ଯାଜପୁରଟାଉନ: ଯାଜପୁର ସହରସ୍ଥ ଭାଗବତପୁର ପ୍ରାଥମିକ ବିଦ୍ୟାଳୟ ଘରଟିକୁ ମାଟିରେ ମିଶାଇ ଦିଆଯାଇଛି। ପୈାରପାଳିକାର ୧୪ ନଂ ୱାର୍ଡରେ ଥିବା ଏହି ବିଦ୍ୟାଳୟଟି ୨୨ ବର୍ଷ ଧରି ଚାଲିଥିଲା। ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍ ଦର୍ଶାଯାଇ ଏହାକୁ ମହାବୀର ଛକ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏହାକୁ ବିରୋଧ କରି ସ୍ଥାନୀୟ ଗ୍ରାମବାସୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କେସ ନଂ ଡବ୍ଲ୍ୟୁପି(ସି) ୨୧୨୧୭/୨୦୧୯ରେ ଏହାର ବିଚାର କରି ହାଇକୋର୍ଟ ସ୍କୁଲଟିକୁ ପୂର୍ବ ସ୍ଥାନକୁ ଫେରାଇନେବାକୁ ଶିକ୍ଷା ବିଭାଗକୁ ନିର୍ଦେଶ ଦେଇଥିଲେ। କିନ୍ତୁ ଜିଲ୍ଲା ଶିକ୍ଷାଧିକାରୀ ତିନିଜଣିଆ ଯୁଗ୍ମ କମିଟି ଦ୍ୱାରା ତଦନ୍ତ କରି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ପ୍ରକଳ୍ପ ନିର୍ଦେଶକଙ୍କ ନିକଟକୁ ପୁନର୍ବିଚାର ପାଇଁ ପଠାଇଥିଲେ। ସ୍କୁଲଟି ବନ୍ଦ ହୋଇଯିବାର ସୁଯୋଗ ନେଇ ବିଦ୍ୟାଳୟ ପାଇଁ ଜମିଦାନ କରିଥିବା ବ୍ୟକ୍ତିଙ୍କ ପରିବାର ଲୋକେ ଗତ ୧୯ ତାରିଖ ରାତିରେ ବୁଲ୍‌ଡୋଜର ଲଗାଇ ଘରଟିକୁ ଭାଙ୍ଗି ଦେଇଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Advertisment

ଏହି ଘଟଣାକୁ ନେଇ ଭାଗବତପୁର ଗ୍ରାମର ବାସିନ୍ଦା କିଶୋର ଚନ୍ଦ୍ର ମିଶ୍ର, ଅମିୟ କୁମାର ଦାସ, ରବିନାରାୟଣ ସାହୁ, ସଞ୍ଜୟ କୁମାର ଦାସ, ଶ୍ରୀଧର ସାହୁ, ଅନିରୁଦ୍ଧ ଜେନା, ଶ୍ରୀପଦ ସେଠୀ, ଆନନ୍ଦ ଜେନା, ପ୍ରଶାନ୍ତ ଜେନା ଓ ନଗେନ୍ଦ୍ର ନାରାୟଣ ଜେନା ଯାଜପୁର ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ, ଯାଜପୁର ପୌର ନିର୍ବାହୀ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।