ବିଦ୍ୟାର୍ଥୀଙ୍କୁ ମିଳିବ ଛାତ୍ରବୃତ୍ତି: ଯୁକ୍ତ ତିନି ଓ ପିଜି ଛାତ୍ରଙ୍କୁ ୯ହଜାର ଓ ଛାତ୍ରୀଙ୍କୁ ୧୦ ହଜାର

ବିକାଶ କ’ଣ ଯାଜପୁର ଆସି ଦେଖନ୍ତୁ ବିରୋଧୀ: ୫ଟି ଅଧ୍ୟକ୍ଷ

ଯାଜପୁରସଦର: ରାଜ୍ୟର ୯୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ଛାତ୍ରବୃତ୍ତି। ସାଢ଼େ ଚାରିଲକ୍ଷ ଯୁକ୍ତ ତିନି ଓ ୩୫ ହଜାର ପିଜି ଛାତ୍ରଛାତ୍ରୀ ଏହି ଯୋଜନାରେ ଉପକୃତ ହେବେ। ଛାତ୍ରମାନଙ୍କୁ ବାର୍ଷିକ ୯ ହଜାର ଟଙ୍କା ଓ ଛାତ୍ରୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ରେ ସିଧାସଳଖ ଏହି ଅର୍ଥ ଜମାହେବ। ଚଳିତବର୍ଷ ପାଇଁ ଆସନ୍ତା ୨୫ ତାରିଖ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟ୍‌କୁ ଏହି ଅର୍ଥ ପଠାଯିବ। ଆୟକର ଦେଉଥିବା ତଥା ସ୍ଥାୟୀ ସରକାରୀ ଚାକିରି କରିଥିବା ଅଭିଭାବକଙ୍କ ଛାତ୍ରଛାତ୍ରୀଙ୍କୁ ବାଦ୍‌ ଦେଇ ଅନ୍ୟ ସମସ୍ତ ପିଲା ଏହି ଯୋଜନାର ଲାଭ ଉଠାଇ ପାରିବେ। ଆଜି ଯାଜପୁର ସହରର ନରସିଂହ ‌ଚୌଧୁରୀ ମହାବିଦ୍ୟାଳୟ ପଡ଼ିଆରେ ‘ଯୁବଓଡିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରରେ ଯୋଗଦେଇ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏଭଳି ଐତିହାସିକ ଘୋଷଣା କରିଛନ୍ତି। ଶ୍ରୀ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ସଫଳତାର ମନ୍ତ୍ର ଦେବାସହ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି କହିଥିଲେ। ଆହୁରି ମଧ୍ୟ କହିଥିଲେ, ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଶିକ୍ଷା ଅତି ଗୁରୁତ୍ବପୂର୍ଣ୍ଣ ସୋପାନ। ବର୍ତ୍ତମାନର ସମୟ ଆଗାମୀ ୫୦/୬୦ ବର୍ଷ ପର୍ଯ୍ୟନ୍ତ ଜୀବନକୁ ପ୍ରଭାବିତ କରିବ। କେବଳ ପାଠ ପଢ଼ିଲେ ସଫଳତା ଆସେନି। ପାଠ ପଢ଼ିବା ସହ ନିଜ ଦକ୍ଷତା ବୃଦ୍ଧି କରିବାର ଆବଶ୍ୟକତା ରହିଛି।

ପ୍ରତିଭା ବିକାଶ ପାଇଁ ଦକ୍ଷତା କାର୍ଯ୍ୟକ୍ରମ ସହାୟତା କରିବ। ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ନୂଆ-ଓ ଜରିଆରେ ବିଭିନ୍ନ ପ୍ରତିଯୋଗିତାରେ ସାମିଲ କରାଯାଉଛି। ପ୍ରତିବର୍ଷ ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତା, ସାମାଜିକ କାର୍ଯ୍ୟ, କମ୍ପୁଟର ଟ୍ରେନିଂ, ଏଆଇ କ୍ଲାସ କରି ନିଜର ପଏଣ୍ଟ ଅନୁସାରେ ଅତିରିକ୍ତ ଅର୍ଥ ପାଇପାରିବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ୫-ଟି ଅଧ୍ୟକ୍ଷ କହିଥିଲେ, ଆସନ୍ତା ଶିକ୍ଷା ବର୍ଷରୁ ୩୦୦ କୋଟି ଟଙ୍କା କର୍ପସ ଫଣ୍ଡ ସହିତ ଏକ ପାଣ୍ଠି ଗଠନ କରାଯିବ ଏବଂ ଶିକ୍ଷା ତଥା ଉତ୍କର୍ଷ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ପାଣ୍ଠିରୁ ଉଚ୍ଚ ବୃତ୍ତି ରାଶି ପ୍ରଦାନ କରାଯିବ। ଅଗଷ୍ଟ ମାସ ସୁଦ୍ଧା ‘ନୂଆ- ଓ ମ୍ୟାଜିକ୍‌ ସ୍ମାର୍ଟ କାର୍ଡ’ ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଦିଆଯିବ। ଯେଉଁଥିରେ ଛାତ୍ରଛାତ୍ରୀ ବସ, ଟ୍ରେନ୍‌ରେ ଯାତ୍ରା ସମୟରେ ଫ୍ରି ୱାଇଫାଇ, ଅନ୍‌ଲାଇନ କୋର୍ସ, ସ୍କିଲ୍‌ ଡେଭଲପମେଣ୍ଟ୍‌, କୋଚିଂ ପ୍ରୋଗ୍ରାମରେ ଯୋଗଦେବା ପାଇଁ ବିଶେଷ ସୁବିଧା ପାଇ ପାରିବେ ବୋଲି ସେ କହିଥିଲେ।

