ମୋଟର ଯାନ ନିୟମ ତଦାରଖ କରିବେ ସ୍କୁଲ କର୍ତ୍ତୃପକ୍ଷ, ଏସ୍‌ଟିଏ ପକ୍ଷରୁ ସ୍କୁଲ ଗାଡ଼ି ପାଇଁ ଜାରି ହେଲା ନିୟମାବଳୀ

ଭୁବନେଶ୍ବର: ସ୍କୁଲ ଛାତ୍ରଛାତ୍ରୀଙ୍କ ଯାତାୟତ ପାଇଁ ବ୍ୟବହାର ହେଉଥିବା ବସ୍‌ ଏବଂ ଅନ୍ୟ ଗାଡ଼ିଗୁଡ଼ିକର ଫିଟନେସ୍‌ ନଥିବାବେଳେ ବହୁ ସ୍କୁଲ କର୍ତ୍ତୃପକ୍ଷ ୨୦୧୬ରେ ପ୍ରସ୍ତୁତ ହୋଇଥିବା ‘ସ୍କୁଲ ଛାତ୍ରଛାତ୍ରୀଙ୍କ ପରିବହନ ନୀତି’କୁ ମାନୁନାହାନ୍ତି। ତେଣୁ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ଏନେଇ କଡ଼ାକଡ଼ି ଯାଞ୍ଚ ହୋଇଥିଲା। ହେଲେ ସବୁ ଗାଡ଼ି ଯାଞ୍ଚ କରିବା ସମ୍ଭବ ନଥିବାରୁ ଏହାର ଯାଞ୍ଚ ଦାୟିତ୍ବ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦିଆଯାଇଛି। ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କ ସ୍କୁଲର ଛାତ୍ରଛାତ୍ରୀଙ୍କ ଯାତାୟତ ପାଇଁ ବ୍ୟବହାର ହେଉଥିବା ଗାଡ଼ିର ଫିଟନେସ୍ ଯାଞ୍ଚ କରିବା ସହ ମୋଟର ଯାନ ନିୟମ ସବୁ ପାଳନ କରିବାକୁ ଏସ୍‌ଟିଏ ପକ୍ଷରୁ କୁହାଯାଇଛି। ପରିବହନ ବିଭାଗର ସଡ଼କ ସୁରକ୍ଷା ଯୁଗ୍ମ କମିସନର ସଞ୍ଜୟ ବିଶ୍ବାଳ କହିଛନ୍ତି ଯେ, ସ୍କୁଲ ପିଲା ପରିବହନ ପ୍ରସଙ୍ଗକୁ ହାଲୁକା ଭାବେ ଗ୍ରହଣ କରାଯାଇପାରିବ ନାହିଁ। ଛାତ୍ରଛାତ୍ରୀଙ୍କ ଅସୁବିଧା ପାଇଁ ସଂପୃକ୍ତ ସ୍କୁଲ ବସ୍ ଅପରେଟର ଏବଂ ସ୍କୁଲ ମ୍ୟାନେଜମେଣ୍ଟ ଦାୟୀ ରହିବେ। ବିଦ୍ୟାଳୟ ପରିଚାଳନା କମିଟି ନିଶ୍ଚିତ କରୁ ଯେ ସେମାନଙ୍କର ବସ୍ ସବୁ ଚଳାଚଳ ଯୋଗ୍ୟ ଅବସ୍ଥାରେ ଅଛି, ଡ୍ରାଇଭରମାନେ ଭଲ ତାଲିମପ୍ରାପ୍ତ, ଡ୍ରାଇଭରମାନେ ଶାରୀରିକ ଭାବରେ ଫିଟ୍ ଅଛନ୍ତି ଏବଂ ସେମାନଙ୍କର ବୈଧ ଡ୍ରାଇଭିଂ ଲାଇସେନ୍ସ ଅଛି।

ଶ୍ରୀ ବିଶ୍ବାଳ କହିଛନ୍ତି ଯେ, ଗତ ସପ୍ତାହେ ଧରି ଏସ୍‌ଟିଏ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଡ୍ରାଇଭରେ ସ୍କୁଲ ଛାତ୍ରଛାତ୍ରୀ ପରିବହନ ପାଇଁ ନିୟୋଜିତ ପ୍ରାୟ ୧୦୯୬ ଗାଡି ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ପାଇଁ ଦଣ୍ଡିତ ହୋଇଛି। ଚିନ୍ତାର ବିଷୟ‌ ଯେ, ଫିଟନେସ୍ ସାର୍ଟିଫିକେଟ୍ ବିନା ୮୨୦ଟି ଗାଡ଼ି ଚାଲୁଥିବାବେଳେ ୩୮୭ଟି ଗାଡିର ବୈଧ ଅନୁମତି ନାହିଁ ଏବଂ ୩୧୧ ଡ୍ରାଇଭରଙ୍କର ବୈଧ ଡ୍ରାଇଭିଂ ଲାଇସେନ୍ସ ନାହିଁ। ବିନା ଡ୍ରାଇଭିଂ ଲାଇସେନ୍‌ସ, ପରିମଟ୍, ଫିଟନେସ୍‌ରେ ଗାଡ଼ି ଚାଲିଲେ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ରହୁଛି। ତେଣୁ ଏହାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି।

