୟକ ପରୀକ୍ଷା ପ୍ରକ୍ରିୟା କେନ୍ଦ୍ରଗୁଡ଼ିକରେ ଉପଯୁକ୍ତ ବ୍ୟକ୍ତିମାନଙ୍କୁ ମନୋନୟନ କରାଗଲେ ସେମାନେ ଉଦ୍ୟୋଗୀ ହୋଇପାରିବେ ବୋଲି ଶ୍ରୀ ପାଢ଼ୀ କହିଥିଲେ। ସୂଚନାଯୋଗ୍ୟ ଯେ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ବର୍ତମାନ ସୁଦ୍ଧା ୬୪୬ଟି ବଡ଼ ପ୍ରକଳ୍ପ ହାତକୁ ନିଆଯାଇଛି। ସେଥିମଧ୍ୟରୁ ୪୧୪ଟି ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି।

ସମ୍ବନ୍ଧିତ ଖବର