ଭାରତ ବନ୍ଦ ଯୋଗୁଁ ଆସନ୍ତାକାଲି ବିଭିନ୍ନ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା, ଭୁବନେଶ୍ୱରରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ଆସନ୍ତାକାଲି ଭାରତ ବନ୍ଦ ଯୋଗୁଁ କିଛି ଜିଲ୍ଲାର ସ୍କୁଲଗୁଡ଼ିକ ଛୁଟି ରହିବ। ସ୍କୁଲ ଛୁଟି ନେଇ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଜି ଏହି ଘୋଷଣା କରିଛନ୍ତି। ସୂଚନା ଅନୁସାରେ କନ୍ଧମାଳ, ଗଞ୍ଜାମ, ଖୋର୍ଦ୍ଧା, ଭଦ୍ରକ, ଢେଙ୍କାନାଳ, ସୁନ୍ଦରଗଡ଼, ଗଜପତି, ରାୟଗଡ଼ା, ଜଗତସିଂହପୁର ଓ ମୟୂରଭଂଜ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି ହେବ। ସେହିପରି ବନ୍ଦ ପାଇଁ ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ରହିବ।

ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଆଇନ ପ୍ରତ୍ୟାହାର ଭଳି ୧୪ ଦଫା ଦାବି ନେଇ ମୋଦୀ ସରକାର ବିରୋଧରେ ବାମଦଳ ଓ ଶ୍ରମିକ ସଂଗଠନଗୁଡ଼ିକ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହି ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଜଣାଇଛି। କଂଗ୍ରେସ ସମର୍ଥନ ଦେବା ପରେ ବନ୍ଦର ପ୍ରଭାବ ଅନୁଭୂତ ହେବ ବୋଲି ଅନୁମାନ କରାଯାଉଛି। ତେବେ ବିଜେଡି ଏହି ଆନ୍ଦୋଳନରୁ ନିଜକୁ ଦୂରେଇ ରଖିଛି।

ଆସନ୍ତାକାଲି ହେବାକୁ ଥିବା ଭାରତ ବନ୍ଦ ଆନ୍ଦୋଳନକୁ ଘରୋଇ ବସ ମାଲିକ ସଂଘ ସମର୍ଥନ ଜଣାଇବା ସହ ବସ ଚଳାଚଳ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି। ତେବେ ମୋ ବସ୍‌ ପୂର୍ବଭଳି ଚଳାଚଳ କରିବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର