ବିଶ୍ବବିଦ୍ୟାଳୟ, କଲେଜ ଖୋଲିଲା; ୯ମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆରମ୍ଭ

ଭୁବନେଶ୍ବର : କରୋନା ସଂକ୍ରମଣ ଧୀରେ ଧୀରେ ତଳ ମୁହାଁ ହେଉଛି। ତାହାକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ଶ୍ରେଣୀ ପାଇଁ ଶିକ୍ଷାନୁଷ୍ଠାନ ଖୋଲୁଛି। ଗତ ମାସଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଆଜିଠୁ ନବମ ଶ୍ରେଣୀ ପିଲା ସ୍କୁଲରେ ପାଦ ରଖିଛନ୍ତି। ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ଯାଏ ନବମ ଶ୍ରେଣୀ ପିଲାଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦେଶାବଳୀ ପାଳନ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବେଶ ସମୟରେ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ସହ ହ୍ୟାଣ୍ଡ ସାନିଟାଇଜେସନ ବାଧ୍ୟତାମୂଳକ ହୋଇଛି। ସେହିପରି ସାମାଜିକ ଦୂରତ୍ୱ ରକ୍ଷା କରି କ୍ଲାସରୁମରେ ସିଟିଂ ଆରେଞ୍ଜମେଣ୍ଟ ହୋଇଛି। ଗୋଟିଏ ସମୟରେ ୯ମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେଉଥିବାରୁ ଆବଶ୍ୟକୀୟ ପଦ‌କ୍ଷେପ ଗ୍ରହଣ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଆଜି ବିଭିନ୍ନ ସ୍କୁଲ ଗସ୍ତ କରି ୯ମ ଶ୍ରେଣୀ ପିଲାଙ୍କ ପାଠପଢ଼ା ସମ୍ପର୍କରେ ପଚାରି ବୁଝିଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ କରୋନା କଟକଣା ମଧ୍ୟରେ ପିଲାଙ୍କ ପାଠପଢ଼ା ଚାଲିଛି। ଏପର୍ଯ୍ୟନ୍ତ ସ୍କୁଲ ପିଲା ଆକ୍ରାନ୍ତ ହେବା ନେଇ କୌଣସି ସୂଚନା ଆସି ନାହିଁ। ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ଆମ ନଜର ରହିଛି। ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ଆଜି ପ୍ରଥମ ଦିନ ହୋଇଥିବାରୁ ଉପସ୍ଥାନ କମ୍‌ ରହିଥିବା ଖବର ଆସିଛି।

ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକ ଆଜିଠାରୁ ପୁଣିଥରେ ଖୋଲିଛି। ପ୍ରଥମ ଦିନ ହୋଇଥିବାରୁ ଉପସ୍ଥାନ ବହୁତ କମ୍‌ ରହିଥିବା ଦୃଷ୍ଟିକୁ ଆସିଛି। ଏମିତିକି ଅଧିକାଂଶ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୫୦% ଡେଇଁ ନାହିଁ। କରୋନା ସଂକ୍ରମଣ ଭୟ ରହୁଥିବାରୁ ବହୁ ପିଲାଙ୍କୁ ଅଭିଭାବକ ଛାଡ଼ିବାକୁ ନାରାଜ। ଘରେ ରହି ଅନ୍‌ଲାଇନ୍‌ରେ ପଢ଼ିବାକୁ ପରାମର୍ଶ ଦେଉଛନ୍ତି। ‌କରୋନା କଟକଣା ମଧ୍ୟରେ ଗତ ୧୪ ତାରିଖଠାରୁ ବିଶ୍ବବିଦ୍ୟାଳୟ ଓ କଲେଜର ହଷ୍ଟେଲଗୁଡ଼ିକ ଖୋଲାଯାଇଥିଲେ ମଧ୍ୟ ଅଧିକାଂଶ ପିଲା ଆସି ନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର