କରୋନା ପାଇଁ ସ୍କୁଲ ଫି ଛାଡ଼ ପ୍ରସଂଗ : ଜବାବ ଦାଖଲ ପାଇଁ ସରକାରଙ୍କୁ ମହଲତ

ପକ୍ଷଭୁକ୍ତ ହେବା ପାଇଁ ଇଣ୍ଟରଭେନସନ୍ ପିଟିସନ୍, ଫି ଛାଡିବା ସମ୍ଭବ ନୁହେଁ ବୋଲି ଘରୋଇ ସ୍କୁଲଙ୍କ ଯୁକ୍ତି

କଟକ : କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସାରା ଦେଶରେ ମାସାଧିକ ସମୟ ହେବ ଲକ୍‌ଡାଉନ କରାଯାଇଥିବା ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଫି ଛାଡ ପ୍ରସଂଗକୁ ନେଇ ଦାୟର ମାମଲାରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ମହଲତ ପ୍ରଦାନ କରିଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ପକ୍ଷଭୁକ୍ତ ହେବା ପାଇଁ ଷ୍ଟିୱାର୍ଟ ସ୍କୁଲ ଓ କନଫେଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲସ୍‌ ପକ୍ଷରୁ ପିଟିସନ୍ ଦାଖଲ କରାଯାଇଥିବା ସଂପର୍କରେ ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା। ଏଥି ସହିତ ସମାନ ପ୍ରସଂଗକୁ ନେଇ ଦାୟର ଅନ୍ୟ ଏକ ମାମଲା ବିଚାରାଧୀନ ରହିଛି ବୋଲି ଅବଗତ କରାଯାଇଥିଲା। ଏ ସଂପର୍କିତ ଦୁଇ ଜନସ୍ବାର୍ଥ ମାମଲାର ଏକତ୍ର ଶୁଣାଣି ପାଇଁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଦାୟର ଇଣ୍ଟରଭେନସନ୍ ପିଟିସନକୁ ରେକର୍ଡକୁ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଏବେ ସମସ୍ତେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ସ୍କୁଲ ଫି ପୈଠ କରିବାରେ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଦର୍ଶାଇ ଏହି ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଜାରି କରାଯାଇଥିବା କଟକଣା ଯୋଗୁଁ ଲୋକେ ବାହାରକୁ ଯାଇ ରୋଜଗାର କରିବା ସମ୍ଭବ ନୁହେଁ। ତିନି ମାସ ପର୍ଯ୍ୟନ୍ତ ସ୍କୁଲ ଫି ଆଦାୟ ସ୍ଥଗିତ ରଖିବାକୁ କିମ୍ବା ଛାଡ କରିବାକୁ ସମସ୍ତ ଶିକ୍ଷାନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। କେନ୍ଦ୍ର ସରକାର ମଧ୍ୟ ସମାନ କଥା କହିଥିଲେ। ଏଥି ସହିତ ସ୍କୁଲ ଫି ବୃଦ୍ଧି ନ କରିବାକୁ ଘରୋଇ ଅନୁଷ୍ଠାନ ଗୁଡିକୁ କୁହାଯାଇଥିଲା। କିନ୍ତୁ କେତେକ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ନିଜ କର୍ମଚାରୀଙ୍କ ଦରମା ଓ ଅନ୍ୟ ପ୍ରସଂଗ କାରଣରୁ ସ୍କୁଲ ଫି ଛାଡ କରିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ଏଭଳି ସ୍ଥିତିରେ ୨୦୨୦, ମାର୍ଚ୍ଚ ମାସ ଠାରୁ ଜୁନ ମାସ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି ଛାଡ ପାଇଁ ସମସ୍ତ ଘରୋଇ, ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥି ସହିତ ୨୦୨୦-୨୧ ଶିକ୍ଷା ବର୍ଷରେ ଯେଭଳି କୌଣସି ଶିକ୍ଷାନୁଷ୍ଠାନ ଫି ବୃଦ୍ଧି କରି ପାରିବେ ନାହିଁ ସେଥି ପାଇଁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରାଯାଉ। ଏଥି ସହିତ ସ୍କୁଲ ଫି ଛାଡ କରିବା ଦ୍ବାରା ଶିକ୍ଷାନୁଷ୍ଠାନ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଶିକ୍ଷକ, କର୍ମଚାରୀଙ୍କ ଦରମା, ବିଦ୍ୟୁତ ଦେୟ ଓ ଅନ୍ୟ ଖର୍ଚ୍ଚ ପାଇଁ ଏଭଳି ଶିକ୍ଷାନୁଷ୍ଠାନକୁ ଆର୍ଥିକ ସହାୟତା ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ଅନ୍ୟପକ୍ଷରେ ହାଇକୋର୍ଟରେ ଦାଖଲ ଇଣ୍ଟରଭେନସନ୍ ପିଟିସନ୍‌ରେ ଦର୍ଶାଯାଇଛି ଯେ ସ୍କୁଲ ଫି ସଂପୂର୍ଣ୍ଣ ଛାଡ କରିବା ସମ୍ଭବ ନୁହେଁ। ଫି ଦାଖଲ ପାଇଁ ଏବେ କାହାକୁ ବାଧ୍ୟ କରାଯାଉ ନାହିଁ। କିନ୍ତୁ ଫି ଛାଡ କରିବା ସମ୍ଭବ ନୁହେଁ। ଲକ୍‌ଡାଉନ ବେଳେ ସ୍କୁଲ ଗୁଡିକ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ସହିତ ଘର ଭଡା, ଇଣ୍ଟରନେଟ୍ ଦେୟ, ବିଦ୍ୟୁତ ଦେୟ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ବହନ କରିବାକୁ ବାଧ୍ୟ। ଏଭଳି ପରିସ୍ଥିତିରେ ସ୍କୁଲ ଫି ଛାଡ କରିବା ସମ୍ଭବ ନୁହେଁ ବୋଲି ଇଣ୍ଟରଭେନରଙ୍କ ପକ୍ଷରୁ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର