୨୫ ଯାଏ ବଢ଼ିଲା ସ୍କୁଲ୍‌ ଛୁଟି, ୨୬ରେ ଖୋଲିବ ସମସ୍ତ ବିଦ୍ୟାଳୟ

ବାତ୍ୟା ପ୍ରଭାବିତ ଜିଲ୍ଲାରେ ସ୍ଥିତି ସୁଧୁରିନି, ମନ୍ତ୍ରୀ-ସଚିବଙ୍କ କଥାରେ ତାଳମେଳ ନାହିଁ

ଭୁବନେଶ୍ବର: ଅସମ୍ଭାଳ ହେଉଛି ତାତି। ଗୁଳୁଗୁଳି ବି ଅସହ୍ୟ। ପଶ୍ଚିମ ଓଡ଼ିଶାର କେତେକ ସହରର ସର୍ବୋଚ୍ଚ ତାପମାତ୍ରା ଏବେ ବି ୪୦ ଡିଗ୍ରି ଉପରେ ରହିଛି। ଦିନ ୯ଟାରୁ ଘରୁ ବାହାରିବା ମୁସ୍କିଲ୍‌ ହୋଇପଡ଼ୁଛି। ତାହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟର ଗ୍ରୀଷ୍ମ ଛୁଟିକୁ ବଢ଼ାଇ ଦିଆଯାଇଛି। ଆସନ୍ତାକାଲି ଅର୍ଥାତ୍‌ ଜୁନ୍‌ ୧୯ ପରିବର୍ତେ ଜୁନ୍‌ ୨୬ ତାରିଖରେ ସ୍କୁଲ ଖୋଲିବ। ସେହିଦିନଠାରୁ ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା‌ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ସରକାରୀ ସହ ପ୍ରାଇଭେଟ୍‌ ଓ ପବ୍ଲିକ ସ୍କୁଲଗୁଡ଼ିକ ମଧ୍ୟ ଜୁନ୍‌ ୨୫ ଯାଏ ବନ୍ଦ ରହିବ। ୨୬ ତାରିଖଠାରୁ ସବୁ ବର୍ଗର ସ୍କୁଲ ଖୋଲିବ। ‌ ଇତିମଧ୍ୟରେ କେତେକ ଘରୋଇ ସ୍କୁଲ କର୍ତୃପକ୍ଷ ଆଗୁଆ ସ୍କୁଲ ଖୋଲି ଦେଇଥିଲେ। ଭୁବନେଶ୍ବରର ୧୦ରୁ ୧୫ଟି ଘରୋଇ ବିଦ୍ୟାଳୟରେ ଗତକାଲିଠାରୁ ପାଠପଢ଼ା ବି ଆରମ୍ଭ ହୋଇଯାଇଛି। ଛାତ୍ରଛାତ୍ରୀ ସକାଳୁ ସ୍କୁଲକୁ ଆସିବା ସହ କ୍ଲାସ କରୁଛନ୍ତି। ଏବେ ସରକାରଙ୍କ ନିଷ୍ପତ୍ତି ପରେ ସ୍କୁଲଗୁଡ଼ିକ ପୁଣି ବନ୍ଦ ହେବା ଏକପ୍ରକାର ନିଶ୍ଚିତ ହୋଇଛି। ସେପଟେ ଆସନ୍ତାକଲି ଅର୍ଥାତ୍‌ ଜୁନ୍‌ ୧୯ରେ ସ୍କୁଲ ଖୋଲିବାକୁ ଥିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀମାନେ ପ୍ରସ୍ତୁତି କରିନେଇଥିଲେ। ବିଶେଷକରି ବାତ୍ୟା ପ୍ରଭାବିତ ପୁରୀ, ଖୋର୍ଧା, କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା। ସ୍କୁଲ ପରିଚାଳନା କମିଟି(ଏସ୍‌ଏମ୍‌ସି)ର ସଦସ୍ୟମାନେ ଆଜି ବୈଠକ କରିବା ସହ କ୍ୟାମ୍ପସକୁ ସଫେଇ କରିଥିଲେ। ବର୍ଷା ଆସୁଥିବାରୁ କ୍ୟାମ୍ପସରୁ ଅଳିଆ, ଆବର୍ଜନା ଉଠାଇବା, ଭାଙ୍ଗି ପଡ଼ିଥିବା ଗଛଗୁଡ଼ିକୁ ସଫା କରିବା, ପିଲାମାନଙ୍କୁ କିଭଳି ନୟମିତ ଓ ଠିକ୍‌ ପରିମାଣର ମଧ୍ୟାହ୍ନ ଭୋଜନ ଦିଆଯିବ ‌ସେନେଇ ଏସ୍‌ଏମ୍‌ସି ବୈଠକରେ ଆଲୋଚନା ହୋଇଥିଲା। ତେବେ ଛୁଟି ଘୁଞ୍ଚି ଥିବାରୁ ଆସନ୍ତା ୭ ଦିନ ମଧ୍ୟରେ କ୍ୟାମ୍ପସଗୁଡ଼ିକର ପୂର୍ବ ସ୍ଥିତି ‌ଫେରାଇ ଅଣାଯାଇପାରିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀମା‌ନେ କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ଗତ ଦୁଇ ଦିନ ହେବ ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି। ଅଧିକାଂଶ ସ୍ଥାନ‌ରେ ତାପମାତ୍ରା ୩୯ ଡିଗ୍ରି ଉପରେ ରହୁଛି। ଉପକୂଳ ଓଡ଼ିଶାରେ ତାତି କମ୍‌ ରହୁଥିଲେ ମଧ୍ୟ ବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ସ୍କୁଲଗୁଡ଼ିକ ସ୍ଥିତିରେ ଏପର୍ଯ୍ୟନ୍ତ ସୁଧାର ଆସିନି। ଆଉ କିଛି ଦିନ ସମୟ ଲାଗିବ। ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ପ୍ରକାଶଥାଉକି, ବିଦ୍ୟାଳୟ ଛୁଟି ବଢିବା େନଇ ନୂଆ ମନ୍ତ୍ରୀ ଓ ସଚିବଙ୍କ ମଧ୍ୟରେ ତାଳମେଳ ନଥିବା ପରିଲକ୍ଷିତ େହାଇଛି। ଆଜି ଅପରାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଗଣମାଧ୍ୟମରେ କହିଥିଲେ େଯ ଆସନ୍ତାକାଲି ଠାରୁ ବିଦ୍ୟାଳୟ େଖାଲିବ ଓ ପାଠପଢା ହେବ। ମାତ୍ର ଏହାର କେଇ ମୁହୂର୍ତ ପରେ ବିଭାଗର ସଚିବ ଛୁଟି ବଢାଯାଉଥିବା ସୂଚନା େଦଇଥିଲେ। ଉଭୟ ଗଣମାଧ୍ୟମରେ ପ୍ରକାଶ ପରେ ଅଭିଭାବକ ମହଲରେ ଦ୍ବନ୍ଦ୍ବ ସୃଷ୍ଟି େହାଇଥିଲା।

ସମ୍ବନ୍ଧିତ ଖବର