ଆଜିଠୁ ସ୍କୁଲରେ ପାଠପଢ଼ା ବନ୍ଦ; ଶିକ୍ଷକ ଶିକ୍ଷୟିତ୍ରୀ ଆସିବେ ନା ନାହିଁ? ସ୍ପଷ୍ଟ କଲାନି ଗଣଶିକ୍ଷା ବିଭାଗ

ଶିକ୍ଷାବର୍ଷ ଓ ଗ୍ରୀଷ୍ମ ଛୁଟି କେବେଠାରୁ?

ଭୁବନେଶ୍ବର : ସୋମବାରଠାରୁ ସ୍କୁଲରେ ପାଠପଢ଼ା ବନ୍ଦ। କ୍ଲାସ୍‌ ହେବନି କି ପିଲା ଆସିବେନି। କରୋନା ସଂକ୍ରମଣ ଯୋଗୁଁ ଏପ୍ରିଲ ୧୯ରୁ ଶିକ୍ଷାନୁଷ୍ଠାନ ବନ୍ଦ ଲାଗି ଏସ୍‌ଆରସି(ସ୍ବତନ୍ତ୍ର ରିଲିଫ୍‌ କମିସନର) ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରିଥିବା ବେଳେ ଶିକ୍ଷକ/ଶିକ୍ଷୟିତ୍ରୀ ଆସିବେ କି ନାହିଁ, ସେ ସମ୍ପର୍କରେ କିଛି ସୂଚନା ଦିଆଯାଇନାହିଁ। ଶିକ୍ଷାନୁଷ୍ଠାନ ସମ୍ପର୍କରେ ସବିଶେଷ ଗାଇଡ୍‌ଲାଇନ୍‌ ସମ୍ପୃକ୍ତ ବିଭାଗ ଜାରି କରିବ ବୋଲି ଏସ୍‌ଆରସି ସ୍ପଷ୍ଟ କରିଥିଲେ। ଯାହାକୁ ଆଧାର କରି ଉଚ୍ଚଶିକ୍ଷା ବିଭାଗ, ବୈଷୟିକ ଶିକ୍ଷା ବିଭାଗ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରି ସାରିଛି। ତେବେ ସ୍କୁଲ ସମ୍ପର୍କରେ ନିଷ୍ପତ୍ତି ନେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଦାୟିତ୍ବ ଦିଆଯାଇଥିବା ବେଳେ ଏପର୍ଯ୍ୟନ୍ତ ବିଭାଗ କୌଣସି ସ୍ପଷ୍ଟ କରିନାହିଁ। ଯେଉଁଥିପାଇଁ ରାଜ୍ୟର ଲକ୍ଷାଧିକ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀ ଏବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

କରୋନା କାଳରେ କିଭଳି ଭାବେ ସ୍କୁଲରେ କାର୍ଯ୍ୟ ଚାଲିବ, ତାହାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଳକ ଶିକ୍ଷା ଅଧିକାରୀ, ସିଆରସିସି, ପ୍ରଧାନଶିକ୍ଷକମାନେ ଚିନ୍ତାରେ ପଡ଼ିଛନ୍ତି।ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କର୍ତ୍ତୃପକ୍ଷ କ’ଣ କରିବେ, ଜାଣି ପାରୁନାହାନ୍ତି। ଦୀର୍ଘ ୩ ମାସ ହେଲା ସେମାନେ ବିଦ୍ୟାଳୟକୁ ଆସୁଥିଲେ ମଧ୍ୟ ପିଲା ଆସୁନାହାନ୍ତି। ଅନ୍‌ଲାଇନ୍‌ରେ ଯାହା ଯେମିତି କ୍ଲାସ ଚାଲିଛି। ବେଳେବେଳେ ପିଲାଙ୍କ ଘରକୁ ଯାଇ ସେମାନେ ପାଠପଢ଼ା‌ କଥା ବୁଝୁଛନ୍ତି। ନ ହେଲେ ସକାଳ ୧୦ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ସ୍କୁଲରେ ରହୁଛନ୍ତି।

ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ୨୦୨୧-୨୨ ଶିକ୍ଷାବର୍ଷ ସମ୍ପର୍କରେ କୌଣସି ସ୍ପଷ୍ଟ ଚିତ୍ର ଦିଆଯାଇ ନାହିଁ। ପ୍ରତିବର୍ଷ ଏପ୍ରିଲ ମାସରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଥାଏ। ଏଥର କେବେ ନୂତନ ପିଲାଙ୍କ ପାଠପଢ଼ା ଆରମ୍ଭ ହେବ; ସେନେଇ ସ୍ପଷ୍ଟ କରାଯାଇ ନାହିଁ। ସେହିଭଳି ଏବର୍ଷ ଗ୍ରୀଷ୍ମ ଅବକାଶ ହେବ କି ନାହିଁ, ତାହାକୁ ନେଇ ବି ପ୍ରଶ୍ନବାଚ୍ଚୀ ସୃଷ୍ଟି ହୋଇଛି। ପ୍ରତିବର୍ଷ ମେ’ ପ୍ରଥମ ସପ୍ତାହରୁ ଜୁନ୍‌ ୧୭ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକରେ ଗ୍ରୀଷ୍ମ ଛୁଟି ହୋଇଥାଏ। ତେବେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଆଗୁଆ ତଥା ଏପ୍ରିଲ୍‌ରୁ ଗ୍ରୀଷ୍ମ ଛୁଟି ହୋଇଥାଏ।

ସେହିପରି ନବମ ଓ ଏକାଦଶ ଶ୍ରେଣୀ ପିଲା ବିନା ପରୀକ୍ଷାରେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଲେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଗଲା। ହେଲେ ପିଲାଙ୍କ ପାଠପଢ଼ା କିଭଳି ହେବ, ସେନେଇ କିଛି କୁହାଗଲା ନାହିଁ। କାରଣ ଦଶମ ଶ୍ରେଣୀ ତଥା ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବା ପିଲାଙ୍କ ପରୀକ୍ଷା ସରି ନ ଥିବାରୁ ଏବେ ଗୋଟିଏ ଶ୍ରେଣୀରେ ଦୁଇଟି ବ୍ୟାଚ୍‌ର ପିଲା। ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କୁ କିଭଳି ଭାବେ ପଢ଼ାଇବେ, ତାହା ଚିନ୍ତାର ବିଷୟ।

ସମ୍ବନ୍ଧିତ ଖବର