ଯାଜପୁରସଦର: ବିକାଶ କ’ଣ ତାହା ଯାଜପୁର ଆସି ବିରୋଧୀ ଦେଖିଯାଆନ୍ତୁ। ଆଜି ଦିନିକିଆ ଯାଜପୁର ଗସ୍ତରେ ଆସିଥିବା ଅବସରରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଏଭଳି କଡ଼ା ମନ୍ତବ୍ୟ ଦେବା ସହିତ ଜିଲ୍ଲାବାସୀଙ୍କୁ ବିକାଶର ହିସାବ ଦେଇଛନ୍ତି। ୬ ମାସ ମଧ୍ୟରେ ଜିଲ୍ଲା ପାଇଁ ୬୧୦ କୋଟି ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି। ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତା ପଛରେ ଦୌଡ଼ନ୍ତି ନାହିଁ, ସେ ହେଉଛନ୍ତି ସେବାର ପ୍ରତୀକ। ଅପରପକ୍ଷେ, ଓଡ଼ିଶା ଗସ୍ତରେ ଆସିଥିବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କୁ କଡ଼ା ସମାଲୋଚନା କରିବା ସହିତ ରାଜ୍ୟର ବିକାଶର ଚିତ୍ର ଯାଜପୁରକୁ ଆସି ଦେଖିଯାଆନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି। ଶ୍ରୀ ପାଣ୍ଡିଆନ ଯାଜପୁର ଜିଲ୍ଲା ଗସ୍ତ ଅବସରରେ କୁସୁମା ପଡ଼ିଆରେ ଆୟୋଜିତ ସାଧାରଣସଭାରେ ଯୋଗଦେଇଥି‌ଲେ। ଏହି ଅବସରରେ ସେ କହିଥିଲେ, ୬ମାସ ପୂର୍ବେ ସେ ଯାଜପୁର ଗସ୍ତ କରି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସମୁଦ‌ାୟ ୫୪୦ଟି ଅଭିଯୋଗ ପାଇଥିଲେ। ଏହାଭିତରେ ୨୩୦୦ ଅଭିଯୋଗର ସମାଧାନ ହୋଇଛି। ଲୋକମାନଙ୍କ ବିଭିନ୍ନ ଅଭିଯୋଗ ଓ ପ୍ରସ୍ତାବ କାର୍ଯ୍ୟକାରୀ ସ୍ବରୂପ ବିଭିନ୍ନ ପ୍ରକଳ୍ପ ପାଇଁ ୬୧୦ କୋଟି ପ୍ରଦାନ କରାଯାଇଥିବା କହିଥିଲେ।

ଏହି ଅବସରରେ ସେ କହିଥିଲେ ଯେ ଯାଜପୁର ହେଉଛି ବିଜୁବାବୁଙ୍କ ମେରୁଦଣ୍ଡ। ବିଜୁବାବୁ ଓ ନବୀନବାବୁଙ୍କ ପଛରେ ଯାଜପୁରବାସୀଙ୍କ ସହଯୋଗ ରହିଛି। ମୁଖ୍ୟମନ୍ତ୍ରୀ କଥା ନୁହେଁ, କାମରେ ବିଶ୍ବାସ କରନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏକମାତ୍ର ଉଦ୍ଦେଶ୍ୟ ସଶକ୍ତ ଓଡ଼ିଶା ଗଠନ। ଯେଉଁ ରାଜ୍ୟରେ ଜଣେ ଗରିବ ମଧ୍ୟ ବଡ଼ ସ୍ବପ୍ନ ଦେଖିପାରୁଥିବ ଏବଂ ତାହା ସାକାର ହୋଇପାରୁଥିବ। ଯାଜପୁରର ସମସ୍ତ ୭ ନିର୍ବାଚନମଣ୍ଡଳୀରେ ନବୀନ ପଟ୍ଟନାୟକ ହିଁ ପ୍ରାର୍ଥୀ। ଆଗାମୀଦିନରେ ଯାଜପୁର ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କୁ ଆହୁରି ସଶକ୍ତ କରିବ ବୋଲି ସେ ଆଶାପ୍ରକାଶ କରିଥିଲେ।
ସେ ଆହୁରି ମଧ୍ୟ କହିଥି‌ଲେ, ମା’ ବିରଜାଙ୍କ  ଆଶୀର୍ବାଦ ରହିଲେ ନବୀନ ପଟ୍ଟନାୟକ ପୁନର୍ବାର ଓଡ଼ିଶାକୁ ସୁଶାସନ ଦେବାର ଭାର ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାରୁ ସେ ପ୍ରେରଣା ପାଇଛନ୍ତି। ଲୋକଙ୍କ ପାଇଁ ସମର୍ପିତ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ ସେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ଯାଜପୁର ଜିଲ୍ଲାବାସୀ ଯେଉଁ ବିଶ୍ବାସ ଭଲପାଇବା ଦେଇଛନ୍ତି, ସେଥିପାଇଁ ଋଣୀ ବୋଲି କହି କୃତଜ୍ଞତା ଜଣାଇଥିଲେ ଶ୍ରୀ ପାଣ୍ଡିଆନ। ଏହି ଅବସର‌ରେ ସେ ମା’ ବିରଜା ମନ୍ଦିର ରୂପାନ୍ତରଣ ପାଇଁ ୧୫ କୋଟି ଟଙ୍କା, ବରାହ ପ୍ରକଳ୍ପ ବିକାଶ ପାଇଁ ୧୫ କୋଟି ଟଙ୍କା, ମହାବିନାୟକ ପୀଠ ପାଇଁ ୭ କୋଟି ୬୦ ଲକ୍ଷ ଟଙ୍କା, ଦଶରଥପୁରର ସିଦ୍ଧେଶ୍ବର ମନ୍ଦିର ପାଇଁ  ୧କୋଟି ୫୦ ଲକ୍ଷ ଟଙ୍କା, ବିଂଝାରପୁରର ବରୁଣେଶ୍ବର ମନ୍ଦିର ପାଇଁ ୭ କୋଟି ଟଙ୍କା, ଯାଜପୁରର ବେଲେଶ୍ବର ପୀଠ ପାଇଁ ଦେଢ଼କୋଟି, ରସୁଲପୁରର ନାରାୟଣ ଗୋସାଇଁ ପାଇଁ ୧.୫୦ କୋଟି, ଧର୍ମଶାଳାର ଗୋକର୍ଣ୍ଣେଶ୍ବର ପାଇଁ ଦେଢ଼କୋଟି, ସୁକିନ୍ଦା ଜଗନ୍ନାଥ ମନ୍ଦିର ପାଇଁ ଦେଢ଼ କୋଟି, ଦଶରଥପୁରର ଜୟଚଣ୍ଡୀ ପୀଠ ପାଇଁ  ୧.୫୦ କୋଟି, ବ୍ୟାସନଗରର ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ମଧ୍ୟ ୧.୫୦ କୋଟି ମଞ୍ଜୁର ହୋଇଥିବା କହିଥିଲେ।

ଏଥିସହିତ, ଛତିଆ ଟୁରିଷ୍ଟ ସେଣ୍ଟର ପାଇଁ ୧ କୋଟି,  ଚିଙ୍ଗୁଡ଼ିଆ ନାଳ ଉପରେ ବ୍ରିଜ ପାଇଁ  ୬୦ କୋଟି, ବୈତରଣୀର ବେହେରାପାଟଣାରୁ ବାଲିପୋଖରୀ ରାସ୍ତା ଉପରେ ସେତୁ ନିର୍ମାଣ ପାଇଁ ୨୨.୧୮ କୋଟି ଟଙ୍କା, ମାଳିଆ-ବଳଭଦ୍ରପୁର ଭାୟା କପିଳା ରାସ୍ତାର ଉନ୍ନତୀକରଣ ପାଇଁ ୧୮.୮୦ କୋଟି, ବ୍ରାହ୍ମଣୀ ନଦୀ ଉପରେ ପରମାନନ୍ଦପୁରର କୁଶଭଦ୍ରା ରାସ୍ତା ପାଇଁ ୧୮.୭୦ ଲକ୍ଷ ପାଇଁ ଅର୍ଥ ମଂଜୁର କରିଛନ୍ତି। ଦଶରଥପୁରରେ ନୂଆ ବିଜ୍ଞାନ କଲେଜ ଓ ଆର୍ଟସ ବ୍ଲକ୍ ପାଇଁ ୧୫ କୋଟି ମଞ୍ଜୁର ହୋଇଥିବା ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସାଂସଦ, ସମସ୍ତ ବିଧାୟକ, ଲୋକ ପ୍ରତିନିଧି, ପଞ୍ଚାୟତ ପ୍ରତିନିଧି, ଜିଲ୍ଲାପରିଷଦ ସଭ୍ୟସଭ୍ୟାଙ୍କ ସହ ବହୁ ଜନସାଧାରଣ ସାମିଲ ହୋଇଥିଲେ।

 

ସମ୍ବନ୍ଧିତ ଖବର