ସ୍କୁଲ ବନ୍ଦ ନିଷ୍ପତ୍ତି ଆଲୋଚନା : ଗୁଣାତ୍ମକ ଶିକ୍ଷା ନାଁରେ ଗୋଲାପି ଚିତ୍ର ହଜମ ହେଉନି: ବିରୋଧୀ

କେବିକେ, ଦୁର୍ଗମ ଅଞ୍ଚଳରେ ସ୍କୁଲ ବନ୍ଦ ହେଲେ ଡ୍ରପ୍‌ ଆଉଟ୍‌ ହାର ବଢ଼ିବ
ନିଷ୍ପତ୍ତି ପଛରେ ଜାତୀୟ ଶିକ୍ଷା ନୀତି, ନୀତି ଆୟୋଗଙ୍କ ସୁପାରିସ ରହିଛି
ଘରୋଇ ସ୍କୁଲ ଉପରେ ଅଙ୍କୁଶ ଲଗାଇବା ଜରୁରୀ

ଭୁବନେଶ୍ୱର : ସରକାର କହୁଛନ୍ତି ଗୁଣାତ୍ମକ ଶିକ୍ଷା ପାଇଁ କମ୍‌ ପିଲା ଥିବା ସ୍କୁଲକୁ ବନ୍ଦ କରାଯାଉଛି। ସବୁ ସ୍କୁଲରେ ପ୍ରଶିକ୍ଷିତ ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି। ଶିକ୍ଷା ସହାୟକଙ୍କ ଉପରେ ନିର୍ଭର କରି ଏହି ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ। କେବିକେ, ତଫସିଲଭୁକ୍ତ ଅଞ୍ଚଳ, ଦୁର୍ଗମ ପାହାଡ଼ ଓ ନଦୀ ନାଳ ଘେରା ଉପକୂଳ ଜିଲ୍ଲାରେ ଥିବା ସ୍କୁଲକୁ ସ୍କୁଲ ବନ୍ଦ କଲେ ଛୋଟ ପିଲାମାନେ ଶିକ୍ଷା ପାଇବାରୁ ବଞ୍ଚିତ ହେବେ। ଡ୍ରପ୍‌ ଆଉଟ ହାର ବଢ଼ିବ। ଶିକ୍ଷା ନ ପାଇ ନକ୍ସଲ ସଂଗଠନରେ ଯୁବକ ଯୁବତୀ ଯୋଗଦେବାକୁ ପଛାଇବେ ନାହିଁ। ଦୁର୍ଗମ ଅଞ୍ଚଳ କାହିଁକି ଖୋଦ ଭୁବନେଶ୍ବର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲାରେ କେତେକ ସ୍କୁଲରେ ୬୦ ପିଲା ପାଠ ପଢ଼ୁଥିଲେ ବି ବର୍ଷେ ହେଲାଣି ସେସବୁ ସ୍କୁଲକୁ ସରକାର ବନ୍ଦ କରିଦେଇଛନ୍ତି। ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ନେଇ ଆଜି ବିଧାନସଭାରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଣିଥିବା ପ୍ରସ୍ତାବ ଆଲୋଚନାରେ ବିରୋଧୀ ଏପରି ଉଦବେଗ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସରକାରୀ ଦଳ ପକ୍ଷରୁ ଯୁକ୍ତି ରଖାଯାଇଛି, ସରକାର ଯାହା ନିଷ୍ପତ୍ତି ନେଇଛନ୍ତି ସେସବୁ ଜାତୀୟ ଶିକ୍ଷା ନୀତି ଓ ନୀତି ଆୟୋଗର ସୁପାରିସ ଆଧାରିତ। ଭିତ୍ତିଭୂମି ବିକାଶ ସହ ପିଲାଙ୍କୁ ଶିକ୍ଷାଦାନ କରିବା ହେଉଛି ସରକାରଙ୍କ ଲକ୍ଷ୍ୟ।

ରବିବାର ଗୃହରେ ” ରାଜ୍ୟରେ ପ୍ରାଥମିକ ଶିକ୍ଷାର ଏକତ୍ରୀକରଣ ଏବଂ ସୁବ୍ୟବସ୍ଥୀକରଣ ନୀତି, ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ନିମନ୍ତେ ଏକ ପ୍ରୟାସ ସଂପର୍କରେ ଆଲୋଚନା” ଶୀର୍ଷକ ପ୍ରସଙ୍ଗ ଉପରେ ଆଲୋଚନା ଆରମ୍ଭ କରି ଶ୍ରୀମତୀ ମଲ୍ଲିକ କହିଥିଲେ, ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର କ୍ଷମତାକୁ ଆସିବା ପରେ ରାଜ୍ୟରେ ସବୁ ଦୁର୍ଗମ ଓ ଅପହଞ୍ଚ ଇଲାକାରେ ଶିକ୍ଷା ପ୍ରଦାନ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ଗାଁ ଗାଁରେ ସ୍କୁଲ ଖୋଲିଲା। କିନ୍ତୁ ପରେ ଗାଁକୁ ରାସ୍ତା ଓ ପୋଲ ନିର୍ମାଣ ହେବା ପରେ ଅଭିଭାବକମାନଙ୍କ ମନ ପରିବର୍ତ୍ତନ ହେଲା। ସରକାରୀ ସ୍କୁଲରେ ଭଲ ପାଠ ପଢ଼ା ହେଉନଥିବା ଭାବି ସେମାନେ ପିଲାମାନଙ୍କୁ ବିଭିନ୍ନ ବେସରକାରୀ ସ୍କୁଲରେ ପଢ଼ାଇବାକୁ ପସନ୍ଦ କଲେ। ଫଳରେ ସରକାରୀ ସ୍କୁଲରେ ପିଲା ସଂଖ୍ୟା କମି ଚାଲିଲା। ପରିସ୍ଥିତି ଏପରି ହେଲା ଯେ, ଗୋଟିଏ ଶ୍ରେଣୀରେ ପ୍ରଥମରୁ ସପ୍ତମ ଶ୍ରେଣୀର ପିଲାଙ୍କୁ ବସାଇ ଶିକ୍ଷକମାନଙ୍କୁ ପାଠ ପଢ଼ାଇବାକୁ ପଡ଼ୁଛି। ଏଥିଯୋଗୁଁ ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି କଥାକୁ ଅନୁଧ୍ୟାନ କରି ସରକାର ସ୍କୁଲ ଏକତ୍ରୀକରଣ କରିବାକୁ ୨୦୦୧ ମସିହାରୁ ଯୋଜନା କରିଥିଲେ। ନୂଆ ବ୍ୟବସ୍ଥା ଅନୁଯାୟୀ, ଯଦି ପିଲା ସଂଖ୍ୟା ବୃଦ୍ଧି ପାଏ, ତାହେଲେ ବନ୍ଦ ହୋଇଥିବା ସ୍କୁଲଗୁଡ଼ିକୁ ପୁଣି ଥରେ କାର୍ଯ୍ୟକ୍ଷମ କରାଯାଇପାରିବ।

ବିରୋଧୀ ଦ​ଳ ଉପନେତା ତଥା ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ କହିଥିଲେ, ସରକାରୀ ଦଳ ମୁଖ୍ୟ ସଚେତକଙ୍କୁ ଯେପରି ନିର୍ଦ୍ଦେଶ ମିଳିଛି ସେହିପରି ଭାବେ ସେ ଗୃହରେ ଗୋଲାପି ଚିତ୍ର ଦେଇଛନ୍ତି। ବିଭିନ୍ନ ଜିଲ୍ଲାରେ ୨୦ରୁ କମ୍‌ ପିଲା ଥିବା ସ୍କୁଲ ବନ୍ଦ ନିଷ୍ପତ୍ତି ସରକାର ଯେବେ ନେଲେ, ସେତେବେଳେସ୍ଥାନୀୟ ବିଧାୟକମାନଙ୍କ ସହ ଆଲୋଚନା କରାଯାଇନି।ଗତ ଅଧିବେଶନରେ ଏହି ଗୃହରେ ବିଧାୟକମାନେ ଏହି ପ୍ରସଙ୍ଗ ନେଇ ଉଦବେଗ ପ୍ରକାଶ କରିଥିଲେ। ବାଚସ୍ପତି ମନ୍ତ୍ରୀଙ୍କୁ ବିବୃତି ଦେବାକୁ ରୁଲିଂ ଦେଇଥିଲେ। କିନ୍ତୁ ମନ୍ତ୍ରୀ ଉତ୍ତର ରଖିଲେନି। ଏଥିରୁ ଜଣାପଡ଼ୁଛି ବାଚସ୍ପତିଙ୍କ ରୁଲିଂକୁ କେହି ମାନୁନାହାନ୍ତି। ସ୍କୁଲ ବନ୍ଦ ନେଇ ସରକାର ଯେଉଁ ନୀତି ନିର୍ଦ୍ଧାରଣ କରିଛନ୍ତି ତାକୁ ଆହୁରି କୋହଳ କରିବା ଉଚିତ୍‌। ଏବେ ସ୍କୁଲ ବନ୍ଦ ନିଷ୍ପତ୍ତି ଶୁଣି ସବୁ ସ୍ଥାନୀୟ ଲୋକମାନଙ୍କ ଭିତରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଦିନେ ଶତାଧିକ ମହିଳା ତାଙ୍କ ବାସଭବନ ଘେରାଉ କରିଥିବା ନେଇ ସେ କହିଥିଲେ। ସେମାନଙ୍କୁ କଣ ଉତ୍ତର ଦେବୁ ବୋଲି ଶ୍ରୀ ସେଠୀ ପ୍ରଶ୍ନ କରିଥିଲେ। ଏବେ ପ୍ରତି ଅଞ୍ଚଳରେ ଛତୁ ଫୁଟିବା ଭଳି ବେସରକାରୀ ସ୍କୁଲ ଖୋଲିଲାଣି। ଲକ୍ଷ ଲକ୍ଷ ଟଙ୍କା ନେଉଛନ୍ତି। ଗରିବଙ୍କ ଲୋକଟିଏ ତାର ପିଲାକୁ ପଢ଼ାଇ ପାରିବ ନାହିଁ। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ନିଷ୍ପତ୍ତିର ପୁନର୍ବିଚାର କରାଯାଉ ବୋଲି ସେ ଦାବି କରିଥିଲେ।

ଶାସକ ଦଳ ସଭ୍ୟ ଦେବୀ ପ୍ରସାଦ ମିଶ୍ର ଗୃହରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇ କହିଥିଲେ, ସେ ମନ୍ତ୍ରୀ ଥିବାବେଳେ ଭିତ୍ତିଭୂମି, ସ୍ବଚ୍ଛ ପରିମଳ ବ୍ୟବସ୍ଥା ଓ ଉତ୍ତମ ପ୍ରଶିକ୍ଷିତ ଶିକ୍ଷକ ନଥିବା ଘରୋଇ ସ୍କୁଲର ପଞ୍ଜୀକରଣ ନବୀକରଣ ନ କରିବାକୁ ପଦକ୍ଷେପ ନେଇଥିଲେ। କିନ୍ତୁ ସେହି ବ୍ୟବସ୍ଥା ଏବେ ଆଉ ନାହିଁ। ଏହାର ପୁନଃପ୍ରଚଳନ ଆବଶ୍ୟକ।ବିଜେଡି ସଭ୍ୟ ପ୍ରତାପ ଦେବ ବିରୋଧୀଙ୍କୁ ଜବାବ ଦେଇ କହିଥିଲେ, ସାଢ଼େ ୧୪ ହଜାର ସ୍କୁଲ ବନ୍ଦ ହେବା ନେଇ ବିରୋଧୀ ଯାହା ଅଭିଯୋଗ କରୁଛନ୍ତି ତାହା ଅମୂଳକ। ମାତ୍ର ୭ ହଜାର ୭୭୨ ସ୍କୁଲର ଏକତ୍ରୀକରଣ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ସମ୍ପୂର୍ଣ୍ଣ ଭାବେ ନୀତି ଆୟୋଗ ସୁପାରିସ ଆଧାରରେ କରାଯାଇଛି। ସରକାର ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଜନପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ବିରୋଧୀ ଦଳ ଉପନେତା କିପରି ଜାଣିପାରିଲେନି? ଏହାକୁ ଶ୍ରୀ ସେଠୀ ବିରୋଧ କରିଥିଲେ ଓ କିଛି ସମୟ ପାଇଁ କଥା କଟାକଟି ହୋଇଥିଲା।

କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ, ଖୋର୍ଦ୍ଧା ଜିଲ୍ଲାରେ ଥିବା କେତେକ ଆଦିବାସୀ ଓ ହରିଜନ ଅଧ୍ୟୁଷିତ ଅଞ୍ଚଳରେ କେତେକ ସ୍କୁଲରେ ୬୦ ପିଲା ଥାଇବି ଆଜିକୁ ବର୍ଷେ ହେଲାଣି ସେସବୁ ସ୍କୁଲକୁ ସରକାର ବନ୍ଦ କରିଦେଇଛନ୍ତି। ଖୋଦ ଭୁବନେଶ୍ବର ସହରର ଉପକଣ୍ଠରେ ଯଦି ଏପରି ଅବସ୍ଥା ତାହେଲେ ଦୁର୍ଗମ ଉପାନ୍ତ ଅଞ୍ଚଳର ସ୍ଥିତି କଣ ହେବ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି। ଛତୁ ଫୁଟିଲା ଭଳି ଖୋଲାଯାଇଥିବା ଘରୋଇ ସ୍କୁଲ ଉପରେ ଅଙ୍କୁଶ ଲଗାଇବାକୁ ସେ ଦାବି କରିଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଦଳମତ ନିର୍ବିଶେଷରେ ସ୍କୁଲ ବନ୍ଦକୁ ନେଇ ଶାସକ ଓ ବିରୋଧୀ ସଭ୍ୟମାନେ ଏ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି। ରାଜନୀତିରୁ ଉର୍ଦ୍ଧ୍ବରେ ରହି ଆମକୁ ବିଚାର କରିବାକୁ ପଡ଼ିବ। ଏହାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି। ଗୋଟିଏ ସ୍କୁଲ ଆଉ ଗୋଟିଏ ସ୍କୁଲରେ ମିଶ୍ରଣ ହେଲେ ଗୁଣାତ୍ମକ ଶିକ୍ଷା ଆସିଯିବ ବୋଲି ସରକାରୀ ଦଳର ଏପରି ଯୁକ୍ତି ବୁଝିହେଉନାହିଁ। ସରକାରଙ୍କୁ କେତୋଟି ପ୍ରସ୍ତାବ ଦେଇ ସେ କହିଥିଲେ, ତଫସିଲଭୁକ୍ତ ଅଞ୍ଚଳରେ ସରକାର ଏହି ସ୍କୁଲ ବନ୍ଦ ନିଷ୍ପତ୍ତିକୁ କାର୍ଯ୍ୟକାରୀ ନ କରିବାକୁ ଘୋଷଣା କରନ୍ତୁ। ବିଧାନସଭା ସରିବା ପରେ ଜିଲ୍ଲାପାଳମାନେ ପୁନର୍ବାର ଜନପ୍ରତିନିଧିମାନଙ୍କୁ ଡାକି ଆଲୋଚନା କରନ୍ତୁ। ଏସବୁ କାମ ଆସନ୍ତା ବର୍ଷ ଏପ୍ରିଲ ପୂର୍ବରୁ ସାରିବା ଆବଶ୍ୟକ। ତା ନହେଲେ ସରକାରଙ୍କ ଏହି ନିଷ୍ପତ୍ତିକୁ ଯଦି କେହି ହାଇକୋର୍ଟରେ ଚାଲେଞ୍ଜ କରିବ ତାହେଲେ କଣ ହେବ। କୋରାପୁଟ ସମେତ ସମଗ୍ର କେବିକେ ଜିଲ୍ଲା ପାଇଁ ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ନ ହୁଏ ତାହେଲେ ସେସବୁ ଅଞ୍ଚଳରେ ପିଲାଙ୍କ ଡ୍ରପ୍‌ଆଉଟ ହାର ବଢ଼ିଯିବ। ଏହାସହିତ ସ୍ଥାନୀୟ ପିଲାମାନେ ନକ୍ସଲ ସଂଗଠନ ମୁହାଁ ହୋଇପାରନ୍ତି ବୋଲି ସେ ଚେତାବନୀ ଦେଇଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମଧ୍ୟ ସମାନ ଦାବି କରିବା ସହିତ କେବିକେ ଓ ତଫସିଲଭୁକ୍ତ ଅଞ୍ଚଳର ସ୍କୁଲ ବନ୍ଦ ନ କରିବାକୁ ଦାବି କରିଥିଲେ।

ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ, ଶଶିଭୂଷଣ ବେହେରା, ପ୍ରଫୁଲ୍ଲ ସାମଲ, ବ୍ୟୋମକେଶ ରାୟ, ଦେବେଶ ଆଚାର୍ଯ୍ୟ, ପ୍ରୀତି ରଞ୍ଜନ ଘଡ଼େଇ, ବିଜେପି ବିଧାୟକ ମୋହନ ଚରଣ ମାଝୀ, ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ, ମୁକେଶ ମହାଲିଙ୍ଗ ଓ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର