ଭୁବନେଶ୍ବର : ଓଡ଼ିଶା ଉପକୂଳ ଏବଂ ଏହାର ଆଖପାଖ ୧୪ଟି ଜିଲ୍ଲା‌ ଭୟଙ୍କର ସାମୁଦ୍ରିକ ବାତ୍ୟା ଫନି ଯୋଗୁଁ ଘୋର ପ୍ରଭାବିତ ହୋଇଛି। ବାତ୍ୟା ମାଡ଼ ହେବାର ଦ୍ବିତୀୟ ଦିନ ଶନିବାର ସନ୍ଧ୍ୟା ସୁଦ୍ଧା ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଟେଲିକମ୍‌ ଯୋଗାଯୋଗ ସ୍ବାଭାବିକ ହୋଇପାରି ନାହିଁ। ଫଳରେ ବାତ୍ୟାଜନିତ କ୍ଷୟକ୍ଷତିର ସଂପୂର୍ଣ୍ଣ ଚିତ୍ର ଉପଲବ୍ଧ ହେଉ ନାହିଁ। ଏହି କାରଣରୁ ଫନି ପ୍ରଭାବରେ ମୃତାହତଙ୍କ ସଂଖ୍ୟା ଏତେ ପର୍ଯ୍ୟନ୍ତ ମିଳିପାରି ନାହିଁ। ଏଭଳି ଗମ୍ଭୀର ସ୍ଥିତି ମଧ୍ୟରେ ରାଜ୍ୟ ସରକାର କ୍ଷୟକ୍ଷତିର ପ୍ରାଥମିକ ଆକଳନ କରିଛନ୍ତି। ଏହି କ୍ଷୟକ୍ଷତି ଆକଳନ ଅନୁଯାୟୀ ୧୪ଟି ପ୍ରଭାବିତ ଜିଲ୍ଲାରେ ବହୁସଂଖ୍ୟକ ସ୍କୁଲ ଓ ସ୍ବାସ୍ଥ୍ୟକେନ୍ଦ୍ର ଗୃହ, ନଦୀ, ରାସ୍ତା, ଗଛ, ଗ୍ରୀଷ୍ମକାଳୀନ ଫସଲ, ପନିପରିବା ଆଦି ନଷ୍ଟ ହୋଇଥିବା ର‌ିପୋର୍ଟ କରାଯାଇଛି।

Advertisment

ଏହି ଆକଳନ ଅନୁଯାୟୀ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ସ୍କୁଲ ଓ ସ୍ବାସ୍ଥ୍ୟକେନ୍ଦ୍ର ଗୃହ। ୫୨୪୪ଟି ପ୍ରାଥମିକ ବିଦ୍ୟାଳୟ, ୫୪୭ଟି ଉଚ୍ଚ ପ୍ରାଥମିକ ଓ ବିଦ୍ୟାଳୟ, ୧୮୦ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଓ ୧୦୩୧ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୃହ ଭାଙ୍ଗିଛି। ପ୍ରାୟ ୯୮୦.୬୯ କି.ମି. ନଦୀ ଓ ଲୁଣାବନ୍ଧ ଭାଙ୍ଗିଥିବା ବେଳେ ୨୨୭ଟି ଘାଇ ସୃଷ୍ଟି ହୋଇଛି। ଏହା ସହିତ ୫୫୯୬ କି.ମି. ରାସ୍ତା ଓ ୩୨୬ଟି କଲ୍‌ଭର୍ଟ ଭାଙ୍ଗିଛି। ଗଛ, ବିଜୁଳି ଖୁଣ୍ଟି, ତାର ଆଦି ଉପୁଡ଼ି ପଡ଼ି ୫୫୬ଟି ରାସ୍ତା ଅବରୋଧ ହୋଇଛି। ଏହା ଫଳରେ ଭୁବନେଶ୍ବର, କଟକ, ପୁରୀ ସହିତ ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ରାସ୍ତାରେ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖରାଦିନିଆ ଫସଲ ଯଥା: ଧାନ, ରବି ଫସଲ, ପନିପରିବା ସହିତ ଆମ୍ବ, ନଡ଼ିଆ, ପଣସ ଆଦି ଫଳ ଚାଷ ଉଜୁଡ଼ିଛି। ଫନି ଯୋଗୁଁ କେବଳ ବିଦ୍ୟୁତ୍‌ ଭିତ୍ତିଭୂମି ନୁହେଁ ଟେଲିକମ୍‌ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି। ଫଳରେ ପୁରୀ, ଭୁବନେଶ୍ବର, ଖୋର୍ଧାରେ ଟାୱାର ଭାଙ୍ଗି ପୂରା ଠପ୍‌ ହୋଇଛି ମୋବାଇଲ୍‌ ସେବା। ଭୁବନେଶ୍ବରରେ ବାତ୍ୟା ଯୋଗୁଁ ୩ଜଣ ବ୍ୟକ୍ତି ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି।

ଏସବୁ କ୍ଷୟକ୍ଷତି ଯୋଗୁଁ ଜନଜୀବନ ଘୋର ପ୍ରଭାବିତ ହୋଇଛି। ଇତି ମଧ୍ୟରେ ଆନ୍ଧ୍ର ପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟରୁ ବିଦ୍ୟୁତ୍‌ ସେବାକୁ ପୁନରୁଦ୍ଧାର ପାଇଁ ବହୁସଂଖ୍ୟକ କର୍ମଚାରୀ ଆସିଥିବା ଏସ୍‌ଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସଡ଼କ ଯୋଗାଯୋଗ ବ୍ୟବସ୍ଥା ସ୍ବାଭାବିକ ହୋଇପାରିଛି। ପୁରୀ ଓ ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳକୁ ରିଲିଫ ସାମଗ୍ରୀ ପଠାଯାଇଛି। ୨୪୮୯୯ଜଣ ପର୍ଯ୍ୟଟକଙ୍କୁ ପୁରୀ, ଗଞ୍ଜାମ, କଟକ ଓ ବାଲେଶ୍ବର ଜିଲ୍ଲାରୁ ସୁରକ୍ଷିତ ସ୍ଥାନକୁ କିମ୍ବା ନିଜ ନିଜ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଛି।

ପାନୀୟଜଳ ଯୋଗାଣ ବିପର୍ଯ୍ୟସ୍ତ ହୋଇଥିବାରୁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଡିଜି ସେଟ୍‌ ଯୋଗାଇ ଦିଆଯାଇଛି। ଏହାକୁ ଅନୁଧ୍ୟାନ କରିବା ପାଇଁ ପୁରୀ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଆଦି ଜିଲ୍ଲାରେ ଜିଲ୍ଲା ପ୍ରଶାସନଙ୍କୁ ସହଯୋଗ କରିବା ପାଇଁ ଅଧିକାରୀମାନେ ନିୟୋଜିତ ହୋଇଛନ୍ତିି। ସେହିପରି ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ୩୨୧ଟି ମୋବାଇଲ୍‌ ମେଡିକାଲ୍‌ ଟିମ୍‌ ନିୟୋଜିତ ହୋଇଛନ୍ତି। ୧୯୪୫ଜଣ ଗର୍ଭବତୀ ମହିଳାଙ୍କୁ ମା’ ଗୃହ କିମ୍ବା ପ୍ରସବ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ସେହିପରି ରାସ୍ତା ଉପରେ ପଡ଼ିଥିବା ଗଛକାଟି ସଫା କରିବାକୁ ୨୦ ଓଡ୍ରାଫ, ୪୪ଟି ଏନ୍‌ଡିଆରଏଫ୍‌ ଓ ୫୨୫ଟି ଅଗ୍ନିଶମ ଟିମ୍‌ ନିୟୋଜିତ ହୋଇଛନ୍ତିି। ପ୍ରତି ଜିଲ୍ଲାର ଆବଶ୍ୟକତା ଅନୁଯାୟୀ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଥିବା ପ୍ରାଥମିକ ଆକଳନ ରିପୋର୍ଟରେ ଦର୍ଶାଯାଇଛି। ଏଥିରେ ପୁରୀ, ଖୋର୍ଧା, କଟକ, ବାଲେଶ୍ବର, ଗଞ୍ଜାମ, ଯାଜପୁର, ଭଦ୍ରକ, ଜଗତ୍‌ସିଂହପୁର, ଅନୁଗୁଳ, ଗଜପତିି, ଢେଙ୍କାନାଳ, ରାୟଗଡ଼ା, କେନ୍ଦ୍ରାପଡ଼ା, ନୟାଗଡ଼ ଆଦି ୧୪ଟି ଜିଲ୍ଲା ସହିତ ଭୁବନେଶ୍ବରକୁ ସାମିଲ କରାଯାଇଛି।