ରାସ୍ତାକୁ ଓହ୍ଲାଇବେ ସ୍କୁଲ, କଲେଜ ଶିକ୍ଷକ

ଭୁବନେଶ୍ୱର : ପୂର୍ଣ୍ଣ ଅନୁଦାନ ଓ ସପ୍ତମ ବେତନ ଆଧାରରେ ଦରମା ଦେବା ପାଇଁ ରାଜ୍ୟ ସରକାର କଥା ଦେଇଥିଲେ। ସେହି ଅଙ୍ଗୀକାର ବଦ୍ଧତାକୁ ରଖି ନ ପାରିବା ଫଳରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଆସନ୍ତା ୨୭ ତାରିଖରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି।

ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ପ୍ରତି ଅବହେଳା ଓ ଉଦାସୀନତାର ଏହା ଏକ ନଗ୍ନ ଉଦାହରଣ ବୋଲି ମିଳିତ ମଞ୍ଚର ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ ଓ ପବିତ୍ର ମହାଲା କହିଛନ୍ତି। ୧୯୯୪ରୁ ୨୦୧୮ ମସିହା ପର୍ଯ୍ୟନ୍ତ କ୍ରମାଗତ ଭାବେ ଆନ୍ଦୋଳନ, ଧର୍ମଘଟ ସହ ରାଜ୍ୟ ସରକାରଙ୍କ ସହ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ୧୯୮୦ ଦଶକରୁ ଓଡ଼ିଶାରେ ଖୋଲିଥିବା ସ୍କୁଲ, କଲେଜ, ମଦ୍ରାସା ଓ ସଂସ୍କୃତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅନୁଦାନ ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ରାଜ୍ୟରେ ଅନୁଦାନ ଆଇନ୍ ପୁନଃ ଲାଗୁ ହେଲା। ଏହା ସରକାରଙ୍କର ଏକ ଐତିହାସିକ ପଦକ୍ଷେପ ବୋଲି ୨୦୧୯ ଅଗଷ୍ଟ ୩୧ରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମ ସମ୍ମୁଖରେ ବିବୃତି ରଖିଥିଲେ। ଯେତେବେଳେ ଏହି ଆଇନ୍ କାର୍ଯ୍ୟକାରୀ ହେଲା ସେତେବେଳେ କେବଳ ମୂଳ ଦରମା, ମହଙ୍ଗା ଭତ୍ତା ଓ ବାର୍ଷିକ ଇନ୍‌କ୍ରିମେଣ୍ଟ ବ୍ୟତୀତ ଅବସରକାଳୀନ କିମ୍ବା ଚାକିରୀ ସର୍ତ୍ତାବଳୀର ଅନ୍ୟ ବ୍ୟବସ୍ଥାଗୁଡ଼ିକ ଏଥିରେ ରହିଲା ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ପ୍ରଶାସନିକ ସ୍ତରରେ କାର୍ଯ୍ୟକାରୀ କରାଗଲା ନାହିଁ। ସପ୍ତମ ବେତନ ଆଧାରରେ ଦରମା ଦେବା ପାଇଁ ମିଳିତ ମଞ୍ଚ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବି କରାଯାଇଥିଲା। ତେବେ ଇତିମଧ୍ୟରେ ତିନିବର୍ଷ ବିତି ଯାଇଥିଲେ ମଧ୍ୟ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରାଯାଇ ନାହିଁ।

ମିଳିତ ମଞ୍ଚ ପକ୍ଷରୁ ଆସନ୍ତା ୨୭ରେ ଷ୍ଟିୟରିଂ କମିଟିର ସଦସ୍ୟମାନେ ବିଧାନସଭା ଆଗରେ ପ୍ରତିବାଦ କରିବେ। ସରକାର ମିଳିତ ମଞ୍ଚକୁ ଡାକି ଆଲୋଚନା କରି ସମାଧାନ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଗଗନ ବେଉରା, ବିନୋଦ ବିହାରୀ ପାଣିଗ୍ରାହୀ, ଅଟଳ ବିହାରୀ ବଳ, ସୁକାନ୍ତ କୁମାର ବେହେରା, ରଞ୍ଜନ କୁମାର ଦାଶ, ଅଶୋକ କୁମାର ମହାପାତ୍ର, ଶତାବୁଦ୍ଦିନ ଅହମ୍ମଦ, ଶଙ୍କର କୁମାର ସୁବୁଦ୍ଧି, ରମାକାନ୍ତ ମହାପାତ୍ର ପ୍ରମୁଖ ଦୃଢ଼ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର