ଓଡ଼ଗାଁ : କୋମଳମତି ଛାତ୍ରଛାତ୍ରୀଙ୍କ ପିଠିରେ ବସ୍ତାନି ବୋଝ। ଯେତେ କହିଲେ କି ନିୟମ ପ୍ରଣୟନ କଲେ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ପିଲାଙ୍କ ପିଠିରୁ କମୁନି ବସ୍ତାନି ବୋଝ। ସେଥିପାଇଁ ସରକାର କଡ଼ାକଡ଼ି ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହାର ସଫଳ କାର୍ଯ୍ୟକାରିତା ସମ୍ଭବ ହୋଇପାରିନାହିଁ। ପିଲାଙ୍କ ପିଠିରେ ଏବେ ବି ଲଦାଯାଉଛି ଓଜନିଆ ବସ୍ତାନି।
ପ୍ରାୟ ପ୍ରତ୍ୟେକ ସ୍କୁଲ୍ କର୍ତ୍ତୃପକ୍ଷ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। କେହି ଏପରି ନିୟମ ମାନୁ ନ ଥିବାବେଳେ ଶିକ୍ଷା ବିଭାଗ କିନ୍ତୁ ସବୁ ଦେଖି କିଛି ନ ଦେଖିଲା ଭଲି ଚୁପ୍ ବସିଛି। ଏନ୍ସିପିସିଆର୍ (ନ୍ୟାସନାଲ୍ କମିସନ ଫର୍ ପ୍ରୋଟେକ୍ସନ୍ ଅଫ୍ ଚାଇଲ୍ଡ ରାଇଟସ୍) ଅନୁଯାୟୀ ପିଲାଙ୍କ ପିଠିରୁ ଅଯଥା ଅଧିକା ଓଜନ କମାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରୁ ସମସ୍ତ ଜିଲ୍ଲାପାଳ ଓ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା, ମାତ୍ର ଫଳ ଶୂନ। ନିର୍ଦ୍ଦେଶ ଅନୁଯାୟୀ, ୧ମ ଓ ୨ୟ ଶ୍ରେଣୀ ପିଲା ୧.୫ କେଜି ଓଜନର ସ୍କୁଲ୍ ବ୍ୟାଗ୍ ଆଣିବାକୁ ରହିଥିବା ବେଳେ, କୋମଳମତି କୁନି କୁନି ପିଲାଙ୍କ କାନ୍ଧରେ ୪ରୁ ୫ କେଜି ଓଜନର ବ୍ୟାଗ୍ ଲଦା ହେଉଥିବା ଦେଖିବାକୁ ମିଳିଛି। ୩ୟରୁ ୫ମ ଶ୍ରେଣୀ ୨ କେଜି, ୬ଷ୍ଠ ଓ ୭ମ ଶ୍ରେଣୀ ପାଇଁ ୪ କେଜି, ୮ ଓ ୯ମ ଶ୍ରେଣୀ ପାଇଁ ୪.୫ କେଜି ଓ ୧୦ମ ଶ୍ରେଣୀ ପାଇଁ ୫ କେଜିରୁ କମ୍ ଓଜନ୍ର ପାଠ୍ୟପୁସ୍ତକ ଭର୍ତ୍ତି ବ୍ୟାଗ୍ ଧରିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ବାସ୍ତବରେ ସବୁ ଶ୍ରେଣୀର ପିଲା ଅଧିକା ଓଜନ ବୋହୁଛନ୍ତି। ଏଥିପ୍ରତି କାହାର ନଜିର ନାହିଁ।
ଶିକ୍ଷକମାନେ ପ୍ରତିଦିନ ସମସ୍ତ ବିଷୟର ପାଠ୍ୟ ପୁସ୍ତକ ଓ ନୋଟ୍ ଖାତା ଆଣିବାକୁ କହୁଥିବା ବେଳେ ଲଞ୍ଚ୍ ବକ୍ସ୍ ଓ ପାଣି ବୋତଲ ବ୍ୟାଗ୍ରେ ଆଣିଲେ ଓଜନ ଅଧିକ ହେଉଥିବା କିଛି ଛାତ୍ରଛାତ୍ରୀ କହିଛନ୍ତି। ବିଶେଷ କରି ଘରୋଇ ସ୍କୁଲ୍ଗୁଡ଼ିକରେ ଏହି ବୋଝ ଆହୁରି ଅଧିକ। ବ୍ଲକ୍ ଶିକ୍ଷା ବିଭାଗ ଏଥି ନେଇ ନିଘୋଡ଼ ନିଦ୍ରାରେ ରହିଥିବା ଦେଖିବାକୁ ମିଳିଛି। ସରକାରୀ, ବେସରକାରୀ ସ୍କୁଲ୍ କର୍ତ୍ତୃପକ୍ଷ ଓ ଅଭିଭାବକମାନେ ଏ ନେଇ ସଚେତନ ହେବା ଜରୁରି ବୋଲି ଶିକ୍ଷାବିତ୍ମାନେ ମତ ଦେଇଛନ୍ତି। ତେବେ ଶିକ୍ଷା ବିଭାଗ ଖାଲି ନିୟମ ପ୍ରଣୟନ କରି ବସିଥିବାରୁ ଅଧିକାଂଶ ନିୟମ କେବଳ କାଗଜ କଲମରେ ହିଁ ସୀମିତ ହୋଇ ରହିଯାଇଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।