ଭୁବନେଶ୍ବର : ସ୍କୁଲ ରୂପାନ୍ତରର ପ୍ରତ୍ୟେକ ସ୍ତରରେ ଜନସାଧାରଣ ସାମିଲ ହୋଇଛନ୍ତି। ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ରୂପାନ୍ତରିତ ସ୍କୁଲର ପରିକଳ୍ପନା ଠାରୁ ଆରମ୍ଭ କରି ରୂପାୟନର ସବୁ ସ୍ତରରେ ସଂପୃକ୍ତ ହୋଇଛନ୍ତି। କେଉଁ କାର୍ଯ୍ୟରେ କେତେ ଖର୍ଚ୍ଚ ହେଉଛି, ସେ ବିଷୟରେ ମଧ୍ୟ ସେମାନେ ଜାଣନ୍ତି। ତେଣୁ ସ୍କୁଲ ରୂପାନ୍ତର ହେଉଛି ଜନ ଭାଗିଦାରୀର ଏକ ପ୍ରକୃଷ୍ଟ ଉଦାହରଣ। ଆଜି ସ୍କୁଲ ରୂପାନ୍ତରର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

Advertisment

ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ୫ଟି ଜିଲ୍ଲାର ୩୫୯ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି। ଏଥିରେ ଭଦ୍ରକ ଜିଲ୍ଲାର ୧୨୪ଟି ହାଇସ୍କୁଲ, କନ୍ଧମାଳ ଜିଲ୍ଲାର ୭୭ଟି, ଢେଙ୍କାନାଳ ଜିଲ୍ଲାର ୩୫ଟି, ଗଜପତି ଜିଲ୍ଲାର ୮୦ଟି ହାଇସ୍କୁଲ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ୪୩ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ଏହା ଦ୍ବାରା ତୃତୀୟ ପର୍ଯ୍ୟାୟରେ ଚତୁର୍ଥ ଦିନରେ ସମୁଦାୟ ୧୪୯୩ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେଲା।

ଏହି ଅବସରରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଡ଼ି ହୋଇଥିବା ସ୍କୁଲଗୁଡ଼ିକରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୫-ଟିର ଉପଯୋଗ ସଂପର୍କରେ ବୁଝାଇଥିଲେ। ସେ କହିଲେ ଯେ ବର୍ତ୍ତମାନ ଯୁଗ ହେଉଛି ଟେକ୍‌ନୋଲୋଜିର ଯୁଗ। ଜୀବନର ସବୁ କ୍ଷେତ୍ରକୁ ଟେକ୍‌ନୋଲୋଜି ପ୍ରଭାବିତ କରୁଛି। ତେଣୁ ପିଲାମାନେ ନୂଆ ନୂଆ ଟେକ୍‌ନୋଲୋଜି ବିଷୟରେ ଜାଣିବାକୁ ଚେଷ୍ଟା କରିବା ଆବଶ୍ୟକ । ଏହାଦ୍ବାରା ସେମାନେ ଆଧୁନିକ ଯୁଗରେ ସବୁ କ୍ଷେତ୍ରରେ ଆଗରେ ରହିପାରିବେ।

ସେହିପରି ସମୟ ଉପରେ ଗୁରୁତ୍ବ ଦେବକୁ ପରାମର୍ଶ ଦେଇ ସେ କହିଲେ ଯେ ସମୟର ଗୁରୁତ୍ବ ସଂପର୍କରେ ସମସ୍ତେ ଜାଣିଛନ୍ତି। ତେଣୁ ପିଲାମାନେ ସମୟର ଉପଯୋଗ ଠିକ୍‌ ଭାବରେ କରିପାରିଲେ ସବୁକ୍ଷେତ୍ରରେ ନିଶ୍ଚୟ ଆଗରେ ରହିବେ। ନିଜ ନିଜ ଜୀବନରେ ୫-ଟିର ଉପଯୋଗ ପାଇଁ ପିଲାଙ୍କୁ ପରାମର୍ଶ ଦେଇ ସେ କହିଲେ ଯେ ଏହାଦ୍ବାରା ସେମାନେ ଜୀବନର ସବୁ କ୍ଷେତ୍ରରେ ସଫଳ ହୋଇପାରିବେ। ଦ୍ବିତୀୟ ବିଷୟଟି ହେଉଛି ଟିମ୍‌ୱାର୍କ। ପିଲାମାନେ ମିଳିମିଶି କାମ କଲେ ସଫଳତାର ସମ୍ଭାବନା ବଢ଼ିବ। କ୍ରୀଡ଼ା କ୍ଷେତ୍ରରେ ଟିମ୍‌ୱାର୍କ ଅତି ଜରୁରୀ ବୋଲି ସେ କହିଥିଲେ। ସେହିପରି ଜୀବନରେ ସାଧୁତା ହେଉଛି ଏକ ଜରୁରୀ ଆବଶ୍ୟକତା। ସାଧୁତା ଦ୍ବାରା ମଣିଷର ବିଶ୍ବସନୀୟତା ବୃଦ୍ଧି ପାଏ। ଏସବୁର ପ୍ରୟୋଗ ଦ୍ବାରା ସେମାନଙ୍କ ଜୀବନରେ ରୂପାନ୍ତର ବା ସଫଳତା ଆସିବ।

କାର୍ଯ୍ୟକ୍ରମରେ ୫-ଟି ସ୍କୁଲ ରୂପାନ୍ତର ସଂପର୍କରେ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ ଭଦ୍ରକର ଛାତ୍ରୀ ଆୟୁଷା ମଲ୍ଲିକ, କନ୍ଧମାଳର ଛାତ୍ରୀ ପ୍ରମୋଦିନୀ ନାୟକ, ଢେଙ୍କାନାଳର ଭାଗ୍ୟଶ୍ରୀ ବେହେରା, ଗଜପତିର ମମତା ଗମାଙ୍ଗୋ ଓ ସୁବର୍ଣ୍ଣପୁରର ବର୍ଷା ସାହୁ।
କାର୍ଯ୍ୟକ୍ରମରେ ଉପସ୍ଥିତ ଭଦ୍ରକ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାଏ, କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଢେଙ୍କାନାଳ ସାଂସଦ ମହେଶ ସାହୁ, ଗଜପତିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ସୁବର୍ଣ୍ଣପୁରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରମୁଖ ସେମାନଙ୍କ ମତାମତ ରଖିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରି ୫-ଟି ସଚିବ ଭି. କେ. ପାଣ୍ଡିଆନ କହିଥିଲେ ଯେ ସ୍କୁଲ ରୂପାନ୍ତରରେ ଯେଉଁ ସବୁ ସମ୍ପତ୍ତି ସୃଷ୍ଟି ହୋଇଛି, ସେସବୁ ସାରା ଓଡ଼ିଶାବାସୀଙ୍କ ଟଙ୍କାରେ ନିର୍ମିତ ହୋଇଛି। ମୁଖ୍ୟମନ୍ତ୍ରୀ ସ୍କୁଲର ସମ୍ପତ୍ତିଗୁଡ଼ିକର ରକ୍ଷଣାବେକ୍ଷେଣ ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରନ୍ତି। ତେଣୁ ଆପଣମାନେ ନିଜର ସମ୍ପତ୍ତି ଭଳି ସ୍କୁଲର ସମ୍ପତ୍ତିର ରକ୍ଷଣାବେକ୍ଷଣ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଶା ଓ ଭରସା ରହିଛି।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଅଶ୍ବଥୀ ଏସ୍‌ ସ୍ବାଗତ ଭାଷଣ ଦେଇଥିଲେ ଓ ଓସେପାର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।