ଏସ୍‌ଟିଏ ପକ୍ଷରୁ ସ୍କୁଲ ଗାଡ଼ି ପାଇଁ ନିୟମାବଳୀ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଯେଉଁ ସ୍କୁଲଗୁଡ଼ିକ ଚୁକ୍ତିଭିତ୍ତିକ, ଭଡ଼ା ଭିତ୍ତିରେ ବସ୍ ଚଳାଉଛନ୍ତି, ସେହି ସ୍କୁଲଗୁଡ଼ିକ ମାଲିକାନା କରୁଥିବା ବସ୍ ଉପରେ ପ୍ରଯୁଜ୍ୟ ନିୟମାବଳୀ ପାଳନ କରିବେ। ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ଏହି ଯାନଗୁଡିକର ସୁରକ୍ଷା ଅଡିଟ୍ କରିବେ।
ସେହିପରି ସ୍କୁଲ ପିଲା ଯାତାୟତ କରୁଥିବା ସମସ୍ତ ଗାଡ଼ିରେ ଏକ ସିସିଟିଭି କ୍ୟାମେରା, ଜିପିଏସ୍ ଟ୍ରାକର୍, ପ୍ରାଥମିକ ଚିକିତ୍ସା ବାକ୍ସ, ଠିକ୍ ଗ୍ରିଲ୍, ଜରୁରୀକାଳୀନ ନିଷ୍କାସନ ବ୍ୟବସ୍ଥା ଏବଂ ଅଗ୍ନି ନିର୍ବାପକ ଯନ୍ତ୍ର ରହିବା ଆବଶ୍ୟକ। ସେମାନେ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅଭିଭାବକଙ୍କ ନାମ ଏବଂ ଫୋନ ନମ୍ବର ଗୁଡ଼ିକର ଏକ ତାଲିକା ରଖିବେ। ବସ୍‌ରେ ସ୍କୁଲରୁ ଜଣେ ହେଲ୍ପର ରହିବେ। ବସ୍‌‌େର ସିଟ୍ ଯେତିକି ସେତିକି ପିଲା ଯିବେ। କୌଣସି ପରିସ୍ଥିତିରେ ଓଭରଲୋଡିଂ ହେବନି। ସ୍କୁଲ ବସ୍‌/ତିନିଚକିଆ ଗାଡ଼ିରେ କେତେ ପିଲା ବସିପାରିବେ ତାହା ଗାଡ଼ି ଭିତରେ ଓ ବାହାରେ ଲେଖାଯିବ। ଗାଡ଼ି ସ୍କୁଲ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ଗାଡ଼ିର ଆଗରେ ଓ ପଛରେ ସ୍କୁଲ ଭ୍ୟାନ୍ ଓ ସ୍କୁଲ ଡ୍ୟୁଟ‌ିରେ ଲେଖାଯିବ। ୫ବର୍ଷରେ ଡ୍ରାଇଭିଂ ଅଭିଜ୍ଞତା ଥିଲେ ସ୍କୁଲ ଗାଡ଼ି ଚଲାଇବାକୁ ଅନୁମତି ମିଳିବା ଦରକାର।

ସେହିପରି ସ୍କୁଲ ବସ୍‌ ଚଲାଉଥିବା ଡ୍ରାଇଭର ରେଡ୍ ଲାଇଟ୍ ଜମ୍ପ୍, ଗାଡ଼ି ଅନୁଶାସନର ଉଲ୍ଲଂଘନ କିମ୍ବା ଅନଧିକୃତ ବ୍ୟକ୍ତିଙ୍କୁ ଗାଡି ଚଳାଇବାକୁ ଅନୁମତି ଦେବା ଭଳି ଅପରାଧରେ ତାଙ୍କୁ ବର୍ଷରେ ଦୁଇଥରରୁ ଅଧିକ ଜରିମାନା ହୋଇନଥିବ। ଅତ୍ୟଧିକ ଦ୍ରୁତ ଗତିରେ, ମଦ୍ୟପାନ କରି ଗାଡ଼ି ଚଳାଇବା ଏବଂ ସାଂଘାତିକ ଦୁର୍ଘଟଣା ହେତୁ ବିପଜ୍ଜନକ ଡ୍ରାଇଭିଂ ଅପରାଧ ପାଇଁ ତାଙ୍କୁ କେବେ ଦଣ୍ଡିତ କରାଯାଇନଥିବ। ସେ ବର୍ଷକୁ ଥରେ ସ୍କୁଲସ୍ତରୀୟ ପରିବହନ କମିଟି ଆଗରେ ଡ୍ରାଇଭିଂ ସ୍କିଲ୍ ପରୀକ୍ଷା ଦେବେ ଏବଂ ସେହି ସମୟରେ ତାଙ୍କର ଆଖି ପରୀକ୍ଷା ହେବ।

ଏହାବାଦ୍ ପ୍ରତ୍ୟେକ ସ୍କୁଲରେ ଅଭିଭାବକ, ପରିବହନ ପ୍ରତିନିଧି ଏବଂ ବିଦ୍ୟାଳୟର କର୍ମଚାରୀଙ୍କୁ ନେଇ ଏକ ସ୍କୁଲ ସ୍ତରୀୟ ପରିବହନ କମିଟି ରହିବ। ଯାହାକି ସ୍କୁଲ ପିଲାମାନଙ୍କର ନିରାପଦ ପରିବହନ ସମ୍ବନ୍ଧୀୟ ବିଷୟ ଉପରେ ଦୃଷ୍ଟି ରଖିବ। ଯଦି କୌଣସି ବିଦ୍ୟାଳୟରେ ଏପରି କମିଟି ନଥାଏ, ତେବେ ଏହା ତୁରନ୍ତ ଏକ ଗଠନ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର