ସ୍କୁଲ ଫି’ ଛାଡ଼ ପ୍ରସଙ୍ଗ : ସରକାରଙ୍କ ଉପରେ ଛାଡ଼ିଲେ ହାଇକୋର୍ଟ

ଏମ୍‌ଓୟୁକୁ ବିରୋଧ କରୁଥିବା ପକ୍ଷ ପୃଥକ୍‌ ମାମଲା କରିପାରିବେ
ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ବେଳେ ଲାଭ ପାଇଁ ଉଦ୍ଦେଶ୍ୟ ରଖିବା ଉଚିତ ନୁହେଁ

କଟକ : ସ୍କୁଲ ଫି’ ଛାଡ଼ ପ୍ରସଂଗରେ ରାଜ୍ୟ ସରକାରଙ୍କ ଉପରେ ହାଇକୋର୍ଟ ନିଷ୍ପତ୍ତି ଛାଡ଼ିଛନ୍ତି। ସ୍କୁଲ ଫି’ ଛାଡ଼ ପ୍ରସଂଗରେ ପୂର୍ବରୁ ସ୍ବାକ୍ଷରିତ ଏମ୍‌ଓୟୁ କାର୍ଯ୍ୟକାରୀ ପ୍ରସଂଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ପ୍ରସ୍ତାବ ଓ ଏ ସଂପର୍କିତ ଏମ୍‌ଓୟୁକୁ ନେଇ ଯଦି କୌଣସି ଅନୁଷ୍ଠାନ ବା ପକ୍ଷଙ୍କ ଭିନ୍ନ ମତ ରହୁଥାଏ ତେବେ ସେମାନେ ପ୍ରତିକାର ପାଇଁ ଆଇନ ଅନୁସାରେ ପୃଥକ୍‌ ଭାବେ ମାମଲା ଦାୟର କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥିପାଇଁ କୌଣସି ପକ୍ଷଙ୍କୁ ବାରଣ କରାଯାଇ ନାହିଁ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଡକ୍ଟର ଜଷ୍ଟିସ ବି.ଆର. ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାଗୁଡିକର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି।

ଏଥିସହିତ ଖଣ୍ଡପୀଠ ୧୯୯୬ ସେପ୍ଟେମ୍ବର ୨୩ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘରୋଇ ସ୍କୁଲର ସ୍ବୀକୃତି ଓ ଏନ୍‌ଓସି ଜାରି ସଂକ୍ରାନ୍ତରେ ଜାରି ନିୟମାବଳୀର କଡ଼ା କାର୍ଯ୍ୟକାରୀ ପ୍ରସଂଗକୁ ନେଇ ମଧ୍ୟ ପକ୍ଷମାନେ ପୃଥକ୍‌ ଭାବେ ଆଇନ ଦ୍ବାରା ଅନୁମତିପ୍ରାପ୍ତ ପ୍ରକ୍ରିୟା ଅନୁସରଣ କରିପାରିବେ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରିଛନ୍ତି। ଏପରି ନିର୍ଦ୍ଦେଶ ଦେବା ସହିତ ହାଇକୋର୍ଟ ଏ ସଂପର୍କିତ ସମସ୍ତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଏ ସଂପର୍କିତ ମାମଲାରେ ପୂର୍ବରୁ ପ୍ରଦାନ କରାଯାଇଥିବା ସମସ୍ତ ଅନ୍ତରୀଣ ନିର୍ଦ୍ଦେଶକୁ ଉଠାଇ ଦିଆଯାଇଛି। ଏଥିସହିତ, ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ଏକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ବେଳେ ଉଦ୍ଦେଶ୍ୟ ଲାଭ ହେବା ଉଚିତ ନୁହେଁ। ୧୯୯୬ ସେପ୍ଟେମ୍ବର ୨୩ରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘରୋଇ ସ୍କୁଲଗୁଡିକର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଇଥିବା ପ୍ରସ୍ତାବ ସୁପ୍ରିମକୋର୍ଟଙ୍କ ବିଭିନ୍ନ ରାୟ ସଂଗତ ବୋଲି ହାଇକୋର୍ଟ କହିଛନ୍ତି। ହାଇକୋର୍ଟଙ୍କ ଏପରି ରାୟ ପରେ ପୂର୍ବରୁ ଫି’ଛାଡ଼ ପ୍ରସଂଗରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ପ୍ରସ୍ତାବ ଓ ଏ ସଂପର୍କିତ ଏମଓୟୁ କଡ଼ାକଡ଼ି କାର୍ଯ୍ୟକାରୀ ପ୍ରସଂଗ ସରକାରଙ୍କ ଉପରେ ନିର୍ଭର କରିବ। ଏଥିସହିତ ସ୍କୁଲ ଫି’ଛାଡ଼ ସଂପର୍କିତ ଏମଓୟୁକୁ ବିରୋଧ କରୁଥିବା ପକ୍ଷ/ଅନୁଷ୍ଠାନ ଏହି ପ୍ରସଂଗରେ ମଧ୍ୟ ପୃଥକ୍‌ବେ ଆଇନ ଅନୁସାରେ ପ୍ରକ୍ରିୟା ଅନୁସରଣ କରିପାରିବେ ବୋଲି ସ୍ପଷ୍ଟ ହୋଇଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ଆଲୋଚନାକୁ ନେଇ ସ୍କୁଲ ଫି’ ଡ଼ ସଂପର୍କିତ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ୨୦୨୦, ସେପ୍ଟେମ୍ବର ୨୯ରେ ଏହି ରିପୋର୍ଟ ଗଣଶିକ୍ଷା ବିଭାଗ ହାଇକୋର୍ଟରେ ଦାଖଲ କରିଥିଲା। ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଭିଭାବକ ମହାସଂଘର ପ୍ରତିନିଧି, ହାଇକୋର୍ଟରେ ମାମଲା ଦାୟର କରିଥିବା ଆବେଦନକାରୀଙ୍କ ପ୍ରତିନିଧି, ଓଡ଼ିଶା ଘରୋଇ ସ୍କୁଲ ଶିକ୍ଷକ ସଂଘର ପ୍ରତିନିଧି ଓ କନଫେଡେରେସନ୍ ଅଫ୍ ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଅନୁସାରେ ସ୍କୁଲ ଫି’ କିଛି ଅଂଶରେ ଛାଡ଼ କରାଯିବା ପାଇଁ ସୁପାରିସ କରାଯାଇଥିଲା। ରିପୋର୍ଟରେ ୭ଟି ସ୍ଲାବରେ ସ୍କୁଲ ଫି’ ଛାଡ଼ ପାଇଁ ପ୍ରସ୍ତାବ ରହିଥିଲା। ଯଦି ବାର୍ଷିକ ଟିଉସନ୍ ଫି’ ୬ ହଜାର ଟଙ୍କା ପର୍ଯ୍ୟନ୍ତ ସ୍କୁଲ ନେଉଥାଏ ତେବେ ଏଥିରେ କିଛି ଛାଡ଼ କରାଯିବନାହିଁ। ୬୦୦୧ରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଟିଉସନ୍ ଫି’ ଉପରେ ୭.୫ ପ୍ରତିଶତ, ୧୨୦୦୧ରୁ ୨୪ ହଜାର ପର୍ଯ୍ୟନ୍ତ ୧୨ ପ୍ରତିଶତ, ୨୪,୦୦୧ରୁ ୪୮ ହଜାର ପର୍ଯ୍ୟନ୍ତ ୧୫ ପ୍ରତିଶତ, ୪୮୦୦୧ରୁ ୭୨ ହଜାର ପର୍ଯ୍ୟନ୍ତ ୨୦ ପ୍ରତିଶତ, ୭୨୦୦୧ରୁ ୧ ଲକ୍ଷ ପର୍ଯ୍ୟନ୍ତ ୨୫ ପ୍ରତିଶତ ଓ ଏହାଠାରୁ ଅଧିକ ଟ୍ୟୁସନ ଫି ଥିଲେ ୨୬ ପ୍ରତିଶତ ଟିଉସନ୍ ଫି ଛାଡ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଏଥିସହିତ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ସ୍କୁଲ ପକ୍ଷରୁ ଆଦାୟ କରା ନ ଯାଇ ପ୍ରକୃତ ସ୍ଥିତିକୁ ଦେଖି ନିଆଯିବ। ହଷ୍ଟେଲ ଫି’ ୩୦ ପ୍ରତିଶତ ଛାଡ଼ କରାଯିବ। ଆକ୍ଟିଭିଟି ଫି, ଲଣ୍ଡ୍ରି ଫି, ଏକ୍ସଟର୍ନାଲ ଏକ୍‌ଜାମ ଫି, ୟୁନିଫର୍ମ ଫି, କନଭେୟାନ୍ସ ଫି, ଏଜୁକ୍ୟୁରିସନ୍ ଫି, ରିଆଡମିସନ୍ ଫି’, ଡେଭଲପମେଣ୍ଟ ଫି, ଆନୁଆଲ ଫି ଏହି ମହାମାରୀ ସମୟରେ ସ୍କୁଲ ଖୋଲିବା ପର୍ଯ୍ୟନ୍ତ ନିଆଯିବ ନାହିଁ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

DNA India

ଏ ସଂପର୍କିତ ଏମଓୟୁ କାର୍ଯ୍ୟକାରୀ ସପକ୍ଷରେ ସରକାର ମତ ଦେଇଥିଲେ। ମାମଲାର ଶୁଣାଣି ସମୟରେ ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇ ଘରୋଇ ସ୍କୁଲ ଉପରେ ନିୟନ୍ତ୍ରଣ ପାଇଁ ସରକାରଙ୍କ ପୂର୍ଣ୍ଣ କ୍ଷମତା ରହିଛି ବୋଲି ଦର୍ଶାଯାଇଥିଲା। ୧୯୯୬, ସେପ୍ଟେମ୍ବର ୨୩ରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘରୋଇ ସ୍କୁଲଗୁଡିକର ନିୟନ୍ତ୍ରଣ ପାଇଁ କେତେକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏ ନେଇ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା ଯେ ନିୟମାବଳୀ ଉଲ୍ଲଂଘନ ଯଦି ହୁଏ ତେବେ ସଂପୃକ୍ତ ଅନୁଷ୍ଠାନର ଏନ୍‌ଓସି ପ୍ରତ୍ୟାହାର କରାଯିବ। ନିୟମାବଳୀ ପାଳନ ଉପରେ ସ୍କୁଲକୁ ପ୍ରଦାନ କରାଯାଇଥିବା ଏନ୍‌ଓସି ନିର୍ଭର କରିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା। ଘରୋଇ ସ୍କୁଲ ଗୁଡିକର ଫି’ ନିୟନ୍ତ୍ରଣ ପାଇଁ କିଛି ବ୍ୟବସ୍ଥା ନାହିଁ ବୋଲି ସରକାର କହୁଥିବାବେଳେ ଏହି ବିଜ୍ଞପ୍ତି‌ରୁ କିନ୍ତୁ ସରକାରଙ୍କ କ୍ଷମତା ରହିଥିବ‌ା କଥା ସ୍ପଷ୍ଟ ହୋଇଛି ବୋଲି ଅଭିଭାବକ ମହାସଂଘ ପକ୍ଷରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ କେତେକ ଘରୋଇ ସ୍କୁଲ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଦାଖଲ କରିଥିବା ରିପୋର୍ଟକୁ ବିରୋଧ କରାଯାଇଥିଲା। ୧୯୯୬ର ବିଜ୍ଞପ୍ତି‌ ସରକାରଙ୍କୁ ଏପରି କ୍ଷମତା ପ୍ରଦାନ କରିନାହିଁ। ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ, ୨୦୦୯ ଓ ଏ ସଂପର୍କିତ ନିୟମ, ୨୦୧୦ ଆସିବା ପରେ ୧୯୯୬ର ବିଜ୍ଞପ୍ତି ଅପ୍ରାସଂଗିକ ହୋଇ ପଡିଛି ବୋଲି ସ୍କୁଲ ସଂଘଗୁଡିକ ପକ୍ଷରୁ ଦର୍ଶାଯାଇଥିଲା।

ସ୍କୁଲ ଫି’ ଛାଡ଼ ପ୍ରସଂଗକୁ ନେଇ ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ, ଓଡ଼ିଶା ଅଭିଭାବକ ମହାସଂଘ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପ୍ୟାରେଣ୍ଟସ୍ ଫୋରମ ପକ୍ଷରୁ ଦାୟର ପୃଥକ୍‌ ଆବେଦନର ଏକତ୍ର ଶୁଣାଣି କରି ହାଇକୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି। ପୂର୍ବରୁ ଏ ସଂପର୍କିତ ମାମଲା ବିଚାରାଧୀନ ଥିବାବେଳେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ପ୍ରଦାନ କରି ଅନ୍-ଲାଇନ ପାଠପଢା ସୁବିଧା ଥିବା ସ୍କୁଲର କୌଣସି ଛାତ୍ରଛାତ୍ରୀ ଇ-କ୍ଲାସ୍‌ରୁ ବଞ୍ଚିତ ହେବେ ନାହିଁ, ସମସ୍ତଙ୍କୁ ଏ ସଂପର୍କିତ ଆଇଡି ଓ ପାସ୍ ୱାର୍ଡ ପ୍ରଦାନ କରାଯିବ ବୋଲି କହିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଭି.ନରସିଂହ, ବରିଷ୍ଠ ଆଇନଜୀବୀ ଗୌତମ ମୁଖାର୍ଜୀ, ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ, ରାଜ୍ୟ ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ଏଜିଏ ଏମ.ଏସ.ସାହୁ, କେନ୍ଦ୍ର ସରକାରଙ୍କ ତରଫରୁ ଏଏସଜି ପ୍ରସନ୍ନ କୁମାର ପାଢୀ, ସିବିଏସଇ ତରଫରୁ ଆଇନଜୀବୀ ତାରାନନ୍ଦ ପଟ୍ଟନାୟକ, କନଫେଡେରେସନ୍ ଅଫ୍ ପବ୍ଲିକ୍ ସ୍କୁଲ୍ସ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ଓ ଅନ୍ୟ ପ୍ରତିପକ୍ଷଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଅଶୋକ ମହାନ୍ତି, ଆଇନଜୀବୀ ପତିତପାବନ ପଣ୍ଡା, ସମୀର ଦାସ ପ୍ରମୁଖ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର