୨୫ ପର୍ଯ୍ୟନ୍ତ ସ୍କୁଲ୍‌ ଛୁଟି ବଢ଼ିଲା

ଭୁବନେଶ୍ୱର: ଦିନକୁ ଦିନ ଅସମ୍ଭାଳ ହେଉଛି ତାତି। ଅର୍ଧାଧିକ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଛି। ଦିନ ୯ଟାରୁ ଘରୁ ବାହାରିବା ମୁସ୍କିଲ୍‌ ହୋଇପଡ଼ୁଛି। ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବାର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତାହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟର ଗ୍ରୀଷ୍ମ ଛୁଟିକୁ ରାଜ୍ୟ ସରକାର ଆଜି ପୁଣି ବଢାଇଛନ୍ତି। ଜୁନ୍‌ ୨୧ ପରିବର୍ତେ ୨୫ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ଅବଧି ବୃଦ୍ଧି କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଜୁନ୍‌ ୨୬ରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ। ସେହିଦିନଠାରୁ ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ କ୍ଲାସ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ଯେ ଜୁନ୍‌ ୧୮ରେ ଗ୍ରୀଷ୍ମ ଛୁଟି ଶେଷ ହେବାର ଥିଲା। ହେଲେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସରକାର ଗତ ସପ୍ତାହରେ ଏହାକୁ ଜୁନ୍‌ ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

ସମ୍ବନ୍ଧିତ ଖବର