ପ୍ରତିଦିନ ଡାଏରି ଲେଖିବେ ସ୍କୁଲ୍‌ ପିଲା

ନିଜର ଅନୁଭୂତି ଲେଖିବେ; ତଦାରଖ କରିବେ ଶିକ୍ଷକ

କଟକ : ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ଓଡ଼ିଆ ମାଧ୍ୟମ ସ୍କୁଲା ପିଲା ପ୍ରତ୍ୟେକ ଦିନ ଡାଏରି ଲେଖିବେ। ସେଥିରେ ସେମାନେ ନିଜର ଅନୁଭୂତି ସମ୍ପର୍କରେ ଉଲ୍ଲେଖ କରିବେ। ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ଭାଷାଜ୍ଞାନ ଓ ଲିଖନ ଦକ୍ଷତାର ବୃଦ୍ଧି ପାଇବ। ଲକ୍‌ଡାଉନ୍‌ ସମୟରେ ଅନ୍‌ଲାଇନ୍‌ରେ ପାଠପଢ଼ି ବିରକ୍ତି ପ୍ରକାଶ କରୁଥିବା ପିଲାଙ୍କୁ ବି ବିରକ୍ତିବୋଧରୁ ମୁକୁଳାଇବ। ଏହିସବୁକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏହି ନି‌ଷ୍ପତ୍ତି ନିଆଯାଇଛି।

ବୋର୍ଡର ସଂପାଦକ ଶ୍ରୀକାନ୍ତ ତରାଇ ସମସ୍ତ ପ୍ରଧାନଶିକ୍ଷକ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଏ ନେଇ ଚିଠି ଲେଖିଛନ୍ତି। ଚିଠି ଅନୁସାରେ, ଷଷ୍ଠ ଶ୍ରେଣୀ ପିଲା ୬ଟି ବାକ୍ୟରେ, ସପ୍ତମ ଶ୍ରେଣୀ ପିଲା ୭ଟି, ୮ମ ଶ୍ରେଣୀ ୮, ନବମ ପିଲା ୯ଟି ବାକ୍ୟ ଓ ଦଶମ ଶ୍ରେଣୀ ପିଲା ୧୦ଟି ବାକ୍ୟରେ ପ୍ରତ୍ୟେକ ଦିନ ଡାଏରି ଲେଖିବେ। ଓଡିଆ ଓ ଇଂରାଜୀ ଭାଷାରେ ପିଲା ଡାଏରି ଲେଖିପାରିବେ। ସ୍ଥଳବିଶେଷରେ ପିଲା ହିନ୍ଦୀ କିମ୍ବା ସଂସ୍କୃତ ଭାଷାରେ ମଧ୍ୟ ଲେଖିପାରିବେ। ଏପରିକି ଯେଉଁ ଶ୍ରେଣୀ ପାଇଁ ଯେତିକି ବାକ୍ୟରେ ଲେଖାଯିବା ପାଇଁ କୁହାଯାଇଛି ତାଠାରୁ ଅଧିକ ବାକ୍ୟରେ ମଧ୍ୟ ପିଲା ନିଜ ଅନୁଭୂତି ଲେଖିପାରିବେ। ଏହି ଡାଏରି ଲିଖନ କାର୍ଯ୍ୟ ଶ୍ରେଣୀ ଶିକ୍ଷକମାନେ ନିୟମିତ ଭାବେ ତଦାରଖ କରିବେ ଓ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଏସବୁର ନିୟମିତ ରେକର୍ଡ ରଖି ପ୍ରଧାନଶିକ୍ଷକଙ୍କୁ ଅବଗତ କରିବେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତିମାସରେ ଅନ୍ତତଃ ଦୁଇଥର ଏହି କାର୍ଯ୍ୟକୁ ତଦାରଖ କରିବେ ଓ ଏହାର ଉପାଦେୟତା ସଂପର୍କରେ ମାଧ୍ୟମିକ ଶିକ୍ଷା‌ ପରିଷଦ ସଂପାଦକଙ୍କୁ ଲିଖିତ ଭାବେ ଜଣାଇବେ। ଛାତ୍ରଛାତ୍ରୀମାନେ କୌଣସି ଟିପା ଖାତାକୁ ‌ଡାଏରି ଭାବେ ବ୍ୟବହାର କରିପାରିବେ। ତୁରନ୍ତ ଏଭଳି ଡାଏରି ଲିଖନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।

ସମ୍ବନ୍ଧିତ ଖବର