ରାଜ୍ୟରେ ପ୍ରତି ୧୦୦ ଜଣରେ କେତେ ପିଲା ସ୍କୁଲ ଛାଡ଼ୁଛନ୍ତି ଜାଣିଛନ୍ତି କି?

ଭୁବନେଶ୍ୱର: ରାଜ୍ୟରେ ପ୍ରତିବର୍ଷ କେତେଜଣ ପିଲା ଅଧା ପାଠପଢ଼ାରେ ସ୍କୁଲ ଛାଡ଼ୁଛନ୍ତି ସେ ନେଇ ତଥ୍ୟ ରଖିଛନ୍ତି ରାଜ୍ୟ ସରକାର | ଆଜି ବିଧାନସଭାରେ ବିଧାୟକ ମୁକେଶ ମହାଲିଙ୍ଗ ପ୍ରଶ୍ନ କରିଥିଲେ ଯେ ୨୦୧୫-୧୬ ମସିହାରୁ କେତେଜଣ ପିଲା ସ୍କୁଲ ଛାଡିଛନ୍ତି | ଆଉ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ୨୦୧୯-୨୦ ମସିହାରେ ରାଜ୍ୟରେ ଡ୍ରପ ଆଉଟ ହାର ୪.୭୫ ପ୍ରତିଶତ ରହିଥିଲା | ସେହିପରି ୧୮-୧୯ ରେ ରାଜ୍ୟରେ ଡ୍ରପ ଆଉଟ ହାର ୬.୯୩ ପ୍ରତିଶତ ଥିଲା |

ରାଜ୍ୟରେ ସର୍ବାଧିକ ଡ୍ରପ ଆଉଟ ନବରଙ୍ଗପୁର ଜିଲ୍ଲାରେ ହୋଇଥିବାବେଳେ ଗତବର୍ଷ ୧୧.୨୧ ପ୍ରତିଶତ ପିଲା ସ୍କୁଲ ଛାଡ଼ିଥିବାବେଳେ ଚଳିତ ବର୍ଷ ୧୩.୩୫ ପ୍ରତିଶତ ପିଲା ସ୍କୁଲ ଛାଡିଛନ୍ତି | ନବରଙ୍ଗପୁର ଜିଲ୍ଲା ତଳକୁ ଦ୍ୱିତୀୟରେ ମାଲକାନଗିରି ଜିଲ୍ଲା ରହିଛି | ଏଠାରେ ଡ୍ରପ ଆଉଟ ହାର ୧୩ ପ୍ରତିଶତ ରହିଛି | ତୃତୀୟରେ ଗଜପତି ଜିଲ୍ଲା ରହିଛି |

ଏଠାରେ ଡ୍ରପ ଆଉଟ ହାର ୯.୩୮ ପ୍ରତିଶତ ଥିବାବେଳେ ଗତ ବର୍ଷ ୫.୯୧ ପ୍ରତିଶତ ରହିଛି | ଏହା ପରେ କୋରାପୁଟ(୮.୮୩), ମୟୁରଭଞ୍ଜ(୮.୧୧), କନ୍ଧମାଳ(୮.୦୧), ନୂଆପଡା(୭.୪୫) ଓ ସୁନ୍ଦରଗଡ଼(୬.୬୯) ଜିଲ୍ଲା ରହିଛି | ତେବେ ୨୦୧୫-୧୬ ମସିହାରେ ସ୍କୁଲ ଡ୍ରପ ଆଉଟ ହାର ୩.୮୭ ପ୍ରତିଶତ ଥିବାବେଳେ, ୨୦୧୮-୧୯ରେ ୬.୯୩ ପ୍ରତିଶତ ୨୦୧୯-୨୦ରେ ୪.୭୫ ପ୍ରତିଶତ ରହିଛି |

ସମ୍ବନ୍ଧିତ ଖବର