ମୁଖ୍ୟମନ୍ତ୍ରୀଙ୍କ ନିବେଦନ ପରେ ଘରୋଇ ସ୍କୁଲ ନେଲା ନିଷ୍ପତ୍ତି : ଫି’ କମାଇବୁନି, ବିଳମ୍ବରେ ନେବୁ

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରୀ ଓ ଘରୋଇ ସ୍କୁଲ, କଲେଜ ବନ୍ଦ ରହିଛି। ପାଠପଢ଼ା ହେଉନି କି ପିଲାମାନେ ସ୍କୁଲକୁ ଆସୁନାହାନ୍ତି। ତେଣୁ ସବୁ ଘରୋଇ ସ୍କୁଲ ଛାତ୍ରଛାତ୍ରୀଙ୍କ ତିନି ମାସର ଫି’ ହ୍ରାସ କିମ୍ବା ଆଦାୟ ସମୟ ଘୁଞ୍ଚାଇବା ଲାଗି ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟ୍ୱିଟ୍‌ ଯୋଗେ ନିବେଦନ କରାଯାଇଥିଲା। ନିବେଦନର ୨୪ ଘଣ୍ଟା ବିତିନି, ସ୍କୁଲ କର୍ତ୍ତୃପକ୍ଷମାନେ ସେମାନଙ୍କ ନିଷ୍ପତ୍ତି ଜଣାଇଛନ୍ତି। ଫି’ କମାଇବା ପରିବର୍ତ୍ତେ ବିଳମ୍ବରେ ଫି’ ଆଦାୟ କରାଯିବ ବୋଲି ସ୍କୁଲଗୁଡ଼ିକ ଆଜି ଅଭିଭାବକଙ୍କ ନିକଟକୁ ପତ୍ର ଲେଖିଛନ୍ତି।

ଓଡ଼ିଶା ଘରୋଇ ସ୍କୁଲ ମହାସଂଘର ଅଧ୍ୟକ୍ଷ ବଦ୍ରି ନାରାୟଣ ପଟ୍ଟନାୟକ କହିଛନ୍ତି ଯେ କୌଣସି ପରିସ୍ଥିତିରେ ଫି’ ହ୍ରାସ କରିବା ଆମ ପକ୍ଷେ ସମ୍ଭବପର ନୁହେଁ। ବିଳମ୍ବରେ ହେଲେ ମଧ୍ୟ ଛାତ୍ରଛାତ୍ରୀଙ୍କଠାରୁ ଫି’ ଆଦାୟ କରାଯିବ। ନ ହେଲେ ସ୍କୁଲ ଚାଲିବା ସମ୍ଭବପର ହେବନାହିଁ। କାରଣ ଲକ୍‌ଡାଉନ ସମୟରେ ବି ୮୦% ସ୍କୁଲ ପିଲାଙ୍କୁ ଅନ୍‌ଲାଇନରେ ଶିକ୍ଷା ଦେଉଛନ୍ତି। ଶିକ୍ଷକମାନେ ଘରେ ରହିଲେ ମଧ୍ୟ ପିଲାଙ୍କୁ ପଢ଼ାଉଛନ୍ତି। ତେଣୁ ସେମାନଙ୍କୁ ଦରମା ଦେବାକୁ ହେବ। ଏଥିସହ ଫି’ ହ୍ରାସ କରିବା ପରିବର୍ତ୍ତେ ଏହି ୩ମାସ ପିଲାଙ୍କ ଠାରୁ ଫି’ ଆଦାୟ ନ କରିବାକୁ ରାଜ୍ୟର ସବୁ ଘରୋଇ ସ୍କୁଲକୁ ଅବଗତ କରାଯାଇଛି।

କଳ୍ପନା ଛକ ନିକଟରେ ଥିବା ଏକ ଘରୋଇ ସ୍କୁଲର ଅଧ୍ୟକ୍ଷ ଆଜି ଅଭିଭାବକଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପ୍ରିଲରୁ ଜୁନ ମାସ ମଧ୍ୟରେ ଫି’ ବୃଦ୍ଧି କରାଯିବ ନାହିଁ କି ବିଳମ୍ବିତ ଫି’ ଆଦାୟ ହେବ ନାହିଁ। ତେବେ ଜୁନ ୩୦ ସୁଦ୍ଧା ଫି’ ଦାଖଲ କରିବାକୁ କୁହାଯାଇଛି। ୨୦୧୯-୨୦ ଶିକ୍ଷାବର୍ଷରେ ପିଲାଙ୍କ ଠାରୁ ଯେଉଁ ଫି’ ଆଦାୟ କରାଯାଉଥିଲା ଜୁନ ମାସ ପର୍ଯ୍ୟନ୍ତ ସେଇ ଫି’ ଆଦାୟ କରାଯିବ। ଜୁଲାଇଠାରୁ ବର୍ଦ୍ଧିତ ଫି’ ଆଦାୟ ହେବ। ଅନ୍ୟପକ୍ଷରେ ବଲାଙ୍ଗୀର ଓ ଯାଜପୁର ଜିଲ୍ଲାର ଦୁଇଟି ଘରୋଇ ବିଦ୍ୟାଳୟ ଇତିମଧ୍ୟରେ ୩ ମାସ ପାଇଁ ଫି’ ଛାଡ଼ କରିଛନ୍ତି। ଏହି ସମୟରେ ଫି’ ଆଦାୟ ହେବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଭୁବନେଶ୍ୱରର ଆଉ କିଛି ସ୍କୁଲ କର୍ତ୍ତୃପକ୍ଷ ବିଳମ୍ବରେ ଫି’ ଆଦାୟ କରାଯିବା ନେଇ ମଧ୍ୟ ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ତେବେ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ କୁହାଯାଇଛି ଯେ କେତେକ ଘରୋଇ ସ୍କୁଲ ମାଲିକ ଅଭିଭାବକଙ୍କୁ ଶୋଷଣ କରୁଛନ୍ତି। ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରାଯାଉଛି। ସରକାରୀ ନିୟମ ଅନୁସାରେ ପ୍ରତ୍ୟେକ ସ୍କୁଲ ଜରୁରୀକାଳୀନ ପାଣ୍ଠି ରଖିବେ ଓ ବିପର୍ଯ୍ୟୟ ସମୟରେ ଶିକ୍ଷକଙ୍କ ଦରମା ଓ ଆନୁଷଙ୍ଗିକ ଖର୍ଚ୍ଚ ତୁଲାଇବେ। ସ୍କୁଲ କରିବା ପୂର୍ବରୁ ନିଜର ବ୍ୟକ୍ତିଗତ ସମ୍ପତ୍ତି ଏବଂ ବର୍ତ୍ତମାନ ସମ୍ପତ୍ତିର ଏକ ତୁଳନାତ୍ମକ ଚିତ୍ର ଦେବେ କି? ଶିକ୍ଷା ବେପାରୀମାନେ ବାରମ୍ବାର କହୁଛନ୍ତି କ୍ଷତିରେ ସ୍କୁଲ ଚାଲିଛି, ତା’ହେଲେ ଆଉ ଶାଖା କେମିତି ଖୋଲୁଛନ୍ତି ବୋଲି ପ୍ରଶ୍ନ କରାଯାଇଛି।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ଲକ୍‌ଡାଉନ୍‌ ଯୋଗୁ ଅଭିଭାବକଙ୍କ ଉପରେ ଆର୍ଥିକ ଚାପ ରହିବ। ଏହାକୁ ଦୃଷ୍ଟିରେ ରଖି ସବୁ ଘରୋଇ ଶିକ୍ଷାନୁଷ୍ଠାନ ସହାନୁଭୂତି ଦେଖାଇ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ତିନି ମାସର ସ୍କୁଲ ଫି’ କମାଇ ଦିଅନ୍ତୁ ନ ହେଲେ ଏହାକୁ ଘୁଞ୍ଚାଇ ଦିଅନ୍ତୁ। ସ୍କୁଲ ଫି’ ହ୍ରାସ କଲେ ଅଭିଭାବକଙ୍କ ଉପରେ ବୋଝ ପଡ଼ିବନି। ଲକ୍‌ଡାଉନ୍ ଯୋଗୁଁ ଯେଉଁ ଅଭିଭାବକଙ୍କ ‌ଆୟ ଗଭୀର ଭାବେ ପ୍ରଭାବିତ ହୋଇଛି, ସେମାନଙ୍କୁ ଏହାଦ୍ୱାରା ସହାୟତା ମିଳିବ।

ସମ୍ବନ୍ଧିତ ଖବର