କଟକ : ସ୍କୁଲ ଫି ଛାଡ ପ୍ରସଂଗ ସଂପର୍କିତ ମାମଲା ଆଜି ନୂଆ ମୋଡ ନେଇଛି। ଏହି ପ୍ରସଂଗକୁ ଆଲୋଚନା ମାଧ୍ୟମରେ ଆପୋସ ସମାଧାନ ପାଇଁ ହାଇକୋର୍ଟ ସମସ୍ତ ପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏକ ମିଳିତ ବୈଠକ ଡକାଇବେ। ବୈଠକରେ ଆବେଦନକାରୀଙ୍କ ସମେତ, କନଫେଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍, ଘରୋଇ ସ୍କୁଲ ଶିକ୍ଷକ ସଂଘ ଓ ଅନ୍ୟ ପ୍ରତିପକ୍ଷଙ୍କ ପ୍ରତିନିଧି ଉପସ୍ଥିତ ରହି ସ୍କୁଲ ଫି ଛାଡ଼ ପ୍ରସଂଗରେ ଆଲୋଚନା କରି ସମାଧାନ ପାଇଁ ଉଦ୍ୟମ କରିବେ। ବୈଠକରେ ନିଷ୍କର୍ଷ ସଂପର୍କରେ ଗଣଶିକ୍ଷା ସଚିବ ହାଇକୋର୍ଟରେ ସବିଶେଷ ତଥ୍ୟ ଦାଖଲ କରିବେ। ଚଳିତ ସପ୍ତାହରେ ଏ ସଂପର୍କିତ ବୈଠକ ଡକାଇବାକୁ ହାଇକୋର୍ଟ ସରକାରଙ୍କୁ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ୍ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ୩ଟି ଆବେଦନର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ସ୍କୁଲ ଫି ଛାଡ ପ୍ରସଂଗକୁ ନେଇ ହାଇକୋର୍ଟରେ ତିନୋଟି ମାମଲା ରୁଜୁ ହୋଇଥିବା ବେଳେ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଘରୋଇ ସ୍କୁଲ ସଂଘ କନଫେଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍ସ୍ ଓ ସ୍କୁଲ ଶିକ୍ଷକ ସଂଘ ପିଟିସନ୍ ଦାଖଲ କରିଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି କେନ୍ଦ୍ର, ରାଜ୍ୟ ସରକାର, ସିବିଏସଇ ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ଏଥିସହିତ ଅନ୍-ଲାଇନ ପାଠପଢା ସୁବିଧା ଥିବା ସ୍କୁଲର କୌଣସି ଛାତ୍ରଛାତ୍ରୀ ଯେଭଳି ଇ-କ୍ଲାସ୍ରୁ ବଞ୍ଚିତ ହେବେନାହିଁ, ସେଥିପାଇଁ ମେ୧୨ରେ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ପରାମର୍ଶକୁ ଆଧାର କରି ୧୫ ପ୍ରତିଶତ ସ୍କୁଲ ଫି ଛାଡ କଥା ବିଚାରକୁ ନିଆଯାଉଥିବା ଘରୋଇ ସ୍କୁଲ ସଂଘ ସୂଚନା ଦେଇଥିଲା। କିନ୍ତୁ କରୋନା ନେଇ ଦେଖା ଦେଇଥିବା ସ୍ଥିତିରେ ସଂପୂର୍ଣ୍ଣ ଭାବେ ସ୍କୁଲ ଫି ଛାଡ ପାଇଁ ଆବେଦନକାରୀଙ୍କ ପକ୍ଷରୁ ଦାବି କରାଯାଇଥିଲା।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଛାତ୍ରଛାତ୍ରୀଙ୍କୁ ୨୦୨୦, ମାର୍ଚ୍ଚ ମାସ ଠାରୁ ଜୁନ ମାସ ପର୍ଯ୍ୟନ୍ତ ସ୍କୁଲ ଫି ଛାଡ ପାଇଁ ସମସ୍ତ ଘରୋଇ, ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦର୍ଶାଇ ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ, ଭୁବନେଶ୍ବରର ପ୍ରହଲ୍ଲାଦ ରାଉତ ଓ ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ହାଇକୋର୍ଟରେ ପୃଥକ ମାମଲା ଦାୟର କରିଥିଲେ। ଯେତେବେଳ ପର୍ଯ୍ୟନ୍ତ ସ୍ବାଭାବିକ ପରିସ୍ଥିତି ନ ଫେରିଛି ସେତେବେଳ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କ ନିକଟରୁ ଫି ଆଦାୟ କରିବା ଉଚିତ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଭି.ନରସିଂହ, ବିଭୂତି ଭୂଷଣ ଚୌଧୁରୀ, ଆଇନଜୀବୀ ରଂଜନ କୁମାର ରାଉତ, ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, କନଫେଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍ସ୍ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ଓ ଅନ୍ୟ ପ୍ରତିପକ୍ଷଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଅଶୋକ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/Odisha-High-Court-5-640x430.jpg)