ସବୁଜିମାଭରା ହେବ ବିଦ୍ୟାଳୟ କ୍ୟାମ୍ପସ୍‌: ବୃକ୍ଷରୋପଣ ଅଭିଯାନ କରିବ ଓଷ୍ଟା

ଭୁବନେଶ୍ୱର : ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟରେ ଅନ୍ୟୂନ ଗୋଟିଏ ନିମ୍ବ କିମ୍ବା ତୁଳସୀ ଗଛ ଲଗାଯିବ। ଏଥିସହ ଅଧିକ ଅମ୍ଳଜାନ ଯୋଗାଉଥିବା ଅଶ୍ୱତ୍ଥ, ବଟ, ବେଲ, ଜାମୁ ଓ କରଞ୍ଜ ଆଦି ବୃକ୍ଷ ବିଦ୍ୟାଳୟ ସଂଲଗ୍ନ ଗ୍ରାମରେ ରୋପଣ କରିବା ପାଇଁ ଲୋକଙ୍କୁ ସଚେତନ କରାଯିବ। ବିଦ୍ୟାଳୟ କ୍ୟାମ୍ପସ୍‌ରେ ରୋପଣ ହୋଇଥିବା ବୃକ୍ଷକୁ ରାଜ୍ୟ କିମ୍ବା ଜାତୀୟସ୍ତରର ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମରେ ନାମିତ କରାଯିବ। ବିଦ୍ୟାଳୟ ସଂଲଗ୍ନ ଗ୍ରାମରେ ରୋପଣ ହୋଇଥିବା ଗଛଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ବିଦ୍ୟାଳୟର ଜଣେ ଶିକ୍ଷକ କିମ୍ବା ଶିକ୍ଷା କର୍ମଚାରୀଙ୍କ ଉପରେ ନ୍ୟସ୍ତ ହେବ। ଅଗଷ୍ଟ ୬ ସୁଦ୍ଧା ତୁଳସୀ ଓ ନିମ୍ବ ଚ‌ା‌ରାକୁ ସଂଗ୍ରହ କରାଯାଇ ୭ ତାରିଖରେ ସାରା ରାଜ୍ୟର ବିଦ୍ୟାଳୟରେ ରୋପଣ ହେବ। ସେହିପରି ଅଗଷ୍ଟ ୮ରୁ ୧୪ ମଧ୍ୟରେ ଗଛ ସଂଗ୍ରହ କରାଯାଇ ସ୍ୱାଧୀନତା ଦିବସରେ ଗ୍ରାମରେ ରୋପଣ କରାଯିବ। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ହେବାକୁ ଥିବା ଏହି ବୃକ୍ଷରୋପଣ ଅଭିଯାନକୁ ସଫଳ କରିବା ପାଇଁ ବନ ବିଭାଗ, ବିଦ୍ୟାଳୟ ପରିଚାଳନା ସମିତି, ସ୍ୱେଚ୍ଛାସେବୀ ସଂଗଠନ, ଉତ୍ସାହୀ ଯୁବକ ଓ ପ୍ରେରଣା ସଂଗଠନରେ କାର୍ଯ୍ୟ କରୁଥିବା ଅଭିଜ୍ଞ ବ୍ୟକ୍ତିବିଶେଷଙ୍କୁ ସାମିଲ ହେବେ। ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ବୃକ୍ଷରୋପଣ ସପ୍ତାହ ପାଳନ କରି ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଓଷ୍ଟା ପକ୍ଷରୁ ଆଜି ଆୟୋଜିତ ‘ବିଦ୍ୟାଳୟରେ ବୃକ୍ଷରୋପଣ ଓ ଏହାର ଆବଶ୍ୟକତା’ ଶୀର୍ଷକ ଆଲୋଚନାଚକ୍ରରେ ନିଷ୍ପତ୍ତି ହୋଇଛି।

ଏହାକୁ ଉଦ୍‌ଘାଟନ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଲେ କରୋନା ସମୟରେ ଅମ୍ଳଜାନର ଅଭାବ ବିଶ୍ୱର ଆଖି ଖୋଲି ଦେଇଛି। ରାଜ୍ୟର ୮ ହଜାରରୁ ଅଧିକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଜମି ରହିଛି। ଯଦି ଶିକ୍ଷକମାନେ ବୃକ୍ଷରୋପଣରେ ମନୋନିବେଶ କରିବେ ତାହାଲେ ଏକ ବଡ଼ ବନାନୀ ସୃଷ୍ଟି ହୋଇପାରିବ। ଓଷ୍ଟା ସଭାପତି ବିନୋଦ ବିହାରୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ପରିବେଶବିତ୍ ଭଗବାନ ପ୍ରକାଶ, ‘ପ୍ରେରଣା’ର ଅଧ୍ୟକ୍ଷ ଦିଲ୍ଲୀପ ଶ୍ରୀଚନ୍ଦନ ଯୋଗଦେଇ ସ୍କୁଲ ପରିସରକୁ ପରିଷ୍କାର, ଜୀବାଣୁମୁକ୍ତ ଓ ସବୁଜ ସୁନ୍ଦର କରିବା ପାଇଁ ପ୍ରସ୍ତାବ ରଖିଥିଲେ। ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିବା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଷ୍ଟା କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଯୁଗ୍ମ ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, କାର୍ଯ୍ୟକାରୀ ସଭାପତି ଭିକାରୀ ଚରଣ ସାହୁ, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର