ସ୍କୁଲ୍‌ ଉନ୍ନୟନ ଅନୁଦାନରେ ଦୁର୍ନୀତି ଗନ୍ଧ!

ବର୍ଷକୁ ଅନୁଦାନ ଯାଉଛି ୬୭ କୋଟି ଟଙ୍କା

ଭୁବନେଶ୍ୱର: ସ୍କୁଲ୍‌ ଉନ୍ନୟନ ପାଇଁ ବର୍ଷକୁ ଅନୁଦାନ ଦିଆଯାଉଛି ୬୭ କୋଟିରୁ ଅଧିକ ଟଙ୍କା। ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ହାଇସ୍କୁଲ୍‌ ପର୍ଯ୍ୟନ୍ତ ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ୍‌ ଏହି ଅର୍ଥ ପାଉଛନ୍ତି। ଉଦ୍ଦେଶ୍ୟ ହେଲା ସ୍କୁଲ୍‌ର ଛୋଟ ଛୋଟ ତତ୍‌କାଳ ଆବଶ୍ୟକତା ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ। କିନ୍ତୁ ବିଭିନ୍ନ ସ୍ଥାନରେ ଏହି ଅର୍ଥକୁ ବ୍ୟାପକ ଲୁଟ୍‌ କରାଯାଉଥିବାର ଅଭିଯୋଗ ଆସୁଛି। ସ୍କୁଲ୍‌ ସ୍ତର ଠାରୁ ଆରମ୍ଭ କରି ମୁଖ୍ୟାଳୟ ପର୍ଯ୍ୟନ୍ତ ସମସ୍ତେ ଏହି ବଡ଼ ଧରଣର ଘୋଟାଲାରେ ସାମିଲ୍‌ ହୋଇଛନ୍ତି। ସ୍କୁଲ୍‌ ଉନ୍ନୟନ ଅନୁଦାନ(ଏସ୍‌ଆଇଜି) ବାବଦକୁ ସର୍ବଶିକ୍ଷା ଅଭିଯାନରେ ପ୍ରାଥମିକ ସ୍କୁଲ୍‌ ପାଇଁ ୫ ହଜାର ଟଙ୍କା, ଉଚ୍ଚ ପ୍ରାଥମିକ ସ୍କୁଲ୍‌ ପାଇଁ ୭ ହଜାର ଟଙ୍କା ପ୍ରଦାନ କରାଯାଉଛି। ସେହିପରି ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନରୁ ପ୍ରତି ହାଇସ୍କୁଲ୍‌ ପାଇଁ ଏସ୍‌ଆଇଜି ବାବଦକୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି। ବର୍ତ୍ତମାନ ରାଜ୍ୟରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ୫୧,୯୧୦ ପ୍ରାଥମିକ ସ୍କୁଲ୍‌, ୨୨,୬୭୯ ଉଚ୍ଚ ପ୍ରାଥମିକ ସ୍କୁଲ୍‌ ଓ ୫,୦୪୮ ହାଇସ୍କୁଲ୍‌ ଅଛି। ଏହି ସବୁ ସ୍କୁଲ୍‌କୁ ଏସ୍‌ଆଇଜି ବାବଦକୁ ୬୭ କୋଟି ଟଙ୍କା ଗତ ବର୍ଷ ପ୍ରଦାନ କରାଯାଇଥିଲା। ନିୟମ ଅନୁଯାୟୀ ଏହି ଅର୍ଥରେ ଡେସ୍କ, ବେଞ୍ଚ୍‌ କିଣା ବା ମରାମତି, ଚକ୍‌ ଓ ଡଷ୍ଟର୍‌ କିଣା, ସ୍କୁଲ୍‌ ଘରର ଛୋଟ ମରାମତି, ପାନୀୟ ଜଳଯୋଗାଣ ବ୍ୟବସ୍ଥା, ବିଦ୍ୟୁତ ବିଲ୍‌, ଖେଳ ଉପକରଣ, ପୁସ୍ତକ ଓ ପତ୍ରପତ୍ରିକା କିଣା ଆଦିରେ ଖର୍ଚ୍ଚ କରିଯାଇପାରିବେ। ଏଥି ପାଇଁ ସ୍ପଷ୍ଟ ଗାଇଡ୍‌ଲାଇନ୍‌ ରହିଛି। କିଛି କିଛି ଜିଲ୍ଲାରେ ଆବଶ୍ୟକତା ଅନୁଯାୟୀ ଏଥିରେ ପରିବର୍ତ୍ତନ ବି କରାଯାଇଛି। ସେ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦ୍ଦିଷ୍ଟ ଭାବେ ସ୍କୁଲ୍‌କୁ ଗାଇଡ୍‌ଲାଇନ୍‌ ଦେବାର ବ୍ୟବସ୍ଥା ରହିଛି। ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ପ୍ରଧାନ ଶିକ୍ଷକ ଏହି ଅର୍ଥ ଖର୍ଚ୍ଚ କରିବେ। ସ୍କୁଲ୍‌ ପରିଚାଳନା କମିଟି ତାହାକୁ ତଦାରଖ କରିବେ। ତାହା ପରେ ବର୍ଷ ଶେଷରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲ୍‌ର ପ୍ରଧାନଶିକ୍ଷକମାନେ ବିଆର୍‌ସିଙ୍କ ନିକଟରେ ସବୁ ବିଲ୍‌ ଓ ବିନିଯୋଗ ପ୍ରମାଣପତ୍ର(ୟୁସି) ଦାଖଲ କରିବେ। ହାଇସ୍କୁଲ୍‌ ପ୍ରଧାନଶିକ୍ଷକମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ୟୁସି ଦାଖଲ କରିବେ। ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୨୦୧୭-୧୮ ଆର୍ଥିକ ବର୍ଷର ଅଧା ସ୍କୁଲ୍‌ ବି ୟୁସି ଦାଖଲ କରିନାହାନ୍ତି। ବିଭିନ୍ନ ଜିଲ୍ଲାରୁ ଏହି ଅନୁଦାନ ହଡ଼ପ ନେଇ ଗୁରୁତର ଅଭିଯୋଗ ଆସିବାରେ ଲାଗିଛି। ବିଶେଷ କରି ହାଇସ୍କୁଲ୍‌ଗୁଡ଼ିକୁ ଅଧିକ ଅର୍ଥ ଯାଉଥିବାରୁ ସେଥିରେ ଦୁର୍ନୀତି ଅଧିକ ପରିମାଣରେ ହେଉଥିବାର ଜଣାପଡ଼ିଛି। ସାରା ଓଡ଼ିଶାର ଆକଳନ ଅନୁସାରେ ବାର୍ଷିକ କୋଟି କୋଟି ଟଙ୍କାର ସ୍କାମ୍‌ ହେଉଥିବାର ସନ୍ଦେହ କରାଯାଉଛି।

ମିଛ ବିଲ୍‌ରେ ବହୁ ଅର୍ଥ ହଡ଼ପ ହେଉଥିବା ଅଭିଯୋଗ
ଅଧା ସ୍କୁଲ୍‌ ୟୁସି ଦେଉ ନାହାନ୍ତି
ଅତର୍କିତ ଯାଞ୍ଚ ହେଲେ ଅନେକ ଧରାପଡ଼ିବେ

ଅନୁଦାନ ଖର୍ଚ୍ଚ ନେଇ ପ୍ରଦାନ କରାଯାଉଥିବା ବିଲ୍‌ରେ ହିଁ ଦୁର୍ନୀତିର ଆଭାସ ମିଳୁଛି। ମିଛ ହିସାବପତ୍ର କରାଯାଇ ବିଲ୍‌ ପ୍ରସ୍ତୁତ କରାଯାଉଥିବାର ଦେଖାଯାଉଛି। ଏପରିକି କିଛି ସ୍କୁଲ୍‌ କର୍ତ୍ତୃପକ୍ଷ ପୁରୁଣା ବର୍ଷ ବିଲ୍‌କୁ ଆଉ ଥରେ ଟାଇପ୍‌ କରି ଦାଖଲ କରୁଛନ୍ତି। ଜିଏସ୍‌ଟି ଓ ଟିନ୍‌ ନମ୍ବର ନ ଥିବା ବିଲ୍‌ ବି ପ୍ରଦାନ କରାଯାଉଛି। ବିଲ୍‌ ପ୍ରଦାନ ନେଇ ଥିବା ଗାଇଡ୍‌ଲାଇନ୍‌କୁ ଖୋଲା ଉଲ୍ଲଂଘନ କରାଯାଉଛି। ବିଆର୍‌ସିସି ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସେସବୁ ଅଣଦେଖା କରିଦିଆଯାଉଛି। ଏପରିକି କିଛି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଅର୍ଥ ଏବେ ଭଲ ରୋଜଗାରର ମାଧ୍ୟମ ହୋଇଛଇ। କିଛି କିଛି ସ୍ଥାନରେ ଶିକ୍ଷା ବିଭାଗର ଅଡିଟର୍‌ମାନେ ଦୁର୍ନୀତି ଧରିଛନ୍ତି। କିନ୍ତୁ ସଲାସୁତୁରାରେ ତାହା ବି ଚପିଯାଇଛି। ଯେହେତୁ ସ୍କୁଲ୍‌ ଓ୍ଵାରି ଟଙ୍କା ହଡ଼ପ ହେଉଛି, ତେଣୁ ତାହା ଉପରକୁ ଦେଖାଯାଉ ନାହିଁ । ଅର୍ଥର ପରିମାଣ କମ୍‌ ବୋଲି କୁହାଯାଇ ତାହାକୁ ନଜର ଅନ୍ଦାଜ କରିଦିଆଯାଉଛି। କିନ୍ତୁ ସାରା ରାଜ୍ୟର ଅନୁଦାନକୁ ହିସାବ ନେଲେ ଦୁର୍ନୀତିର ମାତ୍ରା ବହୁ କୋଟି ଟଙ୍କା ହେବ, ଏଥିରେ ଦ୍ୱିମତ ନାହିଁ। ଗଣଶିକ୍ଷା ବିଭାଗ ପକ୍ଷରୁ ଅତର୍କିତ କ୍ଷେତ୍ର ଯାଞ୍ଚ୍‌ କଲେ, ନିଶ୍ଚିତ ଭାବେ ଏହି ଦୁର୍ନୀତି ପଦାକୁ ଆସିପାରିବ। ବର୍ଷ ବର୍ଷ ଧରି ଏହା ଚାଲିଥିଲେ ବି ବିଭାଗ ନୀରବଦ୍ରଷ୍ଟା ସାଜିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମ୍ବନ୍ଧିତ ଖବର