ଜଳିଗଲା ସ୍କୁଲ୍‌ଗାଡ଼ି ବର୍ତ୍ତିଲେ ୨୦ ଛାତ୍ରଛାତ୍ରୀ

ପାଟଣା: କେନ୍ଦ୍ରୁଝର ଜିଲ୍ଲା ଅନ୍ତର୍ଗତ ପାଟଣା ଶିଶୁମନ୍ଦିରର ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଟାଟା ମ୍ୟାଜିକ ଗାଡ଼ି ଆଜି ରାସ୍ତାରେ ଜଳିଯାଇଛି। ପାଟଣା ଥାନା ଅଧୀନ ଧାନବେଣି ରାସ୍ତା ମଝିରେ ଗାଡ଼ିଟି ହଠାତ ଜଳିଯାଇଥିଲେ ବି ଛାତ୍ରଛାତ୍ରୀଙ୍କର କୌଣସି କ୍ଷତି ଘଟିନାହିଁ। ‌ସମସ୍ତେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପାଟଣା ଶିଶୁମନ୍ଦିରର ୨୦ ଶିଶୁ ଆଜି ସ୍କୁଲ ଛୁଟି ପରେ ଏହି ଟାଟା ମ୍ୟାଜିକରେ ଘରକୁ ଫେରୁଥିଲେ। କୌଣସି କାରଣରୁ ଧାନବେଣିଠାରେ ଗାଡ଼ିରୁ ଧୂଆଁ ବାହାରିଥିଲା। ଏହା ଦେଖି ଚାଳକ ତୁରନ୍ତ ଗାଡ଼ି ରଖି ଶିଶୁମାନଙ୍କୁ ଓହ୍ଲାଇ ଦେଇଥିଲେ। କେହି କିଛି କିଛି ବୁଝିବା ପୂର୍ବରୁ ଗାଡ଼ିଟି ହୁତ୍‌ହୁତ୍‌ ହୋଇ ଜଳିଯାଇଥିଲା। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପାଟଣାଠାରୁ ମାତ୍ର ୧ କିଲୋମିଟର ଦୂରରେ ଏହି ଅଘଟଣ ଘଟିଥିଲାବେଳେ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର