କଟକ: ସ୍କୁଲ ଫି’ ଛାଡ ସଂପର୍କିତ ମାମଲାର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଆଜି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ସମସ୍ତ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ପ୍ରସ୍ତାବ ଓ ଏ ସଂପର୍କିତ ଏମଓୟୁ କାର୍ଯ୍ୟକାରୀ ପକ୍ଷରେ ଅଭିଭାବକ ମହାସଂଘ ଯୁକ୍ତି ରଖିଥିଲା। ଅନ୍ୟପକ୍ଷରେ କେତେକ ଘରୋଇ ସ୍କୁଲ ସଂଘ ପକ୍ଷରୁ ଏପରି ଏମଓୟୁକୁ ବିରୋଧ କରାଯାଇଥିଲା। ସ୍କୁଲ ଫି ଛାଡ଼ ପ୍ରସଂଗରେ ସ୍ବାକ୍ଷରିତ ଏମଓୟୁ ଉପରେ ଖଣ୍ଡପୀଠ ଗୁରୁତ୍ବାରୋପ କରିଥିଲେ। ଏଥି ସହିତ ଯେଉଁମାନେ ଏପରି ଏମଓୟୁକୁ ବିରୋଧ କରୁଛନ୍ତି ସେମାନେ ଏ ନେଇ ପୃଥକ ମାମଲା ଦାୟର କରି ପାରିବେ ବୋଲି ଖଣ୍ଡପୀଠ କହିଥିଲେ। ଆଜି ହାଇକୋର୍ଟରେ ସ୍କୁଲ ଫି ଛାଡ଼ ସଂପର୍କିତ ଶୁଣାଣିର ଅନ୍ତ ହୋଇଥିବା ବେଳେ ପ୍ରକାଶ ପାଇବାକୁ ଥିବା ରାୟକୁ ନେଇ ଅଭିଭାବକମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ଆଲୋଚନାକୁ ନେଇ ସ୍କୁଲ ଫି ଛାଡ଼ ସଂପର୍କିତ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ୨୦୨୦, ସେପ୍ଟେମ୍ବର ୨୯ରେ ଏହି ରିପୋର୍ଟ ଗଣଶିକ୍ଷା ବିଭାଗ ହାଇକୋର୍ଟରେ ଦାଖଲ କରିଥିଲା। ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଭିଭାବକ ମହାସଂଘର ପ୍ରତିନିଧି, ହାଇକୋର୍ଟରେ ମାମଲା ଦାୟର କରିଥିବା ଆବେଦନକାରୀଙ୍କ ପ୍ରତିନିଧି, ଓଡ଼ିଶା ଘରୋଇ ସ୍କୁଲ ଶିକ୍ଷକ ସଂଘର ପ୍ରତିନିଧି ଓ କନଫେଡେରେସନ୍ ଅଫ୍ ପବ୍ଲିକ୍ ସ୍କୁଲର ପ୍ରତିନିଧି ଯୋଗ ଦେଇଥିଲେ। ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଅନୁସାରେ ସ୍କୁଲ ଫି କିଛି ଅଂଶରେ ଛାଡ କରାଯିବା ପାଇଁ ସୁପାରିସ କରାଯାଇଥିଲା। ରିପୋର୍ଟରେ ୭ଟି ସ୍ଲାବରେ ସ୍କୁଲ ଫି ଛାଡ଼ ପାଇଁ ପ୍ରସ୍ତାବ ରହିଥିଲା ଯଦି ବାର୍ଷିକ ଟିଉସନ୍ ଫି ୬ ହଜାର ଟଙ୍କା ପର୍ଯ୍ୟନ୍ତ ସ୍କୁଲ ନେଉଥାଏ ତେବେ ଏଥିରେ କିଛି ଛାଡ଼ କରାଯିବ ନାହିଁ।
୬୦୦୧ରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଟିଉସନ୍ ଫି ଉପରେ ୭.୫ ପ୍ରତିଶତ, ୧୨୦୦୧ରୁ ୨୪ ହଜାର ପର୍ଯ୍ୟନ୍ତ ୧୨ ପ୍ରତିଶତ, ୨୪,୦୦୧ରୁ ୪୮ ହଜାର ପର୍ଯ୍ୟନ୍ତ ୧୫ ପ୍ରତିଶତ, ୪୮୦୦୧ରୁ ୭୨ ହଜାର ପର୍ଯ୍ୟନ୍ତ ୨୦ ପ୍ରତିଶତ, ୭୨୦୦୧ରୁ ୧ ଲକ୍ଷ ପର୍ଯ୍ୟନ୍ତ ୨୫ ପ୍ରତିଶତ ଓ ଏହାପରେ ୨୬ ପ୍ରତିଶତ ଟିଉସନ୍ ଫି ଛାଡ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଏଥି ସହିତ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ସ୍କୁଲ ପକ୍ଷରୁ ଆଦାୟ କରା ନ ଯାଇ ପ୍ରକୃତ ସ୍ଥିତିକୁ ଦେଖି ନିଆଯିବ। ହଷ୍ଟେଲ ଫି ୩୦ ପ୍ରତିଶତ ଛାଡ କରାଯିବ। ଆକ୍ଟିଭିଟି ଫି, ଲଣ୍ଡ୍ରି ଫି, ଏକ୍ସଟର୍ନାଲ ଏକ୍ଜାମ ଫି, ୟୁନିଫର୍ମ ଫି, କନଭେୟାନ୍ସ ଫି, ଏଜୁକ୍ୟୁରିସନ୍ ଫି, ରିଆଡମିସନ୍ ଫି, ଡେଭେଲପମେଣ୍ଟ ଫି, ଆନୁଆଲ ଫି ଏହି ମହାମାରୀ ସମୟରେ ସ୍କୁଲ ଖୋଲିବା ପର୍ୟ୍ୟନ୍ତ ନିଆଯିବ ନାହିଁ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା।
ଏ ସଂପର୍କିତ ଏମଓୟୁ କାର୍ୟ୍ୟକାରୀ ସପକ୍ଷରେ ସରକାର ମତ ଦେଇଥିଲେ। ଅନ୍ୟପକ୍ଷରେ ଡିଏଭି ପବ୍ଲିକ୍ ସ୍କୁଲସ୍ ଓଡ଼ିଶା ଜୋନ୍-୧ ଓ ୨ ତରଫରୁ ଆଞ୍ଚଳିକ ଅଧିକାରୀ ଓ ଆସୋସିଏସନ୍ ଅଫ୍ ଓଡ଼ିଶା ଆଇସିଏସଇ ସ୍କୁଲ ପକ୍ଷରୁ ସଂପାଦକ ଦାଖଲ କରିଥିବା ପୃଥକ ସତ୍ୟପାଠରେ ଭିନ୍ନ କଥା କୁହାଯାଇଥିଲା। ଫି ଛାଡ଼ ପ୍ରସଂଗରେ ବିଦ୍ୟାଳୟ ଓ ଗଣଶିକ୍ଷଶ ସଚିବ ଦାଖଲ କରିଥିବା ରିପୋର୍ଟକୁ ଉଭୟ ସଂଘ ପକ୍ଷରୁ ବିରୋଧ କରାଯାଇଥିଲା। ପ୍ରାୟ ୫୦ଟି ଡିଏଭି ସ୍କୁଲ ଓ ଶହେଟି ଆଇସିଏସଇ ସ୍କୁଲକୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା।
ମାମଲାର ଶୁଣାଣି ସମୟରେ ଘରୋଇ ସ୍କୁଲ ଗୁଡିକର ଫି ନିର୍ଦ୍ଧାରଣ ଓ ନିୟନ୍ତ୍ରଣ ପାଇଁ କିଛି ବ୍ୟବସ୍ଥା ନାହିଁ ବୋଲି ସତ୍ୟପାଠ ମାଧ୍ୟମରେ ସରକାର ପୂର୍ବରୁ ସ୍ପଷ୍ଟ କରିଥିବା ବେଳେ ଆବେଦନକାରୀ ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇ ସରକାରଙ୍କ ପୂର୍ଣ୍ଣ କ୍ଷମତା ଏହି ପ୍ରସଂଗରେ ରହିଛି ବୋଲି ଦର୍ଶାଯାଇଥିଲା।
୧୯୯୬, ସେପ୍ଟେମ୍ବର ୨୩ରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘରୋଇ ସ୍କୁଲ ଗୁଡିକର ନିୟନ୍ତ୍ରଣ ପାଇଁ କେତେକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏ ନେଇ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା ଯେ ନିୟମାବଳୀ ଉଲ୍ଲଂଘନ ଯଦି ହୁଏ ତେବେ ସଂପୃକ୍ତ ଅନୁଷ୍ଠାନର ଏନଓସି ପ୍ରତ୍ୟାହାର କରାଯିବ। ନିୟମାବଳୀ ପାଳନ ଉପରେ ସ୍କୁଲକୁ ପ୍ରଦାନ କରାଯାଇଥିବା ଏନଓସି ନିର୍ଭର କରିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା। ଘରୋଇ ସ୍କୁଲ ଗୁଡିକର ଫି ନିୟନ୍ତ୍ରଣ ପାଇଁ କିଛି ବ୍ୟବସ୍ଥା ନାହିଁ ବୋଲି ସରକାର କହୁଥିବା ବେଳେ ଏହି ବିଜ୍ଞପ୍ତିରୁ କିନ୍ତୁ ସରକାରଙ୍କ କ୍ଷମତା ରହିଥିବା କଥା ସ୍ପଷ୍ଟ ହୋଇଛି ବୋଲି ଅଭିଭାବକ ମହାସଂଘ ପକ୍ଷରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ କେତେକ ଘରୋଇ ସ୍କୁଲ ସଂଘ ପକ୍ଷରୁ ଦର୍ଶାଯାଇଥିଲା ଯେ୧୯୯୬ର ବିଜ୍ଞପ୍ତି ସରକାରଙ୍କୁ ଏପରି କ୍ଷମତା ପ୍ରଦାନ କରି ନାହିଁ। ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ, ୨୦୦୯ ଓ ଏ ସଂପର୍କିତ ନିୟମ, ୨୦୧୦ ଆସିବା ପରେ ୧୯୯୬ର ବିଜ୍ଞପ୍ତି ଅପ୍ରାସଂଗିକ ହୋଇ ପଡିଛି।
ଏଠାରେ ସୂଚନା ଯୋଗ୍ୟ ଯେ କରୋନା ମହାମାରୀକୁ ନେଇ ଦେଖା ଦେଇଥିବା ସ୍ଥିତିରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ସ୍କୁଲ ଫି ଛାଡ଼ ପ୍ରସଂଗକୁ ନେଇ ହାଇକୋର୍ଟରେ ଚାରୋଟି ମାମଲା ରୁଜୁ ହୋଇଥିଲା। ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ, ଭୁବନେଶ୍ବରର ପ୍ରହଲ୍ଲାଦ ରାଉତ, ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଅଲ୍ ଇଣ୍ଡିଆ ପାରେଣ୍ଟସ୍ ଆସୋସିଏସନ୍ ସଭାପତି ପ୍ରଦୀପ୍ତ ନାୟକ ହାଇକୋର୍ଟରେ ପୃଥକ ମାମଲା ଦାୟର କରିଥିଲେ। ଆବେଦନକାରୀ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଆଇନଜୀବୀ ଭି.ନରସିଂହ, ବିଭୂତି ଭୂଷଣ ଚୌଧୁରୀ, ଅଲ୍ ଇଣ୍ଡିଆ ପାରେଣ୍ଟସ୍ ଆସୋସିଏସନ୍ ତରଫରୁ ଆଇନଜୀବୀ ଦୀପକ ମହାପାତ୍ର, ପଦ୍ମାଳୟା ମହାପାତ୍ର, କନଫେଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍ସ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/highcourt-1.jpg)