ନିଶା କବଳରେ ପାଠୁଆ ପିଲା

ଜନସ୍ବାସ୍ଥ୍ୟ ନିର୍ଦେଶକଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି
କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ପିଲାଙ୍କୁ ସଚେତନ କରାଯିବ
ସ୍କୁଲ କ୍ୟାମ୍ପସର ଶହେ ମିଟର ମଧ୍ୟରେ ଦୋକାନ ମନା

ଭୁବନେଶ୍ବର : ଗୁଟ୍‌ଖା, ସିଗାରେଟ୍‌, ଡ୍ରଗ୍ସ ପରି ନିଶାଦ୍ରବ୍ୟ କବଳରେ ସ୍କୁଲ, କଲେଜ ପଢ଼ୁଆ ପିଲା। ଛାତ୍ରଙ୍କ ସମେତ ଛାତ୍ରୀ ବି ଏବେ ଏହି ମାୟାଜାଲରେ ପଡ଼ିଲେଣି। ସ୍ଥିତି ଏମିତି ହେଲାଣି ଯେ ନାବାଳକ ତମାଖୁ ସେବନକାରୀଙ୍କ ସଂଖ୍ୟା ଓଡ଼ିଶାରେ ବହୁ ପରିମାଣରେ ବଢ଼ି ଚାଲିଛି। ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ନିକଟରେ ଏହି ସବୁ ସାମଗ୍ରୀ ଅତି ସହଜରେ ମିଳି ଯାଉଥିବାରୁ ଗୁଟ୍‌ଖା, ସିଗାରେଟ୍ ପରେ ନାବାଳକ/ନାବାଳିକା ଧୀରେଧୀରେ ବ୍ରାଉନସୁଗାର ଆଡ଼କୁ ମୁହାଁଉଛନ୍ତି। ଯାହାକୁ ନେଇ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ଚିନ୍ତା ପ୍ରକଟ କରିଛି। ସ୍କୁଲ କ୍ୟାମ୍ପସର ୧୦୦ ମିଟର ମଧ୍ୟରେ ଏଭଳି ସମଗ୍ରୀ ବିକ୍ରି ଉପରେ କଟକଣା ଲଗା ଯାଇଥିବା ବେଳେ ‌ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସ୍ବାସ୍ଥ୍ୟ ବିଭାଗର ସହାୟତା ଲୋଡ଼ିଛି ଉଚ୍ଚଶିକ୍ଷା ବିଭାଗ।

Patient.info

ଉଚ୍ଚଶିକ୍ଷା ବିଭାଗ ଉପସଚିବ ରମେଶ ଚନ୍ଦ୍ର ବେହେରା ଏନେଇ ଜନସ୍ବାସ୍ଥ୍ୟ ନିର୍ଦେଶକଙ୍କୁ ଚିଠି ଲେଖି ସହାୟତା ଲୋଡ଼ିଛନ୍ତି। ଶ୍ରୀ ବେହେରା କହିଛନ୍ତି ଯେ କଲେଜ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ତମାଖୁ, ଡ୍ରଗ୍ସ ଓ ଧୂମପାନ ସମ୍ପର୍କରେ ସଚେତନ କରିବାକୁ ବିଭାଗ ଯୋଜନା ପ୍ରସ୍ତୁତ କରିଛି। ତେଣୁ ୨୦ରୁ ୩୦ ମନିଟ୍‌ର ଗୋଟିଏ କି ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରି ପ୍ରଦାନ କରନ୍ତୁ। ଫଳରେ ପିଲାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇପାରେ। ନିୟମିତ ଭାବେ ଉକ୍ତ ଭିଡ଼ିଓଗୁଡ଼ିକୁ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ପ୍ରଦର୍ଶିତ କରାଯିବ। ଅନୁରୂପ ଭାବେ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ଚିଠି ଲେଖାଯାଇ କ୍ୟାମ୍ପସର ଶହେ ମିଟର ଭିତରେ କୌଣସି ପ୍ରକାର ଖାଦ୍ୟ ସାମଗ୍ରୀ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧ୍ୟ ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି।

କୋଟପା ଆଇନ-୨୦୦୩ର ଧାରା-୬ ଅନୁସା‌ରେ, ଶିକ୍ଷାନୁଷ୍ଠାନର ୧୦୦ ମିଟର ପରିଧି ଭିତରେ ଗୁଟ୍‌ଖା, ସିଗାରେଟ୍ ବିକ୍ରି ନ ହେବାର ନିୟମ ରହିଛି। ତାହାକୁ ନଜରରେ ରଖି ୨୦୧୮ଜାନୁଆରିରେ ତତ୍କାଳୀନ ପୁଲିସ ଡିଜି ଆର୍‌.ପି ଶର୍ମା ସବୁ ଜିଲ୍ଲାର ଏସ୍‌ପି, ଟୁଇନ୍ ସିଟି ଡିସିପିଙ୍କୁ ଚିଠି ଲେଖି ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ, ବ୍ରାଉନସୁଗାର ଭଳି ନିଶା ବେପାର ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଅଢ଼େଇ ବର୍ଷ ବିତିଯାଇଥିଲେ ବି ତମାଖୁମୁକ୍ତ କ୍ୟାମ୍ପସ ଯୋଜନା ସଫଳ ହୋଇପାରିନାହିଁ। ଯେଉଁଥିପାଇଁ ରାଜ୍ୟରେ ନାବାଳକ ତମାଖୁ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଗ୍ଲୋବାଲ୍ ଆଡଲ୍ଟ ଟବାକୋ ସର୍ଭେ ରିପୋର୍ଟ ୨୦୧୬-୧୭ ଅନୁଯାୟୀ, ନାବାଳକ ତମାଖୁ ବ୍ୟବହାରରେ ସିକିମ୍ ଦେଶରେ ପ୍ରଥମ ସ୍ଥାନରେ ରହିଛି। ତମାଖୁ ବ୍ୟବହାରକାରୀ ୧୫ବର୍ଷରୁ କମ୍ ବୟସ୍କ ସିକିମରେ ୩୨ପ୍ରତିଶତ ରହିଥିବା ବେଳେ ଅରୁଣାଚଳପ୍ରଦେଶରେ ୨୫.୧ ଓ ଏହା ପଛକୁ ଓଡ଼ିଶାରେ ଏହି ସଂଖ୍ୟା ୨୨.୧ ପ୍ରତିଶତ ରହିଛି। ଏହି ବୟସରୁ ପିଲାମାନେ ତମାଖୁ ସେବନ କରିଥା’ନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଥିଲା।

ତମାଖୁ ସେବନ ରୋକିବା ଲାଗି ପ୍ରତ୍ୟେକ ଜିଲ୍ଲାରେ ମାସକୁ ଦୁଇଥର ଚଢ଼ଉ କରିବା ଲାଗି ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ରହିଥିଲେ ମଧ୍ୟ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବା ଦେଖିବାକୁ ମିଳିଛି। ଏମିତିକି ଭୁବନେଶ୍ବର ଓ କଟକରେ ଚଢ଼ଉ ପାଇଁ କମିସନରେଟ୍ ପୁଲିସର କ୍ଷମତା ରହିଥିଲେ ମଧ୍ୟ ତାହା କାର୍ଯ୍ୟକରୀ କରାଯାଉନାହିଁ। ଶିକ୍ଷାନୁଷ୍ଠାନ କ୍ୟାମ୍ପସକୁ ଚାରିପଟୁ ମାଡ଼ି ବସିଛନ୍ତି ତମାଖୁ ଦୋକାନୀ। ସ୍ନାକ୍ସ, ଓମଫେଡ୍ ପାର୍ଲର ଭିତରେ ବି ଚାଲିଛି ଗୁଟ୍‌ଖା ଓ ସିଗାରେଟ୍ ବେପାର। ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ଏଭଳି ପଦକ୍ଷେପ କେତେ ଦୂର କାର୍ଯ୍ୟକାରୀ ହେଉଛି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର