ସବୁ ନିୟମ ମାନି ସ୍କୁଲ ଖୋଲା ଯାଇପାରେ: ସ୍ବାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମି ଆସିଛି। ଯାହା ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିର ବିଷୟ। ଯେହେତୁ ଅନ୍ୟ ଦେଶଗୁଡ଼ିକରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ବିଶେଷଜ୍ଞମାନଙ୍କ ଚିନ୍ତା ବଢ଼ାଇଛି। ଏଭଳି ସ୍ଥିତିରେ ସ୍କୁଲ ଖୋଲିବାକୁ ନେଇ ଦ୍ବନ୍ଦ୍ବ‌ ଦେଖା ଦେଇଛି। ଶିଶୁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ, ତେଣୁ ସବୁ ନିୟମକୁ ମାନି ସ୍କୁଲ ଖୋଲିବାରେ କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର।

ଡା.ମହାପାତ୍ର କହିଛନ୍ତି ଯେ ପିଲାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଲଗା। ସେଥିପାଇଁ ପିଲାମାନଙ୍କ ଉପରେ ବାହ୍ୟ ପ୍ରଭାବ ସେତେଟା ରୁହେନାହିଁ। ତେବେ ସ୍କୁଲ ଖୋଲିବା ପୂର୍ବରୁ ଅଭିଭାବକମାନେ ଦାୟିତ୍ବବାନ ହେବା ସହିତ ପିଲାମାନେ ମଧ୍ୟ ସଚେତନ ରହିବା ଜରୁରୀ। ପିଲାମାନଙ୍କ ଟିକାକରଣ ନେଇ ଏ ଯାଏ କେନ୍ଦ୍ରରୁ କୌଣସି ସୂଚନା ଆସିନାହିଁ। କେନ୍ଦ୍ର ସରକାରଙ୍କଠାରୁ ନିର୍ଦେଶ ଆସିବା ପରେ ରାଜ୍ୟରେ ଶିଶୁଙ୍କ ଟିକାକରଣ ଆରମ୍ଭ ହେବ।

ସେ ଆହୁରିମଧ୍ୟ କହିଛନ୍ତି ଯେ ଏବେ ମଧ୍ୟ ଲୋକମାନଙ୍କୁ କୋଭିଡ ନିୟମାବଳୀ ପାଳନ କରିବାକୁ ହେବ। ଲୋକମାନେ ସଜାଗ ରହିଲେ ସଂକ୍ରମଣ ଭୟ ରହିବ ନାହିଁ। ସ୍ବାସ୍ଥ୍ୟ ବିଭାଗ ମଧ୍ୟ ସର୍ଭେଲାନ୍‌ସ ଜାରି ରଖିଛି। ପ୍ରାୟ ୭୩ ପ୍ରତିଶତ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଛି। ରାଜ୍ୟରେ ଏବେ ବି ଦୈନିକ ପ୍ରାୟ ୭୦ହଜାର କୋଭିଡ ନମୁନା ପରୀକ୍ଷା କରାଯାଉଥିବା ଡା.ମହାପାତ୍ର କହିଛନ୍ତି।

ଦୀପାବଳି ପାଇଁ ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଇବା ପରେ ପୁଣିଥରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ନଜରକୁ ଆସିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୦୮ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରୁ ସର୍ବାଧିକ ୯୯, କଟକ ୨୦, ଯାଜପୁର ୧୨ ଓ ଷ୍ଟେଟ୍‌ ପୁଲରୁ ୨୩ଜଣଙ୍କୁ ଚିହ୍ନଟ କରାଯାଇଛି। ୮ ଜିଲ୍ଲାରୁ ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୪୩ହଜାର ୧୫୧କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୪ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଖୋର୍ଧା ୨, କେନ୍ଦ୍ରାପଡ଼ା ଓ ଅନୁଗୁଳରୁ ଜଣେ ଲେଖାଏ ମୃତକ ରହିଛନ୍ତି। ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୮୩୫୪ରେ ପହଞ୍ଚିଛି। ରାଜ୍ୟରେ ଆଜି ୪୨୫ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହାଫଳରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୮୯୪କୁ ଖସି ଆସିଛି। ଅନ୍ୟପକ୍ଷରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ୩୧ହଜାର ୮୫୦ କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର