ଭୁବନେଶ୍ୱର : ‘ଦ ଇଲା ପଣ୍ଡା ସେଣ୍ଟର୍ ଫର୍ ଆର୍ଟସ୍ (ଆଇପିସିଏ)’ ପକ୍ଷରୁ ବୁଧବାର ଦିନ ଭୁବନେଶ୍ୱରଠାରେ ଏକ ପୁସ୍ତକ ଉନ୍ମୋଚନ ଓ ମେଧାବୃତ୍ତି ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଆଇପିସିଏ ଏକ ଅଣ-ଲାଭକାରୀ ଅନୁଷ୍ଠାନ, ଯାହାକି ଓଡ଼ିଶାର ଦୃଶ୍ୟକଳା ରୂପର ପ୍ରଦର୍ଶନ, ପ୍ରୋତ୍ସାହନ ଓ ସଂରକ୍ଷଣ ସହିତ ଓଡ଼ିଆ କଳାକାରମାନଙ୍କର କାର୍ଯ୍ୟକୁ ଜାତୀୟ ତଥା ଅନ୍ତର୍ଜାତୀୟ ମଞ୍ଚରେ ପ୍ରୋତ୍ସାହିତ କରିଆସୁଛି। ଏଥିସହିତ, ଜାତୀୟ ତଥା ଅନ୍ତର୍ଜାତୀୟ କଳା ପ୍ରଦର୍ଶନୀରେ ଅଂଶଗ୍ରହଣ ସହିତ ସେମିନାର, ପ୍ରକାଶନ, କଳା ଭ୍ରମଣ, କଳା ପ୍ରଦର୍ଶନୀରେ ଭାଗ ନେଉଥିବା କଳାକାରମାନଙ୍କୁ ସାହାଯ୍ୟ, ସହଯୋଗ ଯୋଗାଇ ଆସୁଛି। ଏହି ପରିପ୍ରେକ୍ଷୀରେ ଆଇପିସିଏ ପକ୍ଷରୁ ଆଜି ଏକ ପୁସ୍ତକ ଉନ୍ମୋଚନ ଏବଂ ମେଧାବୃତ୍ତି ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଶିଳ୍ପୀ ଦୁର୍ଗାପ୍ରସାଦ ଦାସଙ୍କ ‘ନନ୍ଦଲାଲ୍ ବୋଷ ଓ ଶାନ୍ତିନିକେତନ’ ପୁସ୍ତକକୁ ଉନ୍ମୋଚନ କରାଯାଇଥିଲା। ଶ୍ରୀ ଦାସ ହେଉଛନ୍ତି ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ତଥା କଲେଜ୍ ଅଫ୍ ଆର୍ଟ ଆଣ୍ଡ୍ କ୍ରାଫ୍ଟସ୍, ଖଲିକୋଟର ପୂର୍ବତନ ଅଧ୍ୟକ୍ଷ। ଶାନ୍ତନିକେତନରେ ସେ ଛାତ୍ରଥିବାବେଳେ ନନ୍ଦଲାଲ୍ ବୋଷଙ୍କ ସହିତ ତାଙ୍କର ବାର୍ତ୍ତାଳପ ଏହି ପୁସ୍ତକରେ ସ୍ଥାନ ପାଇଛି।
ଏଥିସହିତ, କଳା ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ବାହାରର ଜଣାଶୁଣା ବିଶ୍ୱବିଦ୍ୟାଳୟମାନଙ୍କରୁ ମାଷ୍ଟର୍ ଅଫ୍ ଫାଇନ୍ ଆର୍ଟ୍ସ (ଏମ୍ଏଫ୍ଏ) ହାସଲ କରିବା ପାଇଁ ମେଧାବୃତ୍ତି ପ୍ରଦାନ କରାଯାଇଥିଲା। ୨୦୨୦-୨୧ ମସିହାରେ ଏହି ଛାତ୍ରବୃତ୍ତି ପାଇଁ ୫ ଜଣ ସ୍ନୋତକୋତ୍ତର ଛାତ୍ର ମନୋନୀତ ହୋଇଛନ୍ତି। ସେମାନେ ହେଲେ: ମହେଶ ମେହେର , ଏମ୍ଏଫ୍ଏ (ସ୍କଲ୍ପଚର୍), ଦ ମହାରାଜା ସୟାଜିରାଓ ୟୁନିଭର୍ସିଟି ଅଫ୍ ବରୋଦା; ଦୀପକ କୁମାର ମଣ୍ଡଳ, ଏମ୍ଏଫ୍ଏ (ପ୍ରିଣ୍ଟ୍ ମେକିଙ୍ଗ୍), ସରୋଜିନୀ ନାଇଡୁ ସ୍କୁଲ୍ ଅଫ୍ ଆର୍ଟ ଆଣ୍ଡ୍ କମ୍ୟୁନିକେସନ୍, ୟୁନିଭର୍ସିଟି ଅଫ୍ ହାଇଦ୍ରାବାଦ୍; ରଶ୍ମିରଞ୍ଜନ ମହାନ୍ତି, ଏମ୍ଏଫ୍ଏ (ସେରାମିକ୍), ସାର୍ ଜେ ଜେ ସ୍କୁଲ୍ ଅଫ୍ ଆର୍ଟ, ମୁମ୍ବାଇ; ସୁଜିତ୍ କୁମାର ସ୍ୱାଇଁ, ଏମ୍ଏଫ୍ଏ (ପ୍ରିଣ୍ଟ୍ମେକିଙ୍ଗ୍), କଲେଜ୍ ଅଫ୍ ଆର୍ଟ୍ସ, ନୂଆଦିଲ୍ଲୀ ଓ ଅମିତ୍ ଓଝା, ଏମ୍ଏଫ୍ଏ (ପେଣ୍ଟିଙ୍ଗ୍), ଇନ୍ଦିରା କଳା ସଙ୍ଗୀତ ବିଶ୍ୱବିଦ୍ୟାଳୟ, ଖଇରାଗଡ଼।