ଭୋଗରାଇ: ଛାତ୍ରୀଙ୍କ ଚିତ୍ରାଙ୍କନ କରିଦେବା ବଦଳରେ ଦେହମାଗିବା ଜଣେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ପାଇଁ ମହଙ୍ଗା ପଡ଼ିଛି। ନିଜ ସ୍କୁଲର ଜଣେ ଛାତ୍ରୀକୁ ଅସଦାଚାରଣ କରିବା ଅଭିଯୋଗରେ ସ୍କୁଲ ବୈଠକରେ ରସିକିଆ ପ୍ରଧାନଶିକ୍ଷକଙ୍କୁ ଛେଚା ଖାଇବାକୁ ପଡ଼ିଛି। ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଚଣ୍ଡୀପୁର ମୁଣ୍ଢାବଣିଆ ନୋଡାଲ ବିଦ୍ୟାଳୟରେ ଏହି ଅପ୍ରୀତିକର ଅଘଟଣ ଦେଖିବାକୁ ମିଳିଛି। ଉକ୍ତ ଘଟଣାକୁ କେନ୍ଦ୍ର କରି ସ୍କୁଲ ପରିସରରେ ଚାପା ଉତ୍ତେଜନା ଦେଖାଯାଇଛି। ଅଭିଯୁକ୍ତ ଶିକ୍ଷକ ହେଲେ ଗୋବିନ୍ଦ ଚରଣ ଜେନା।

Advertisment

ସୂଚନା ଅନୁଯାୟୀ ଗତ କିଛି ଦିନ ପୂର୍ବରୁ ମୁଣ୍ଢାବଣିଆ ନୋଡାଲ ବିଦ୍ୟାଳୟର ପ୍ରଧାନଶିକ୍ଷକ ‌ଗୋବିନ୍ଦ ଚରଣ ଜେନା ସ୍କୁଲର ଜୈନିକା ଛାତ୍ରୀଙ୍କୁ ଅସଦାଚରଣ କରିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ଆଜି ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ଆଞ୍ଚଳିକ କେନ୍ଦ୍ର ସାଧନ ସଂଯୋଜକ (ସିଆରସିସି)ଙ୍କ ସହ କିଛି ଶିକ୍ଷକଙ୍କୁ ନେଇ ସ୍କୁଲ କମିଟି ଏକ ବୈଠକ ଆୟୋଜନ ହୋଇଥିଲା। ତେବେ ଏଥିରେ ଛାତ୍ରୀଙ୍କ ଅଭିଭାବକ ଶିକ୍ଷକଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ସ୍କୁଲରୁ ବହିଷ୍କାର କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ଅଭିଯୋଗ ଅନୁଯାଇ ଶିକ୍ଷକ ଜଣକ ଛାତ୍ରୀଙ୍କ ଚିତ୍ରାଙ୍କନ କରି ପ୍ରତିବଦଳରେ ଛାତ୍ରୀଙ୍କ ଦେହ ମାଗିଥିଲେ। ଏହାକୁ ଛାତ୍ରୀ ଜଣକ ଘରେ ଯାଇ ଅଭିଭାବକଙ୍କ ନିକ‌ଟରେ କହିଥିଲେ। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଆୟୋଜିତ ବୈଠକରେ ଏଭଳି ଭୁଲ କରିଛି ବୋଲି ପ୍ରଧାନଶିକ୍ଷକ ଶ୍ରୀ ଜେନା ସ୍ୱୀକାର କରି ସର୍ବ ସମ୍ମୁଖରେ କ୍ଷମା ପାର୍ଥନା କରିଥିଲେ। ଆଉ ପରବର୍ତ୍ତୀ ସମୟରେ ଶିକ୍ଷକ ଜଣକ ସ୍କୁଲ ଛାଡ଼ି ପଳେଇ ଯିବା ପାଇଁ ଉଦ୍ୟମ କରିଥିଲା ବେଳେ ଗାଁ ଲୋକେ ତାଙ୍କୁ ଅଟକାଇଥିଲେ। ହେଲେ ପ୍ରଧାନଶିକ୍ଷକ ଶ୍ରୀ ଜେନା ସ୍କୁଲ ପଛପଟ ରାସ୍ତାରେ ଦୌଡ଼ିଦୌଡ଼ି ଖସି ଯିବା ପାଇଁ ଉଦ୍ୟମ କରିଥିଲା ବେଳେ ଗାଁ ଲୋକେ ତାଙ୍କୁ ଗୋଡେଇ ଧରିଥିଲେ। ଶ୍ରୀ ଜେନାଙ୍କୁ ମାଡ଼ ମାରିଥିଲେ।ଭୋଗରାଇ ବିଇଓ କମଳ ଲୋଚନ ବିଶ୍ବାଳ ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ କରାଯିବ ବୋଲି ସୂଚନା ଦେଇଛନ୍ତି।