ଆଜି ସ୍କୁଲ ପିଲା କରିବେ ସୂର୍ଯ୍ୟ ନମସ୍କାର

ଭୁବନେଶ୍ବର : ମକର ସଂକ୍ରାନ୍ତି ଅବସରରେ ଜାନୁଆରି ୧୪ ତଥା ଶୁକ୍ରବାର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିର୍ଦେଶ ଦିଆଯାଇଛି। ଆଜାଦି କା ଅମ୍ରିତ୍ ମହୋତ୍ସବ ପାଳନ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏନେଇ ରାଜ୍ୟ ଗଣଶିକ୍ଷା ବିଭାଗ ନିକଟରେ ଚିଠି ପହଞ୍ଚିବା ପରେ ମଧ୍ୟାହ୍ନ ଭୋଜନ ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍‌(ଏସ୍‌ପିଏମ୍‌ୟୁ) ପକ୍ଷରୁ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ଚିଠି ଲେଖାଯାଇ କୋଭିଡ୍‌ କଟକଣା ପାଳନ ପୂର୍ବକ ଅନ୍‌ଲାଇନ୍‌ କ୍ଲାସ ସମୟରେ ଏହାକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

ଏମ୍‌ଡିଏମ୍‌ ନୋଡାଲ୍‌ ଅଧିକାରୀ ସନତ କୁମାର ମହାନ୍ତି ଲେଖିଥିବା ଚିଠିରେ କହିଛନ୍ତି ଯେ ଅନ୍‌ଲାଇନ୍‌ କ୍ଲାସ ଚାଲିଥିବା ସମୟରେ ସୂର୍ଯ୍ୟ ନମସ୍କାର କରାଯିବ। ଆୟୁଷ ମନ୍ତ୍ରଣାଳୟର ଯୋଗ ପୋର୍ଟାଲରେ ନାମ ପଞ୍ଜୀକରଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପୋତ୍ସାହିତ କରିବା, ସୂର୍ଯ୍ୟ ନମସ୍କାର ଦ୍ବାରା କିଭଳି ଲାଭ ହୋଇଥାଏ। ସେନେଇ ଅନ୍‌ଲାଇନ୍‌ କ୍ଲାସ ସମୟରେ ଅବଗତ କରାଇବା, ଅଭିଭାବକ-ଶିକ୍ଷକ କମିଟି(ପିଟିଏ)/ସ୍କୁଲ ପରିଚାଳନା କମିଟି(ଏସ୍‌ଏମ୍‌ସି) ବୈଠକରେ ଏସମ୍ପର୍କରେ ଜଣାଇବା ଆବଶ୍ୟକ। ଦୈନିକ ଯୋଗ କରିବା ଦ୍ବାରା ତାହାର ପ୍ରଭାବ କିଭଳି ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ ସେନେଇ ବି ଅବଗତ କରିବାକୁ କୁହାଯାଇଛି। ବ୍ଲକ ଓ ସ୍କୁଲସ୍ତରରେ ବ୍ୟାପକ ସଚେତନତା ସହ ସମସ୍ତ କାର୍ଯ୍ୟକ୍ରମର ରିପୋର୍ଟ ୧୭ ତାରିଖ ସୁଦ୍ଧା ପଠାଇବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର